Home News in Odia ଶୀତଳଭଣ୍ଡାରରେ ପ୍ରି-ପେଡ୍‍ ଟ୍ୟାକ୍ସି ଯୋଜନା

ଶୀତଳଭଣ୍ଡାରରେ ପ୍ରି-ପେଡ୍‍ ଟ୍ୟାକ୍ସି ଯୋଜନା

ଭୁବନେଶ୍ୱର : ରେଳଷ୍ଟେସନ ଓ ବିମାନବନ୍ଦରରୁ ସୁରକ୍ଷିତ ଭାବେ ଯାତ୍ରୀ ପରିବହନ ପାଇଁ ହୋଇଥିବା ପ୍ରି ପ୍ରେଡ୍‍ ଟ୍ୟାକ୍ସି ଯୋଜନା ଶୀତଳଭଣ୍ଡାରରେ ରହିଯାଇଛି । ଏଥି ସହିତ ମହିଳାଙ୍କ ପାଇଁ ଆରମ୍ଭ ହୋଇଥିବା ପିଙ୍କ୍‍ ଅଟୋ ବ୍ୟବସ୍ଥା ମଧ୍ୟ ରାଜଧାନୀ ରାସ୍ତାରୁ ଉଭେଇ ଯାଇଛି । ଏହା କେବେ ଚାଲିବ ତାହାକୁ ପୁଣିଥରେ ରାଜଧାନୀବାସୀ ଅପେକ୍ଷା କରିଛନ୍ତି ।

ଅନ୍ୟ ରାଜ୍ୟଭଳି ରେଳଷ୍ଟେସନ ଓ ବିମାନବନ୍ଦରୁ ପୁଲିସ୍‍ ସହାୟତାରେ ପ୍ରିପ୍ରେଡ୍‍ ଟ୍ୟାକ୍ସି ଚଳାଚଳର ଯୋଜନା ହୋଇଥିଲା । ଏହା କାର୍ଯ୍ୟକାରୀ ହୋଇଥିଲେ ବିଳମ୍ବିତ ରାତ୍ରୀରେ ମଧ୍ୟ ଯାତ୍ରୀଟିଏ ସୁରକ୍ଷିତ ଭାବେ ଘରେ ପହଞ୍ଚିପାରିଥାନ୍ତା । କାରଣ ଯେଉଁସବୁ ଯାନ ଏଥିରେ ନିୟୋଜିତ ହୋଇଥାନ୍ତେ ସେମାନଙ୍କୁ କମିଶନରେଟ ପୁଲିସ୍‍ ନିୟନ୍ତ୍ରଣ କରିଥାନ୍ତା । ସମସ୍ତ ଯାନର ବିସ୍ତୃତ ବିବରଣୀ ପୁଲିସ୍‍ ନିକଟରେ ରହିବା ସହିତ ସେମାନଙ୍କ ଗାଡିରେ ଜିପିଏସ୍‍ ଲାଗିଥାନ୍ତା । ଫଳରେ ଯାତ୍ରୀମାନେ ପୁଲିସ୍‍ ନଜରରେ ସୁରକ୍ଷିତ ଭାବେ ଯାତ୍ରା କରିଥାନ୍ତେ । ଯେଉଁଠାରେ ବି ଯାତ୍ରୀମାନେ କୌଣସି ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତୋ ପୁଲିସ୍‍ ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇଥାନ୍ତା । ତେବେ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ଏହା ଫଳରେ ବିଳମ୍ବିତ ରାତ୍ରୀରେ ରେଷ୍ଟସନରୁ ଯାତ୍ରୀମାନେ ସହରତଳି ଅଞ୍ଚଳରେ ଥିବା ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ସାହସ କରିପାରୁ ନାହାନ୍ତି । ଏପରିକି ସେମାନଙ୍କ ଘର ଲୋକେ ବି ବିଳମ୍ବିତ ରାତିରେ ନେବାକୁ ଆସିବାକୁ ଉଚିତ୍‍ ମଣୁନାହାନ୍ତି । ଏହା ଫଳରେ ରାତି ଗୋଟାଏ ଦୁଇଟା ପରେ ରେଳରୁ ଓହ୍ଲାଉଥିବା ଯାତ୍ରୀମାନେ ଷ୍ଟେସନରେ ହିଁ ରାତି କାଟୁଛନ୍ତି । କାରଣ ବିଳମ୍ବିତ ରାତ୍ରୀରେ ରାଜଧାନୀର ରାସ୍ତାଘାଟ କିଭଳି ଅସୁରକ୍ଷିତ ତାହା ନିକଟରେ ଭରତପୁର ଥାନା ଘଟଣାରୁ ଲୋକେ ଦେଖିଛନ୍ତି । ଅପରାଧିଙ୍କ ସହିତ ନିଶାଡିମାନେ ବିଳମ୍ବିତ ରାତିରେ ରାଜଧାନୀ ରାସ୍ତାରେ ବୁଲିବା ଏବଂ ଲୋକଙ୍କୁ ଆକ୍ରମଣ କରିବା ବାରମ୍ବାର ଦେଖିବାକୁ ମିଳୁଛି ।

