Home News in Odia ମହିଳା ପ୍ରତିନିଧିତ୍ୱକୁ ନେଇ ଉଠିଲାଣି ପ୍ରଶ୍ନ

ମହିଳା ପ୍ରତିନିଧିତ୍ୱକୁ ନେଇ ଉଠିଲାଣି ପ୍ରଶ୍ନ

ଭୁବନେଶ୍ୱର : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରେ ଓଡିଶାର ମହିଳା ପ୍ରତିନିଧିତ୍ୱ ଘେନି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି । ଗତ ସରକାର ସମୟରେ ଓଡିଶା ମନ୍ତ୍ରୀମଣ୍ଡଳରେ ଚାରି ଜଣ ମହିଳାଙ୍କୁ ସ୍ଥାନ ଦିଆଯାଇଥିବାବେଳେ ଏବେ କିନ୍ତୁ ବିଜେପି ସରକାରରେ ଜଣେ ମାତ୍ର ମହିଳା ଅଛନ୍ତି । ସେହିଭଳି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନନ୍ଦିନୀ ଶତପଥୀଙ୍କ ପରଠାରୁ ଏଯାବତ୍‍ ଓଡିଶାର ଆଉ କୌଣସି ମହିଳାଙ୍କୁ ସ୍ଥାନ ମିଳିନାହିଁ ।

ଗତ ଲୋକସଭାରେ ୨୧ରୁ ଅନ୍ୟୁନ ୭ଜଣ ମହିଳା ଓଡିଶାରୁ ପ୍ରତିନିଧିତ୍ୱ କରୁଥିଲେ । ଏଥର ଏହି ସଂଖ୍ୟା ୪କୁ ହ୍ରାସ ପାଇଛି । ସେହିଭଳି ରାଜ୍ୟସଭାରେ ଓଡିଶାପାଇଁ ଥିବା ୧୦ଟି ଆସନ ମଧ୍ୟରୁ ୨ଟିରେ ମହିଳା ପ୍ରତିନିଧିତ୍ୱ ଥିବାବେଳେ ଏବେ ମମତା ମହାନ୍ତଙ୍କ ଇସ୍ତଫାପରେ ଏହି ସଂଖ୍ୟା ୧କୁ କମିଆସିଛି ।

ମମତା ମହାନ୍ତଙ୍କ ଇସ୍ତଫା ଯୋଗୁଁ ଖାଲି ହୋଇଥିବା ରାଜ୍ୟସଭା ଆସନପାଇଁ ଆସନ୍ତାମାସ ୩ତାରିଖରେ ନିର୍ବାଚନ ହେବାକୁ ସ୍ଥିର ହୋଇଛି । ଏହି ଆସନରୁ ନିର୍ବାଚିତ ହେବାଲାଗି ବିଜେପିର ବହୁ ଛାମୁଆ ନେତାଙ୍କ ନାଁ ଶୁଣା ଯାଉଥିବାବେଳେ ପୁଣି ଜଣେ ଆଦିବାସୀ ମହିଳାଙ୍କୁ ବିଜେପି ଏହି ଆସନରେ ପଠାଇବାପାଇଁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ମତପ୍ରକାଶ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ପ୍ରଧାନମନ୍ତ୍ରୀତ୍ୱ କାଳରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍‍ ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ସ୍ୱୀକୃତି କ୍ରମେ ଆଇନ୍‍ରେ ପରିଣତ ହୋଇଥିଲେ ମଧ୍ୟ ଗତ ବିଧାନସଭା ଓ ଲୋକସଭା ର୍ନିବାଚନରେ କିନ୍ତୁ ଏହି ଆଇନ୍‍କୁ ଲାଗୁ କରାଯାଇ ନାହିଁ । ଏହା କେବେ ଠାରୁ ଲାଗୁହେବ ସେଥିଘେନି ପ୍ରଶ୍ନବାଚୀ ଥିବାବେଳେ ରାଜ୍ୟସଭାରେ ଓଡିଶାର ମହିଳାଙ୍କ ପ୍ରତନିଧିତ୍ୱ ନକମାଇ ପୁଣିଥରେ ମମତା ମହାନ୍ତଙ୍କୁ କିମ୍ବା ଅନ୍ୟ କୌଣସି ଆଦିବାସୀ ମହିଳାଙ୍କୁ ବିଜେପି ପ୍ରାର୍ଥୀ କରିବାଲାଗି ଦାବି ଉଠିଲାଣି ।

