ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ ପ୍ରଚାର ସରିଥିବାବେଳେ ଆଉ ଗୋଟିଏ ପର୍ଯ୍ୟାୟ ଭୋଟ ବାକି ଅଛି । ତେବେ ବିଭିନ୍ନ ପ୍ରାର୍ଥୀ ଓ ଦଳ ପକ୍ଷରୁ ମୋବାଇଲ୍ ଫୋନ୍ ଜରିଆରେ ଭୋଟ ଭିକ୍ଷା ଏବେ ଲୋକଙ୍କୁ ଅତିଷ୍ଠ କଲାଣି । ଏକାଧିକ ନମ୍ବରରୁ ଫୋନ୍ ଆସୁଥିବାରୁ ଲୋକେ ମଧ୍ୟ ଏଥିରୁ ସହଜରେ ନିସ୍ତାର ପାଉ ନାହାନ୍ତି ।
ଶସ୍ତା ଓ ସହଜରେ ଭୋଟରଙ୍କ ନିକଟରେ ପହଞ୍ଚିବାପାଇଁ ପ୍ରାର୍ଥୀମାନେ ଏବେ ଫୋନ୍ କଲ୍ ପ୍ରଚାରର ସାହାରା ନେଇଛନ୍ତି । ଗୋଟିଏ ଅନୁରୋଧକୁ ରେକର୍ଡିଂ କରି ଏକାଥରରେ ହଜାର ହଜାର ଟେଲିଫୋନ୍ ନମ୍ବରକୁ ଛାଡୁଛନ୍ତି । ତେବେ ଏହା ଗୋଟିଏ ନମ୍ବର ବଦଳରେ ଏକାଧିକ ନମ୍ବରରୁ ପଠାଯାଉଛି । ଜଣେ ବ୍ୟକ୍ତି ଥରେ ଗୋଟିଏ ବାର୍ତ୍ତା ଶୁଣିବାର କେଇ ମିନିଟ୍ ମଧ୍ୟରେ ଆଉ ଗୋଟିଏ ନମ୍ବରରୁ ବାର୍ତ୍ତା ପଠାଯାଉଛି । ଫଳରେ ଲୋକେ ବିରକ୍ତ ହୋଇ ଗୋଟିଏ ଦୁଇଟି ନମ୍ବରକୁ ବ୍ଲକ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ଗୋଟିଏ ଦିନରେ ଜଣେ ଜଣେ ବ୍ୟକ୍ତିଙ୍କ ନିକଟକୁ ୧୫ରୁ ୨୦ଟି ଫୋନ୍ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ନିକଟକୁ ଆସୁଥିବାରୁ ବହୁ ଲୋକେ କେବଳ ବିରକ୍ତ ହେଉନାହାନ୍ତି, ସେମାନଙ୍କର ସମୟ ଓ ଗୁରୁତ୍ୱପୂର୍ଣର୍ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି । ଏହାର ସମାଧାନର କୌଣସି ବାଟ ମିଳୁନଥିବାବେଳେ ବେଳେବେଳ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆସୁଥିବା ଫୋନ୍ଗୁଡିକୁ ମଧ୍ୟ ନିର୍ବାଚନୀ ଫୋନ୍ ଭାବି ଧରୁ ନାହାନ୍ତି ।
ଗୋଟିଏ ପଟେ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଅଳ୍ପ ଅର୍ଥ ଖର୍ଚ୍ଚ କରି ଏକାଧିକ ଲୋକଙ୍କ ନିକଟରେ ପହଞ୍ଚୁଥିବାବେଳେ ଅନ୍ୟ ପଟେ ମୋବାଇଲ୍ କମ୍ପାନୀଗୁଡିକ ବି ଭଲ ରୋଜଗାର କରୁଛନ୍ତି । ହେଲେ ଅର୍ଥ ଶ୍ରାଦ୍ଧ କରି ଫୋନ୍ ରିଚାର୍ଜ କରୁଥିବା ହିତାଧିକାରୀର କଥାଟିକୁ କେହି ଭାବୁ ନାହାନ୍ତି । ଅବସ୍ଥା ଏଭଳି ହେଲାଣି ଯେ ଭୋଟ ସରିବା ପର୍ଯ୍ୟନ୍ତ ଫୋନ୍ ନଧରିବାପାଇଁ କିଛି ବ୍ୟକ୍ତି ମନସ୍ଥ କଲେଣି ।
କେବଳ ସ୍ୱୟଂକ୍ରିୟ ଭାବେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଫୋନ୍ ଆସୁନାହିଁ, କେତେକ ଦଳ ପକ୍ଷରୁ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ଫୋନ୍ କରାଯାଉଛି । ଏଥିପାଇଁ ବ୍ୟାପକ ଅର୍ଥ ବ୍ୟୟରେ ପିଲାଙ୍କୁ ନିଯୁକ୍ତି ବି ଦିଆଯାଇଛି । କେତେକ ପ୍ରାର୍ଥୀ କଲ୍ସେଣ୍ଟରଗୁଡିକୁ ଏହି ଦାୟିତ୍ୱ ଦେଇଛନ୍ତି । କେବେ ଏକାଧିକ ଫୋନ୍ ପାଇଁ ଅତ୍ୟନ୍ତ ବିରକ୍ତରେ ଥିବା ଲୋକେ ଫୋନ୍ କରୁଥିବା ପିଲାମାନଙ୍କୁ ଗାଳି ଦେବାକୁ ବି ପଛାଉ ନାହାନ୍ତି । ଯଦିଓ ଫୋନ୍ କରୁଥିବା ସେହି ପିଲାମାନେ ବୃତ୍ତିଗତ କାରଣରୁ କୌଣସି ପ୍ରତ୍ୟୁତ୍ତର ଦେଉ ନାହାନ୍ତି କିନ୍ତୁ ଏହାଦ୍ୱାରା ଖରାପ ବାତାବରଣ ସୃଷ୍ଟି ସହିତ ଲୋକଙ୍କ ମାନସିକ ସ୍ଥିତି ଉପରେ ଏହା କୁପ୍ରଭାବ ପକାଉଛି ।
ତେବେ ନିର୍ବାଚନ ସମୟରେ ଏତେ ସଂଖ୍ୟକ ଲୋକଙ୍କ ଫୋନ୍ ନମ୍ବର କିଭଳି ବିଭିନ୍ନ ଦଳର ପ୍ରାର୍ଥୀ କିମ୍ବା ସେମାନେ ପ୍ରଚାର ଦାୟିତ୍ୱ ଦେଇଥିବା ସଂସ୍ଥା ହାତକୁ ଯାଉଛି ତାହା ବଡ ପ୍ରଶ୍ନବାଚୀ ହୋଇଛି । କେବଳ ଫୋନ୍ ନମ୍ବର ଯାଇଛି ନା ଫୋନ୍ ନମ୍ବର ସହିତ ସଂଶ୍ଳିଷ୍ଟ ଅନ୍ୟାନ୍ୟ ତଥ୍ୟ ସେମାନଙ୍କ ନିକଟକୁ ଯାଇଛି ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଲାଣି । ଖୁବ୍ଶୀଘ୍ର ଟେଲିଫୋନ୍ କମ୍ପାନୀଗୁଡିକ ଏ ନେଇ ସ୍ପଷ୍ଟିକରଣ ରଖିବାକୁ ହିତାଧିକାରୀମାନେ ଦାବି କରୁଛନ୍ତି । (ତଥ୍ୟ)