Home Assembly ଛାତ୍ରସଂସଦ ନିର୍ବାଚନ ପ୍ରସଙ୍ଗରେ ଗୃହ ଅଚଳ

ଛାତ୍ରସଂସଦ ନିର୍ବାଚନ ପ୍ରସଙ୍ଗରେ ଗୃହ ଅଚଳ

ଭୁବନଶ୍ୱର : ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ବିଧାନସଭାର କାର୍ଯ୍ୟ ଅଚଳ ରହିଛି । ପ୍ରଶ୍ନକାଳ ଓ ଶୂନ୍ୟକାଳ ଚାଲିପାରି ନାହିଁ । ବିରୋଧି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ ଅଧିବେଶନ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।

ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଦାବିରେ ଗୃହ ମଧ୍ୟକୁ ଆସି ହଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି, ଡାକ୍ତର ରାଜନ ଏକ୍କା, ସୋଫିଆ ଫର୍ଦ୍ଦୋଶ, ରମେଶ ଜେନା ପ୍ରମୁଖ ଗୃହ ମଧ୍ୟରେ ହଟ୍ଟଗୋଳ କରିଥିବାବେଳେ ଶ୍ରୀ ବାହିନିପତି ବିଧାନସଭା ସଚିବଙ୍କ ଚେୟାର ଉପରେ ଛିଡାହୋଇ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା ।

କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟରେ ହଟଗୋଳ କରୁଥିବାବେଳେ ବିରୋଧିଦଳର ମୁଖ୍ୟ ସଚେତକ ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ପ୍ରସଙ୍ଗ ଉଠାଇବା ସହିତ ବାଚସ୍ପତିଙ୍କ ଠାରୁ ଏହା ଉପରେ ରୁଲିଂ ଦାବି କରି ଗୃହ ମଧ୍ୟଭାଗକୁ ଆସିଥିଲେ ।

ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ପ୍ରଥମେ ୧୧ଟା ୪୧ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ତେବେ ପୁର୍ନବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ସଦସ୍ୟମାନେ ପୁଣିଥରେ ଛାତ୍ରସଂସଦ ନିର୍ବାଚନ ପ୍ରସଙ୍ଗରେ ଆସି ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିବାରୁ ଆଗତ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନଥିଲା । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।