Home News in Odia ରାଜ୍ୟରେ ବୁଲିବ କୌଶଳ ରଥ

ରାଜ୍ୟରେ ବୁଲିବ କୌଶଳ ରଥ

ଭୁବନେଶ୍ୱର : ଜୁଲାଇ ୧୫ ତାରିଖରେ “ବିଶ୍ୱ ଯୁବ ଦକ୍ଷତା ଦିବସ’’ ଅବସରରେ କୌଶଳ ରଥ ଦୁଇଗୋଟି ବସ୍‌ ଦ୍ୱାରା ୩୦ଟି ଜିଲ୍ଲାକୁ ଅତିକ୍ରମ କରିବ। ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କୌଶଳରଥ ଆରମ୍ଭ କରିବାକୁ ପ୍ରସ୍ତାବଅଛି ଯେଉଁଥିରେ ହାଇସ୍କୁଲ, ଆଶ୍ରମ ବିଦ୍ୟାଳୟ, ଶିଶୁ ଯତ୍ନ ଅନୁଷ୍ଠାନ, ପିଭିଟିଜି(ପ୍ରାଚୀନଜନଜାତି) ଅଞ୍ଚଳରେ (ବଣ୍ଡା ଓ ମାଙ୍କଡ଼ିଆ ଇତ୍ୟାଦି) ଏବଂ ଆଇଟିଆଇ ଓ ପଲିଟେକ୍‌ନିକ୍‌ ଉଚ୍ଚ ଶିକ୍ଷାଅନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯିବ ।

ସେହିଭଳି ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ କେତେକ ଟ୍ରେନି ଛାତ୍ରଛାତ୍ରୀ ମଧ୍ୟରେ ସୀମିତ ନରଖି ଏହାକୁୁ ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନଶକ୍ତି ପରିସରଭୁକ୍ତ କରାଯିବା ଉପରେ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି ।

ଆଜି ପୂର୍ବାହ୍ନରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ବନ୍ଧରେ ପୁଂଖାନୁପୁଂଖ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀ ଗୁଡ଼ିକରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଯୋଗଦାନ ପୂର୍ବରୁ ସେମାନଙ୍କୁ ସୁଦକ୍ଷ କରିବା ଆବଶ୍ୟକ। କମ୍ପାନୀ ଓ ଶିଳ୍ପାନୁଷ୍ଠାନ ବୁଝାମଣାପତ୍ରରେ ଓଡ଼ିଆ ଯୁବକ ଯୁବତୀଙ୍କୁ ସେମାନଙ୍କ ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇଁ ଚୁକ୍ତିବଦ୍ଧ ହେଉଥିବାବେଳେ ଯୋଗ୍ୟ ପ୍ରାର୍ଥୀମାନେ କୁଶଳୀ ହେବା ନିହାତି ଜରୁରୀ।

ସେଥିପାଇଁ ସେହି ପ୍ରାର୍ଥୀମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ। ସ୍ଥଳବିଶେଷରେ କମ୍ପାନୀ ଓ ଶିଳ୍ପାନୁଷ୍ଠାନଗୁଡ଼ିକୁ ମଧ୍ୟ ଉପଯୁକ୍ତ ଟ୍ରେନର ଓ ଭିତ୍ତିିଭୂମି ଯୋଗାଇ ଦେବା ପାଇଁ ଚୁକ୍ତି କରାଯାଇପାରିବ । ଯେଉଁ ଅଞ୍ଚଳରେ ଦକ୍ଷତା ବିକାଶ ଯେତେ ଉନ୍ନତ ସେ ଅଞ୍ଚଳର ଶିଳ୍ପାନୁଷ୍ଠାନ ଓ କମ୍ପାନୀଗୁଡ଼ିକ ସେତିକି ଦକ୍ଷ। ଏଥିପାଇଁ ଭିଏତ୍‌ନାମ, ସୁଇଜରଲାଣ୍ଡ ଓ ସିଙ୍ଗାପୁର ଇତ୍ୟାଦି ଅଞ୍ଚଳରେ ଉତ୍ପାଦିକତା ମଧ୍ୟ ତୁଳନାତ୍ମକ ଭାବେ ଅଗ୍ରଣୀ ଭୂମିକା ନେଇପାରିଛି।

ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ବ୍ୟାପକ କରି ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନଶକ୍ତି ସହ ଯୋଡ଼ିବା ଆବଶ୍ୟକ। ମହାବିଦ୍ୟାଳୟ ସ୍ତରରେ ମଧ୍ୟମହାବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ସମୟରେ ଏହାର ଛାତ୍ରଛାତ୍ରୀ ଓ ପାଠପଢ଼ା ସମୟ ବାହାରେ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଇପାରିବ । ସେହିପରି ମିଶନଶକ୍ତି ଓ ଆପ୍ରେଣ୍ଟିସିପ୍‌ ସହ ଦକ୍ଷତା ବିକାଶ ଟ୍ରେନିଂକୁ ଯୋଡ଼ିବାର ଢେର ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି।

ସମୀକ୍ଷା ମୁତାବକ ୩୦ ଗୋଟି ଜିଲ୍ଲାର ଉଚ୍ଚ ଶିକ୍ଷାଅନୁଷ୍ଠାନରେ ୩୦ ଗୋଟି ସ୍କିଲ୍‌-ହବ ପରିଚାଳନା କରାଯିବ ।ଏଥିରେ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମ୍ପର୍କରେ ସଚେତନତା କରାଯିବା ସହ ପ୍ରଶିକ୍ଷଣ ଦିଆଯିବ ।

୭ ଗୋଟି ଦକ୍ଷତା ଉପରେ ସଚେତନତା ପାଇଁ ସରକାରଙ୍କ ବିଭିନ୍ନ ବିବରଣୀ, ରୋଲ ମଡେଲ୍‌ ଓ ଉଚ୍ଚଶିକ୍ଷା ସ୍କିମ୍‌ଏହି କୌଶଳ ଅନ୍‌ ହୁଇଲ୍‌ରେ ଫୋକସ୍‌ ହେବ। ସ୍ଥାନୀୟ ଜନ ପ୍ରତିନିଧି, ଅଭିଭାବକ, ଛାତ୍ରଛାତ୍ର, ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯିବ । ଏହା ବ୍ୟତୀତ ସ୍ୱଳ୍ପ ଅବଧି ଭିତ୍ତିକ ଦକ୍ଷତା କାର୍ଯ୍ୟକ୍ରମ, ଆଇ.ଟି.ଆଇଏବଂ ପଲିଟେକ୍‌ନିକ୍‌, ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଉଚ୍ଚତର ବୈଷୟିକ ଶିକ୍ଷାସଂସ୍ଥାନ ଗୁଡ଼ିକରେ ଦିଆଯାଉଥିବା କାର୍ଯ୍ୟକ୍ରମ ମାନ ଦୃଶ୍ୟ-ଶ୍ରାବ୍ୟ ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯିବ ।

ସ୍କିଲ୍‌-ଅନ୍‌-ହ୍ୱିଲ୍‌ ବା କୌଶଳ ରଥରେ ବିଭିନ୍ନ ପ୍ରକାର ପରିଯୋଜନା ଯଥା ବାଳିକାମାନଙ୍କ ପାଇଁ ସୁଦକ୍ଷା, ଅନାଥ ପିଲାଙ୍କ ପାଇଗ୍ରୀନ୍‌-ପ୍ୟାସେଜ୍‌ସ୍କିମ୍‌ ଓ ନୂଆ-ଓ ଏବଂ ପିଏଲ୍‌ଟିପି ଯୋଜନା ସଂପର୍କରେ ସୂଚନା ଦିଆଯିବ । ଏହି କୌଶଳରଥ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ୱୀକୃତି ଅଣାଯିବ । ଏତଦ୍‌ବ୍ୟତୀତ ଯୁବକମାନଙ୍କୁ ଆତିଥେୟତା ପ୍ରଶିକ୍ଷଣ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ କୌଶଳ ଭବନନିର୍ମାଣ କରାଯାଉଛି । ନିର୍ମାଣ ହେବାକୁ ଥିବା ୧୦ ଗୋଟି କୌଶଳ ଭବନମଧ୍ୟରୁ ପ୍ରଥମେ ଗୋଟିଏନିର୍ମାଣ ହେବ ।

ଏହି ଭବନରେ ଯୁବକମାନଙ୍କୁ ଆତିଥ୍ୟ ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ପ୍ରଥମ କୌଶଳ ଭବନ ନିର୍ମାଣ କରାଯାଉଛି । ଏହି ଭବନରେ ରୋଷେଇ ବିଜ୍ଞାନ, ଖାଦ୍ୟ ଓ ପାନୀୟ, ଗୃହରକ୍ଷୀ ସେବା ଏବଂ ଫ୍ରଣ୍ଟ ଅଫିସ୍‌ ଆସୋସିଏଟ୍‌ ପାଠ୍ୟକ୍ରମରେ ପ୍ରଶିକ୍ଷଣ ପାଇଁ ସୁବିଧା ରହିବ।ଏହି ଭବନରେ ବାର୍ଷିକ ୪୦୫ ଜଣ ଯୁବକଙ୍କୁ ଦକ୍ଷ କରିବାର କ୍ଷମତା ରହିଛି।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍‌ କାର୍ଯ୍ୟକ୍ରମ ଓ ପ୍ରତିଷ୍ଠାନଗୁଡ଼ିକୁ ରାକିଂ ପାଇଁ ଜାତୀୟ ଶୈକ୍ଷିକ ରାଙ୍କିଂ ଫ୍ରେମ୍‌ୱାର୍କ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ସମୀକ୍ଷା ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଉପସ୍ଥିତ ରହି ଏ ସମସ୍ତ ତଥ୍ୟ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶିକା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।