Home Education କରୋନା ପାଇଁ ଅନିଶ୍ଚିତତାରେ ପରୀକ୍ଷା

କରୋନା ପାଇଁ ଅନିଶ୍ଚିତତାରେ ପରୀକ୍ଷା

ଭୁବନେଶ୍ୱର : ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନିତ ହେଉଥିବା ବେଳେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି । ଦେଶ ତଥା ରାଜ୍ୟରେ ଗତ କିଛିଦିନ ଧରି ପୁଣି କରୋନା ସଂକ୍ରମଣ ବଢ଼ୁଥିବା ପରିପ୍ରେକ୍ଷୀରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବା ଲାଗି ପୁଣି ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିବ ନା ଖୋଲି ଚାଲିବ ସେଥିଘେନି କର୍ତ୍ତୃପକ୍ଷ ଦ୍ୱନ୍ଦ୍ୱରେ ।

ସପ୍ତାହକ ମଧ୍ୟରେ ରାଜ୍ୟର ଅନ୍ୟୁନ ୧୦ଟି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନିତ ହୋଇଛନ୍ତି । ଏଗୁଡ଼ିକ ମଧ୍ୟରେ ଭୁବନେଶ୍ୱରର ଜାଭିଅର୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଓ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ଅନ୍ୟତମ । ଏହାଛଡ଼ା ଆଉ କେତେକ ବୈଷୟିକ ଓ ଅନ୍ୟ କଲେଜରେ ବି କରୋନା ସଂକ୍ରମିତ ମିଳିଛନ୍ତି । କେତେକ ସ୍କୁଲରେ ମଧ୍ୟ ଇତିମଧ୍ୟରେ କରୋନା ସଂକ୍ରମିତ ଠାବ ହୋଇଛନ୍ତି ।

ସ୍କୁଲ, କଲେଜ ଆଦି ପର୍ଯ୍ୟାୟ କ୍ରମେ ଖୋଲୁଥିବା ପରିପ୍ରେକ୍ଷୀରେ କେତେକ କୋଚିଂ ସେଣ୍ଟରରେ ବି ଶିକ୍ଷାଦାନ ଆରମ୍ଭ ହୋଇଛି । ତେବେ ସଂଖ୍ୟାଧିକ କଲେଜ ଓ କୋଚିଂ ସେଣ୍ଟର କରୋନା କଟକଣା ମାନୁନାହାନ୍ତି । ଇତିମଧ୍ୟରେ କଟକ ପୌର ନିଗମ କର୍ତ୍ତୃପକ୍ଷ ଏହି ଅଭିଯୋଗରେ ଗୋଟିଏ କୋଚିଂ ସେଣ୍ଟର ସିଲ୍‍ କରିଛନ୍ତି । ଭୁବନେଶ୍ୱର, କଟକ ସମେତ ଅନ୍ୟ କୋଚିଂ ସେଣ୍ଟରଗୁଡ଼ିକ ଉପରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ଅଛି । ରାଜ୍ୟପାଳ, ଉପରାଷ୍ଟ୍ରପତି ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ କୂଳପତି, ସିଣ୍ଡିକେଟ୍‍ର ସଦସ୍ୟବୃନ୍ଦ, ଶିକ୍ଷକ ଓ ଛାତ୍ରଛାତ୍ରୀ ଏବଂ ସମାବର୍ତ୍ତନ ଉତ୍ସବରେ ଡିଗ୍ରୀ ଗ୍ରହଣ କରିବା ପାଇଁ ବହୁ ଗବେଷକ ଓ ଛାତ୍ରଛାତ୍ରୀ ଯୋଗଦେବାର ଅଛି । ତେବେ କରୋନା କଟକଣାକୁ ଆଖିଆଗରେ ରଖି ସମାବର୍ତ୍ତନ ସମାବେଶରେ ସଂଖ୍ୟା ୫୦୦ ମଧ୍ୟରେ ସୀମିତ ରଖିବା ଏବଂ ଯେଉଁମାନେ ଏଥିରେ ଯୋଗଦେବେ ସେମାନଙ୍କର ପୂର୍ବରୁ କୋଭିଡ୍‍ ପରୀକ୍ଷା ଲାଗି ସ୍ଥିର ହୋଇଛି ।

ଇତିମଧ୍ୟରେ କଲେଜ, ବିଶ୍ୱବିଦ୍ୟାଳୟ, ଯୁକ୍ତ ୨ ଓ ମାଟ୍ରିକ୍ୟୁଲେସନ ଆଦି ବିଭିନ୍ନ ପରୀକ୍ଷା ଲାଗି କାର୍ଯ୍ୟସୂଚୀ ସ୍ଥିର ହୋଇଛି । ତେବେ କରୋନାର ସ୍ଥିତି ଉପରେ ଏସବୁ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ କି ଘୁଞ୍ଚିବ ତାହା ନିର୍ଭର କରେ । କରୋନା ବଢ଼ୁଥିବାରୁ ସରକାର ଆଉ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ସପକ୍ଷରେ ନାହାନ୍ତି । ନବମରୁ ଦଶମ ପର୍ଯ୍ୟନ୍ତ ଏବଂ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ଯେଉଁସବୁ ଶ୍ରେଣୀରେ ପାଠପଢ଼ା ଲାଗି ଅନୁମତି ମିଳିଛି ସେଥିରୁ ଅନେକ କରୋନା ପ୍ରସାରଣ ଯୋଗୁ ପୁଣି ଅନ୍‍ଲାଇନ୍‍ ଭର୍ଚୁଆଲ୍‍ ମୋଡ୍‍ରେ ହେବା ଆଶଙ୍କା ଉପୁଜିଲାଣି ।