Home Administration ଭିକ୍ଷାବୃତି ନକରିବାକୁ ଖୋସାମତ

ଭିକ୍ଷାବୃତି ନକରିବାକୁ ଖୋସାମତ

ଭୁବନେଶ୍ୱର ; ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏବଂ କମିଶନରେଟ୍ ପୋଲିସ୍ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ବନଜାରା ମାନଙ୍କ ପାଖକୁ ଯାଇ ସେମାନଙ୍କୁ ସହରରେ ଭିକ୍ଷାବୃତି ନକରିବା ପାଇଁ ବୁଝାଇଛନ୍ତି । କମିଶନର୍ ପ୍ରେମ୍ ଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶ କ୍ରମେ ସହରକୁ ଭିକ୍ଷାବୃତି ମୁକ୍ତ କରିବାର ପ୍ରୟାସ ସ୍ୱରୂପ ଏହି ମିଳିତ ପଦକ୍ଷେପ ନେଇଛନ୍ତି ବିଏମସି ଏବଂ କମିଶନରେଟ୍ ପୋଲିସ୍ ।

ସୂଚନାଯୋଗ୍ୟ କି, ବିଏମସି ର ବିଭିନ୍ନ ଅଂଚଳରେ ବହୁଦିନ ଧରି ରହି ଆସୁଥିବା ବନଜାରା ଶ୍ରେଣୀର ବ୍ୟକ୍ତିମାନେ ସେମାନଙ୍କର ଶିଶୁ ମାନଙ୍କୁ ସାଙ୍ଗରେ ଧରି ବିଭିନ୍ନ ଟ୍ରାଫିକ୍ ଛକରେ ଭିକ୍ଷା ବୃତି କରୁଛନ୍ତି । ଫଳସ୍ୱରୂପ ସେମାନେ ବିଭିନ୍ନ ଜନଗହଳି ସ୍ଥାନ, ବଜାର ଇତ୍ୟାଦିରେ ଦିନରାତି ରହିବା ଏବଂ ପେଷାରୁ ନିବୃତ ହୋଇ ଭିକ୍ଷାକୁ ଆଦରିନେବା ଦେଖାଯାଉଛି ।

ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଏହି ବନ୍‌ଜାରା ମାନେ ଭିକ୍ଷାବୃତି ହେତୁ ଗୁଜୁରାଣ ମେଂଟାଇବା ସହଜ ମାର୍ଗକୁ ଅଧିକରୁ ଅଧିକ ଭାବେ ଆଦରି ନେଉଛନ୍ତି । ବିଏମସି ଚାଲୁ ରହିଥିବା ସର୍ଭେ ଅପୁସାରେ ଭୁବନେଶ୍ୱରରେ ୩୦୦ରୁ ଉର୍ଦ୍ଧ୍ୱ ବନଜାରା ରହିଛନ୍ତି ।

ଯେହେତୁ ମହାନଗର ନିଗମ ତରଫରୁ ଭୁବନେଶ୍ୱରରେ ଭିକ୍ଷା ବୃତ୍ତି ପ୍ରଥା ବନ୍ଦ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଅଛି ଏବଂ ଏଥିପାଇଁ ନିୟମିତ ସର୍ବେକ୍ଷଣ ଚାଲୁରହିଛି । ତେଣୁ ଆଜି ମହାନଗର ନିଗମର ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ, ଉପ ଆୟୁକ୍ତ କମଳାକାନ୍ତ ବେହେରା, ପୋଲିସ୍ ଆସିଷ୍ଟାଂଟ୍ କମାଣ୍ଡାଂଟ୍ ଲଳିତେନ୍ଦୁ ମହାନ୍ତି, ବିକାଶ ଓ ଓପିୟୁଏସ୍ ସଂସ୍ଥାର କର୍ମକର୍ତାମାନେ ବନଜାରା ରହୁଥିବା ବିଭିନ୍ନ ସ୍ଥାନକୁ ଯାଇ ସେମାନଙ୍କୁ ସଚେତନ କରାଇଛନ୍ତି ।

ବନଜାରା ଗୋଷ୍ଠିର ମୁଖିଆମାନେ ପଦାଧିକାରୀଙ୍କ କଥାକୁ ବୁଝିବା ପରେ ଆଉ ଆଗକୁ ଭିକ୍ଷାବୃତି ନକରି ନିଜର କୌଳିକ ବୃତିରେ ଗୁଜୁରାଣ ଚଳାଇବେ ଏବଂ ନିଜ ନିଜ ଗ୍ରାମକୁ ଫେରିଯିବେ ବୋଲି କହିଛନ୍ତି ଏବଂ ଅଳ୍ପ କିଛିଦିନ ସମୟ ମାଗିଛନ୍ତି । ଭିକ୍ଷାବୃତି ମୁକ୍ତ ସହର ପାଇଁ ସେମାନେ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି । ବିକାଶ ଏବଂ ଓଡିଶା ପତିତା ଉଦ୍ଧାର ସମିତି ସଂସ୍ଥାର ସ୍ୱେଚ୍ଛାସେବୀମାନେ ଆଜିର ପଦକ୍ଷେପ ପାଇଁ ସହଯୋଗ କରିଥିଲେ । ଏଥିରେ ଜନସାଧାରଣଙ୍କ ସହଯୋଗ ପାଇଁ ଅନୁରୋଧ କରାଯାଉଅଛି ।