ଭୁବନେଶ୍ୱର : ଓଡିଶାରେ ଗତ ଚାରିମାସ ମଧ୍ୟରେ ୧୨ହଜାର କିଲୋ ଏକକ ବ୍ୟବହୃତ ପ୍ଲାଷ୍ଟିକ ଜବତ ହେଲାଣି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ଏହି ସୂଚନାକୁ ରାଜ୍ୟସଭାରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ ।
ବିଜେଡି ସାଂସଦ ଦେବାଶିଷ ସାମନ୍ତ ରାୟଙ୍କ ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାର୍ଷିକ ରିପୋର୍ଟ ଅନୁଯାୟୀ କଟକ, ଭୁବନେଶ୍ୱର ସମେତ ରାଜ୍ୟରୁ ବାର୍ଷିକ ୫୧,୨୬୯ ମେଟ୍ରିକ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଥିବାବେଳେ ଏଥିରୁ ୪୮,୫୪୫ ମେଟ୍ରିକ ଟନ୍ ପ୍ରକ୍ରିୟାକରଣ ହୋଇଛି ।
ପ୍ଲାଷ୍ଟିକ ବର୍ଜ୍ୟର ପ୍ରକ୍ରିୟାକରଣ ପାଇଁ ଓଡିଶା ସରକାର ବ୍ୟାପକ କାର୍ଯ୍ୟ ଯୋଜନା ହାତକୁ ନେଇଥିବା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ବିଶେଷକରି ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ସହିତ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି । ମୁଖ୍ୟ ଶାସନ ସଚିବ ଏକ ଟାସ୍କଫୋର୍ସର ଅଧ୍ୟକ୍ଷ ଥିବାବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ସଂକ୍ରାନ୍ତରେ ନିୟମିତ ସମୀକ୍ଷା କରୁଛନ୍ତି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ବିଭିନ୍ନ ପୌରସଂସ୍ଥା ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷେଧ ପାଇଁ ମିଳିତ ଚଢାଉ ଜାରି ରଖିଚନ୍ତି । ଏଭଳି ପ୍ଲାଷ୍ଟିକକୁ ଜବତ କରିବା ସହିତ ଜୋରିମାନା ଲଗାଯାଉଛି । ଚଳିତ ବର୍ଷ ମାର୍ଚ୍ଚରୁ ଜୁନ୍ ମାସ ମଧ୍ୟରେ ୧୨,୫୯୬ କିଲୋ ଏକକ ବ୍ୟବହୃତ ପ୍ଲାଷ୍ଟିକ ଜବତ ହୋଇଥିବାବେଳେ ଜୋରିମାନା ବାବଦରେ ୧୨,୮୪,୫୪୬ ଟଙ୍କା ଆଦାୟ ହୋଇଛି ।
କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ସ୍ୱଚ୍ଛ ଭାରତ ମିଶନ୨.୦ ର ମାର୍ଗଦର୍ଶିକା ଆଧାରରେ କଠିନ ବର୍ଜ୍ୟ ପରିଚାଳନା ପାଇଁ ଓଡିଶାକୁ ୨୦୯ କୋଟି ୮ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ୧୨ଟି ପ୍ଲାଷ୍ଟିକ ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଏବଂ ୨୦ଟି ସହ ପ୍ରକ୍ରିୟାକରଣ କେନ୍ଦ୍ର ନିଜକୁ ପଞ୍ଜିକୃତ କରିଛନ୍ତି ।
ରାଜ୍ୟ ସରକାର ଏବଂ ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ଲାଷ୍ଟିକର ଅପକାରିତା ବିଷୟରେ ସଚେତନ କରାଯାଉଛି । ବିଶେଷକରି ପ୍ଲାଷ୍ଟିକ ମୁକ୍ତ ପିକନିକ୍ ସ୍ଥାନ ଉପରେ ଗୁରୁତ୍ୱ ଦିଆଯାଉଛି । ଦାରିଙ୍ଗିବାଡି, ଚନ୍ଦ୍ରଭାଗା ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ପାଇଁ ପାଇଲଟ ପ୍ରକଳ୍ପ ଭାବେ ନିଆଯାଇଛି । ଏଥି ସହିତ ଭୁବନେଶ୍ୱରରେ ୬ଟି ସ୍ୱୟଂଚାଳିତ କପଡା ବ୍ୟାଗ ଭେଣ୍ଡିଂ ମେସିନ ସ୍ଥାପନ ହୋଇଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ ସହ ମିଶି ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଅଭିଯାନ ଚଳାଇଛି । ଖଣି ସହିତ ୧୬୨ଟି ଶିଳ୍ପସଂସ୍ଥା ନିଜ ପରିସୀମାକୁ ପ୍ଲାଷ୍ଟିକମୁକ୍ତ କରିବା ସହିତ ସେମାନଙ୍କ ନିକଟସ୍ଥ ସହରରେ କପଡା ବ୍ୟାଗ୍ ଭେଣ୍ଡିଂ ମେସିନ୍ ବସାଇଥିବା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)