ଭୁବନେଶ୍ୱର : ନିକଟ ଭବିଷ୍ୟତରେ ରାଜ୍ୟରେ ମେଟ୍ରୋ ଟ୍ରେନ ଗଡିବନି । ୨୦୪୧ ମସିହା ପର୍ଯ୍ୟନ୍ତ ଭୁବନେଶ୍ୱର-କଟକରେ ମେଟ୍ରୋରେଳ ଚଳାଚଳ ସମ୍ଭବ ନୁହେଁ ବୋଲି ସର୍ଭେ କରିଥିବା ହ୍ରଇଦ୍ରାବାଦୀ ସଂସ୍ଥା ସ୍ପଷ୍ଟ କରିଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ରାଜ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ସଂକାନ୍ତରେ ଶ୍ରୀ ଜେନା କହିଛନ୍ତି ଯେ ମେଟ୍ରୋ ଚଳାଚଳ ନେଇ ୨୦୧୩ ମସିହାରେ ଆଲୋଚନା ହୋଇଥିଲା । କେନ୍ଦ୍ର ସରକାର ଏଥିପାଇଁ ୧୨ଲକ୍ଷ ୬୧ହଜାର ଟଙ୍କା ଯୋଗାଇ ଦେଇଥିଲେ । ମେଟ୍ରୋ ଚଳାଚଳ ପୂର୍ବରୁ ଏହାର ସର୍ଭେ କରିବାପାଇଁ ଟେଣ୍ଡର ଆହ୍ୱାନ ହୋଇଥିଲା ।
ପାଞ୍ଚଟି ସଂସ୍ଥା ସର୍ଭେ ପାଇଁ ଆବେଦନ କରିଥିବାବେଳେ ଦକ୍ଷିଣ କୋରିଆର ଦୋହା ସଂସ୍ଥା ସହିତ ମିଶି ଟେଣ୍ଡର ପକାଇଥିବା ହାଇଦ୍ରାବାଦର ବାଲାଜୀ ରେଲ ରୋଡ ସିଷ୍ଟମ ଲିମିଟେଡ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିଲା ଏବଂ ସମ୍ପୃକ୍ତ ସଂସ୍ଥା ସହିତ ଏଥିପାଇଁ ୨୦୧୪ ଅଗଷ୍ଟ ମାସରେ ରାଜିନାମା ସ୍ୱାକ୍ଷର ହୋଇଥିଲା ।
ସର୍ଭେ କାର୍ଯ୍ୟ ପାଇଁ କମ୍ପାନୀ ଯେଉଁସବୁ କାଗଜପତ୍ର ଚାହିଁଥିଲେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସେ ସମସ୍ତ ଯୋଗାଇ ଦିଆଯାଇଥିଲା । ସର୍ଭେ କରି ଉକ୍ତ ସଂସ୍ଥା ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ଦର୍ଶାଇଛନ୍ତି ଯେ ୨୦୪୧ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଚଳାଇବାପାଇଁ ଫିଜିବିଲିଟି ନାହିଁ । ଏହି ସର୍ଭେ କାର୍ଯ୍ୟପାଇଁ ଉପରୋକ୍ତ ସଂସ୍ଥାକୁ ମୋଟ୍ ୫୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ମନ୍ତ୍ରୀ କହିଛନ୍ତି ଯେ ସହରୀକରଣ ବଢିବା ସହିତ ଜନସଂଖ୍ୟା ବୃଦ୍ଧି ପାଉଛି । ଆଗାମୀ ଦିନରେ ଭୁବନେଶ୍ୱର କଟକ ସହିତ ମେଟ୍ରୋ ପରିସୀମାକୁ ଖୋରଧା ଠାରୁ ଚଣ୍ଡିଖୋଲ ଓ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ବଢାଇବାକୁ ଯୋଜନା ରହିବ ।
ପ୍ରଶ୍ନକର୍ତ୍ତା ଶ୍ରୀ ରାଉତରାୟ କହିଥିଲେ ଯେ ବର୍ତ୍ତମାନ କେବଳ ଭୁବନେଶ୍ୱର-କଟକରେ ଜନସଂଖ୍ୟା ପ୍ରାୟ ୩୦ଲକ୍ଷ ହୋଇଗଲାଣି । ଖୋରଧାକୁ ଯୋଡିଲେ ଜନସଂଖ୍ୟା ଆହୁରି ବଢିଯିବ । ଟ୍ରାଫିକ ଭିଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣିଥରେ ସର୍ଭେ କରିବା ସହିତ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରନ୍ତୁ । ଅନ୍ୟତମ ପ୍ରଶ୍ନକର୍ତ୍ତା ବିଜେଡିର ଅମର ପ୍ରସାଦ ଶତପଥୀ ଫିଜିବିଲିଟ ରିପୋର୍ଟ ପାଇଁ କ’ଣ ସବୁ ତଥ୍ୟ ଆବଶ୍ୟକ ବୋଲି ପଚାରିଥିଲେ ।