ସବୁଠାରୁ ଅସୁବିଧାରେ ପଡୁଛନ୍ତି ଯେଉଁମାନେ ବିଳମ୍ବିତ ରାତ୍ରୀରେ ବିଭିନ୍ନ କାବ୍‍ ବୁକିଂ କରୁଛନ୍ତି । କାବ୍‍ ବୁକିଂ କରିବାର କିଛି ସମୟ ପରେ ଛାଏଁ ଛାଏଁ ବୁକିଂ ବାତିଲ ହୋଇଯାଉଛି । ଏପରିକି ରାତି ୧୦ ଟା ପରେ ଷ୍ଟେସନ ଠାରୁ ୮ ରୁ ୧୦କିଲୋମିଟର ଦୂରକୁ ବିଭିନ୍ନ କାବ୍‍ ସେବା ପ୍ରଦାନକାରୀ ସଂସ୍ଥାଗୁଡିକ ଯିବାକୁ ରାଜି ହେଉନାହାନ୍ତି । ଏଥିଯୋଗୁଁ ଯେଉଁମାନେ ଘରୋଇ ଯାନ ବୁକିଂ କରୁଛନ୍ତି ସେମାନଙ୍କୁ ତିନି ଚାରିଗୁଣା ଅର୍ଥ ପଇଠ କରିବାକୁ ପଡୁଛି । ଗୋଟିଏ ପଟେ ଅଧିକ ଟଙ୍କା ଏବଂ ଅନ୍ୟପଟେ ଅଚିହ୍ନା ଗାଡିରେ ଅସୁରକ୍ଷିତ ଭାବେ ଯିବା ଅପେକ୍ଷା ବହୁ ଲୋକ ଷ୍ଟେସନରେ ରହିବାକୁ ଉଚିତ୍‍ ମଣୁଛନ୍ତି ।

ସେହିଭଳି ରାଜଧାନୀରେ ମହିଳାଙ୍କ ପାଇଁ ବହୁ ଆଡମ୍ବରରେ ଆରମ୍ଭ ହୋଇଥିବା ପିଙ୍କ୍‍ ଅଟୋ କିଛିଦିନ ଚାଲିବାପରେ ବନ୍ଦହୋଇ ଯାଇଛି । ଏହି ପିଙ୍କ୍‍ ଅଟୋରେ ମହିଳାମାନେ ସୁରକ୍ଷିତ ଭାବେ ଯାତ୍ରା କରୁଥିଲେ ଏବଂ ପୁଲିସ୍‍ ନଜରରେ ରହୁଥିଲେ । ଗାଡିଚାଳକମାନଙ୍କୁ ବି ଏଥିପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା । ହେଲେ କ’ଣ ପାଇଁ ଏହା ବନ୍ଦ ହୋଇଗଲା ତାହାର ତର୍ଜମା କରାଯାଉ ନାହିଁ ।

ଇତି ମଧ୍ୟରେ ରାଜଧାନୀର ଜନସଂଖ୍ୟା ସହିତ କଳେବର ବଢିବାରେ ଲାଗିଛି । ରେଳଯାତ୍ରୀ ଓ ବିମାନଯାତ୍ରୀଙ୍କ ସଂଖ୍ୟା ବି ବଢିଚାଲିଛି । ଭୁବନେଶ୍ୱର ଅତ୍ୟାଧୁନିକ ବସ୍‍ଷ୍ଟାଣ୍ଡରୁ ମଧ୍ୟ ବିଳମ୍ବିତ ରାତ୍ରୀରେ ଯାତ୍ରୀମାନେ ଘରକୁ ଯିବାକୁ ଚାହୁଛନ୍ତି । ତେଣୁ ଏଭଳି ସ୍ଥିତିରେ ସ୍ମାର୍ଟସିଟିରେ ତୁରନ୍ତ ପ୍ରି-ପେଡ୍‍ ଟ୍ୟାକ୍ସି ବ୍ୟବସ୍ଥା କରିବାଲାଗି ମତପ୍ରକାଶ ପାଉଛି । (ତଥ୍ୟ)