ଗତ ନିର୍ବାଚନରେ ଓଡିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୨୦ଟିରେ ଜିଣି ବିଜେଡିକୁ ମୂଳପୋଛ କରିଦେଇଛି । ଏହାପରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡିଶାର ନୂଆ ନେତୃତ୍ୱଙ୍କୁ ଅଧିକ ସଂଖ୍ୟାରେ ପ୍ରତିନିଧିତ୍ୱ ମିଳିବ ବୋଲି ଆଶା କରାଯାଉଥିଲେ ମଧ୍ୟ ରାଜ୍ୟର ମାତ୍ର ଦୁଇଜଣ ଲୋକସଭା ସଦସ୍ୟ ଓ ଜଣେ ରାଜ୍ୟସଭା ସଦସ୍ୟଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ଏମାନେ ପୂର୍ବରୁ ବି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଥିଲେ ।

ବିଶେଷକରି ବିଜେପିର ଅପରାଜିତା ଷଡଙ୍ଗୀ, ସଙ୍ଗୀତା କୁମାରୀ ସିଂହଦେଓ, ଅନିତା ଶୁଭଦର୍ଶୀନି ଓ ମାଳବିକା କେଶରୀ ଦେଓଙ୍କ ଚାରିଜଣ ଟାଣୁଆ ନେତ୍ରୀ ଲୋକସଭାକୁ ଯାଇଥିବାବେଳେ ଏମାନଙ୍କ ଭିତରୁ କାହାକୁ ବି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନିଆଯାଇ ନାହିଁ । ଅନ୍ୟ ପକ୍ଷରେ ରାଜ୍ୟସଭା ପାଇଁ ଜଣେ ଦକ୍ଷ ଆଦିବାସୀ ମହିଳାଙ୍କୁ ପଠାଇ ତାଙ୍କୁ ବି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରିବାପାଇଁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି ।

ନବୀନ ପଟ୍ଟନାୟକଙ୍କ ସରକାରରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଉଷା ଦେବୀ ଓ ଟୁକୁନି ସାହୁ କ୍ୟାବିନେଟ ମନ୍ତ୍ରୀ ଥିବାବେଳେ ରୀତା ସାହୁ ଓ ବାସନ୍ତି ହେମ୍ବ୍ରମ ରାଷ୍ଟ୍ରମନ୍ତ୍ରୀ ଥିଲେ । ପୂର୍ବରୁ କ୍ୟାବିନେଟ୍‍ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଳିକଙ୍କୁ ପରେ ବାଚସ୍ପତି କରାଯାଇଥିଲା । ଏବେ ଅବଶ୍ୟ ବିଜେପି ସରକାର ସମୟରେ ସୁରମା ପାଢୀ ବାଚସ୍ପତି ରହିଛନ୍ତି । ତେବେ ରାଜ୍ୟ ମନ୍ତ୍ରୀମଣ୍ଡଳରେ କେବଳ ପ୍ରଭାତି ପରିଡା ଉପମୁଖ୍ୟମନ୍ତ୍ରୀ ଭାବେ ପର୍ଯ୍ୟଟନ ଏବଂ ମହିଳା ଓ ଶିଶୁ ବିକାଶ ତଥା ମିଶନଶକ୍ତି ବିଭାଗର ମନ୍ତ୍ରୀ ଅଛନ୍ତି । ଅନ୍ତତଃ ପକ୍ଷେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଏକ ତୃତୀୟାଂଶରୁ ଅଧିକ ମହିଳାଙ୍କୁ ସ୍ଥାନ ଦେବାପାଇଁ ଏବେ ବିଭିନ୍ନ ମହିଳା ସଂଗଠନ ମଧ୍ୟ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)