ଭୁବନେଶ୍ୱର : ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନିତ ହେଉଥିବା ବେଳେ ସଂଖ୍ୟାଧିକ ସ୍ଥଳରେ ଶିକ୍ଷାନୁଷ୍ଠାନ ଓ ଛାତ୍ରାବାସ ପରିସରରେ କରୋନା କଟକଣା ପାଳିତ ହେଉନଥିବା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି ।
କିଛିଦିନ ସ୍ଥିର ରହିବା ପରେ ଏବେ ପୁଣି ଦେଶରେ କରୋନା ଗ୍ରାଫ୍ ଉପରମୁହାଁ ହେଉଛି । ଏବେ ଗୋଟିଏ ଗୋଟିଏ ଦିନରେ ୨୫ହଜାରରୁ ଅଧିକ କରୋନା ସଂକ୍ରମିତ ବିଭିନ୍ନ ରାଜ୍ୟରେ ଚିହ୍ନିତ ହେଉଛନ୍ତି । ଓଡ଼ିଶାରେ ବି ଗୋଟିଏ ଦିନରେ ପାଖାପାଖି ଦେଢଶହ କରୋନା ସଂକ୍ରମିତ ବାହାରୁଛନ୍ତି । ଆର୍ଟିପିସିଆର୍ ପରୀକ୍ଷାକୁ ବ୍ୟାପକ କରାଗଲେ ଏହି ସଂଖ୍ୟା ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।
ମ୍ୟାଟ୍ରିକ୍, ଯୁକ୍ତଦୁଇ ଓ ଅନ୍ୟ ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ଆଖିଆଗରେ ରଖି ପରିବର୍ତ୍ତିତ ପରିସ୍ଥିତିରେ ରାଜ୍ୟ ସରକାର କେତେକ ଶ୍ରେଣୀ ଖୋଲିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଶ୍ରେଣୀ ଖୋଲିଥାନ୍ତା । କିନ୍ତୁ କରୋନା ସଂକ୍ରମଣ କାରଣରୁ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଆଉ ଏବେ ଶ୍ରେଣୀ ଖୋଲିବାର ନାହିଁ । କୋହଳ କଟକଣାରେ ଶ୍ରେଣୀ କକ୍ଷରେ ପାଠପଢ଼ା ଲାଗି ଯେଉଁସବୁ ଶିକ୍ଷାନୁଷ୍ଠାନ ଅନୁମତିପ୍ରାପ୍ତ ହୋଇଛନ୍ତି ସେଥିରୁ ଅଧିକାଂଶରେ କରୋନା କଟକଣା ପାଳିତ ହେଉନାହିଁ ।
ଦଳ ଦଳ ହୋଇ ଛାତ୍ରଛାତ୍ରୀ ବୁଲିବା ସହିତ ଶିକ୍ଷାନୁଷ୍ଠାନ କ୍ୟାଣ୍ଟିନ୍ଠାରୁ ଆରମ୍ଭ କରି ବାହାରେ ଫାଷ୍ଟଫୁଡ୍ କାଉଣ୍ଟରରେ ବେଶ୍ ଗହଳି ଲଗାଉଛନ୍ତି । ଖୋଦ୍ ରାଜଧାନୀର କଲେଜଗୁଡ଼ିକରେ ଏହି ଦୃଶ୍ୟ ଦେଖିବାକୁ ମିଳୁଛି । ଏବେ ଜାଭିୟର୍ ଇନ୍ଷ୍ଟିଚ୍ୟୁଟ୍ରେ ଏକାଥରକେ ୪୫ ଜଣ କରୋନା ସଂକ୍ରମିତ ଚିହ୍ନିତ ହେବା ପରେ କର୍ତ୍ତୃପକ୍ଷଙ୍କ ରକ୍ତଚାପ ବଢ଼ିଯାଇଛି । ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ପରୀକ୍ଷା କରାଗଲେ ସେଠୁ ଯେ କରୋନା ସଂକ୍ରମିତ ନ ବାହାରିବେ ତାହା ଉପରେ କେହି ଗ୍ୟାରେଣ୍ଟି ଦେଇପାରୁନାହାନ୍ତି ।
କିଛିଦିନ ତଳେ କଟକର ଏକ ଶିକ୍ଷାନୁଷ୍ଠାନରେ ବି ୨୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନିତ ହୋଇଥିଲେ । ବୁର୍ଲାର ଏକ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ବ୍ୟାପକ ସଂଖ୍ୟକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଥିବା ପ୍ରଚାରିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପରୀକ୍ଷା କିଟ୍ରେ ତ୍ରୁଟି ଯୋଗୁ ଏମାନଙ୍କ ପଜିଟିଭ୍ ରିପୋର୍ଟ ବୋଲି ଭୁଲ୍ ବୋଲି କୁହାଯାଇଥିଲା ।
ଏ ପରିପ୍ରେକ୍ଷୀରେ ଯେଉଁସବୁ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି ସେଠାରେ ନିୟମିତ ବ୍ୟବଧାନରେ କରୋନା ପରୀକ୍ଷା କରାଇବା ସହ କଲେଜ୍ ପରିସର ଭିତରେ ଓ ବାହାରେ ଛାତ୍ରଛାତ୍ରୀମାନେ ଯେପରି ଶୃଙ୍ଖଳାର ସହ କୋଭିଡ୍ କଟକଣା ମାନିବେ ତାହା ଉପରେ କଲେଜ୍ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି ।
ଏବେ ଛତିଶଗଡ଼ ସରକାର କରୋନା ସଂକ୍ରମଣ ବୃଦ୍ଧିକୁ ଆଖିଆଗରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିଛନ୍ତି । ମହାରାଷ୍ଟ୍ର, ଗୁଜରାଟ ଆଦି ରାଜ୍ୟର କେତେକ ଅଞ୍ଚଳରେ ବି କର୍ତ୍ତୃପକ୍ଷ କଲେଜ, ସ୍କୁଲ ଆଦି ବନ୍ଦ କଲେଣି । ଓଡ଼ିଶାରେ ପୁଣି କରୋନା ଲେଉଣାଟି ପରିପ୍ରେକ୍ଷୀରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଣି ଳକ୍ଡାଉନ୍ ଓ ସଟ୍ଡାଉନ୍ ଆଦି ବ୍ୟବସ୍ଥା ଗ୍ରହର କରାଯାଇପାରେ ବୋଲି ଆଶଙ୍କାବ୍ୟକ୍ତ କରାଯାଉଛି ।
ଲୋକସଭାର ବାଚସ୍ପତି କରୋନା ପଜିଟିଭ୍ ଚିହ୍ନିତ ହୋଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ବିଧାନସଭାର ଯେଭଳି ବାରମ୍ବାର ହଟ୍ଟଗୋଳ ହେଉଛି ଏବଂ ଦୂରତା ରକ୍ଷା ନକରି ଓ ମାସ୍କ ନ ପିନ୍ଧି କେତେକ ବିଧାୟକ ଯେମିତି ଦଳ ଦଳ ହୋଇ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି ସେଥିରେ କରୋନା ସଂକ୍ରମଣ ଯେ ନ ବଢ଼ିବ ତାହା ଉପରେ କେହି ଗ୍ୟାରେଣ୍ଟି ଦେଇପାରୁନାହାନ୍ତି । ମୋଟାମୋଟି ଭାବେ କରୋନା ପରିପ୍ରେକ୍ଷୀରେ ପୁଣି ଶିକ୍ଷାନୁଷ୍ଠାନ ବନ୍ଦ ସହିତ ପୁଣି ଲକ୍ଡାଉନ୍ ଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି ।