ଭୁବନେଶ୍ୱର : ଦୀର୍ଘବର୍ଷର ବ୍ୟବଧାନ ପରେ ଏଥର ରାଜ୍ୟରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବାର ସମ୍ଭାବନା ଉଜ୍ୱଳ ହୋଇଛି । ସରକାରୀ ଭାବେ ଏ ସଂକ୍ରାନ୍ତରେ କିଛି ନିର୍ଦ୍ଦିଷ୍ଟ ଘୋଷଣା ହୋଇନଥିଲେ ମଧ୍ୟ ଆଗାମୀ ଦୁର୍ଗପୂଜା ଛୁଟି ପୂର୍ବରୁ ଏକ ସମୟରେ ଛାତ୍ର ସଂସଦ ନିର୍ବାଚନ ହୋଇପାରେ ।
ଏଠାରେ ଉଲ୍ଲେଖନୀୟ ଯେ ବିଭିନ୍ନ ଆଳ ଦେଖାଇ ଭିନ୍ନ ଭିନ୍ନ ପର୍ଯ୍ୟାୟରେ କିଛି ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଥିଲା । ବିଶେଷକରି ହିଂସାକାଣ୍ଡକୁ ଏ କ୍ଷେତ୍ରରେ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିଲା । ପରବର୍ତ୍ତୀ ସମୟରେ କୋଭିଡ ମହାମାରୀ କାରଣରୁ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରଖାଗଲା । କୋଭିଡ କଟକଣା ଉଠିବା ପରେ ଛାତ୍ରଛାତ୍ରୀମାନଙ୍କ ପାଠପଢା ଆଳ ଦେଖାଇ ଆଉ ଛାତ୍ର ସଂସଦ ନିର୍ବାଚନ କରାଯାଉନାହିଁ ।
ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରିବାପାଇଁ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଛାତ୍ର କଂଗ୍ରେସ ସମେତ ବିଭିନ୍ନ ବାମପନ୍ଥୀ ଛାତ୍ର ସଂଗଠନ ପକ୍ଷରୁ ଦାବିହୋଇ ଆସୁଥିଲା । ଏମିତିକି ଭାରତୀୟ ଜନତାପାର୍ଟି ମଧ୍ୟ ବିଭିନ୍ନ ସମୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଘଟଣାକୁ ପ୍ରମୁଖ ପ୍ରସଙ୍ଗ କରି ବିଜେଡି ସରକାର ବିରୁଦ୍ଧରେ ବିଷୋଦଗାର କରି ଆସୁଥିଲା ।
ଏବେ ରାଜ୍ୟରେ ବିଜେପି ସରକାର ଚାଲୁଛି । ଏହି ସରକାରରେ ମନ୍ତ୍ରୀ ହୋଇଥିବା ଅନେକ ବ୍ୟକ୍ତି ଛାତ୍ର ରାଜନୀତିରୁ ଆସିଛନ୍ତି । ଏମିତିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭକରି ସାଂସଦ ରୁଦ୍ର ନାରାୟଣ ପାଣି, ମନ୍ତ୍ରୀ ସୁରେଶ ପୂଜାରୀ, ପୃଥୀରାଜ ହରିଚନ୍ଦନ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଛାତ୍ର ରାଜନୀତିରେ ସକ୍ରିୟ ରହିବା ସହିତ ସେତେବେଳେ ନିର୍ବାଚନ ବି ଲଢିଥିଲେ ଏବଂ ଏମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ସମୟରେ ଛାତ୍ର ଆନ୍ଦୋଳନର ମଧ୍ୟ ନେତୃତ୍ୱ ନେଉଥିଲେ ।
ରାଜ୍ୟ ବିଜେପିର ନେତା ଓ ପ୍ରବକ୍ତାମାନେ ବିିଭିନ୍ନ ସମୟରେ ପୂର୍ବରୁ ଗଣମାଧ୍ୟକୁ ଦେଇଥିବା ବକ୍ତବ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯିବା ଫଳରେ ନୂଆ ନେତା ସୃଷ୍ଟି କ୍ଷେତ୍ରରେ ପ୍ରତିବନ୍ଧକ ଲଗାଯାଇଥିବା ଘେନି ଗୁରୁତର ଅଭିଯୋଗମାନ ଆଣୁଥିଲେ । ଏବେ ବିଜେପି ହାତରେ ଉଭୟ କେନ୍ଦ୍ର ଓ ରାଜ୍ୟର ଶାସନ ଡୋରି ଥିବାବେଳେ ଏହି ଦଳ ସହ ସମ୍ପୃକ୍ତ ଛାତ୍ର ନେତାମାନେ ଏଥର ଛାତ୍ରସଂସଦ ନିର୍ବାଚନ ହେବା ନିଶ୍ଚିତ ବୋଲି କହୁଛନ୍ତି ।
ଇତି ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଯେଉଁ ସୂଚନା ଦେଇଛନ୍ତି ସେଥିରୁ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ଥିବା ଧାରଣା ଦୃଢୀଭୂତ ହେଉଛି । ତେବେ ଖୁବ୍ଶୀଘ୍ର ରାଜ୍ୟ ସରକାର ଏ ପ୍ରସଙ୍ଗରେ ବିଚାର ଆଲୋଚନା କରି ସ୍ପଷ୍ଟ ନିଷ୍ପତ୍ତି ଘୋଷଣା କରିବେ ବୋଲି ତାଙ୍କ ସୂଚନାରୁ ଜଣାପଡିଛି ।
ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯିବା ପୂର୍ବରୁ ରାଜ୍ୟର ସଂଖ୍ୟାଧିକ ଶିକ୍ଷାନୁଷ୍ଠାନରେ ଛାତ୍ର ବିଜେଡିର ପ୍ରତିନିଧିମାନେ ନିର୍ବାଚନ ଜିଣି ରେକର୍ଡ କରିଥିଲେ । ତେବେ କେତେକ କ୍ଷେତ୍ରରେ ଜଣେ ଜଣେ ଛାତ୍ରନେତାଙ୍କୁ ବିଭିନ୍ନ ଦଳ ପକ୍ଷରୁ ନିଜର ପ୍ରାର୍ଥୀ ବୋଲି ଦାବି କରାଯାଉଥିଲା । ସତୁରୀ ଓ ଅଶୀ ଦଶକରେ ଏବିଭିପି ଛାତ୍ର ସଂସଦ ନିର୍ବାଚନରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିଲା । ପରବର୍ତ୍ତୀ ସମୟରେ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ବେଶ୍ ଶକ୍ତିଶାଳୀ ହୋଇ ଅଧିକାଂଶ କଲେଜ ୟୁନିଅନ ମଧ୍ୟ ନିଜ ଦଖଲକୁ ନେଉଥିଲା । ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ସରକାର ଆସିବାପରେ ଶାସକଦଳ ନିୟନ୍ତ୍ରଣରେ ବହୁ ଛାତ୍ର ସଂସଦ ରହୁଥିଲା । (ତଥ୍ୟ)