Home News in Odia ବିଜେପିରେ ସମୀର ଦାସ

ବିଜେପିରେ ସମୀର ଦାସ

ଭୁବନେଶ୍ୱର : ନିମାପଡାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ଟିକଟରୁ ବଞ୍ଚିତ ହେଲାପରେ ଶ୍ରୀ ଦାସ ବିଜେପିରେ ମିଶିବା ନେଇ ଆଲୋଚନା ଚାଲିଥିଲା ।

ଲଗାତାର ଭାବେ ତିନି ତିନି ଥର ନିମାପଡା ବିଧାନସଭା ଆସନରୁ ଜିଣି ଆସୁଥିବା ସମୀରଙ୍କୁ କିନ୍ତୁ ବିଜେଡି ଏଥର ଟିକଟ ଦେଇନଥିଲା । ଟିକଟରୁ ବଞ୍ଚିତ ହେବାପରେ ସମୀର ନିମାପଡାରେ ଶକ୍ତି ପ୍ରଦର୍ଶନ ସହିତ ଶକ୍ତି ପ୍ରଦର୍ଶନ ଜରିଆରେ ନିଷ୍ପତ୍ତିର ପରିବର୍ତ୍ତନ ଲାଗି ଦଳୀୟ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇଥିଲେ ।

ସମୀର ନିଜର ଶକ୍ତି ପ୍ରଦର୍ଶନ କରୁଥିବାବେଳେ ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ସମୀରଙ୍କ ନାଁରେ ଗୁରୁତର ଅଭିଯୋଗ ଥିବାରୁ ଦଳ ତାଙ୍କୁ ଟିକଟ ଦେଲାନାହିଁ । ତେବେ ଏହି ଅଭିଯୋଗ କ’ଣ ତାହାକୁ ମନ୍ତ୍ରୀ ଖୋଲି ନଥିଲେ ।

ଟିକଟ ପାଇବାର ଶେଷ ଆଶା ମଉଳିବା ପରେ ସମୀରଙ୍କ ସମର୍ଥକମାନେ ବିଜେଡିରୁ ଇସ୍ତଫା ଦେଇଥିଲେ । ତେବେ ସମୀର ଦଳ ଛାଡିନଥିଲେ । ପରେ ବିଜେଡି ସମୀରଙ୍କୁ ଢେଙ୍କାନାଳ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିଲା ।

ହେଲେ ଦଳ ଉପରେ କ୍ଷୁବ୍ଧ ଥିବା ସମୀର ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତର ଗୋଟିଏ ଦିନ ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେଠାରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ପ୍ରଭାରୀ ବିଜୟ ପାଲସିଂହ ତୋମାରଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ ।

ବିଜେିରେ ମିଶିବା ପରେ ସମୀର ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ଉପରେ ଦଳୀୟ କର୍ତ୍ତୃପକ୍ଷଙ୍କର ଭରସା ପାଇଲାନି । ତେଣୁ ଏଭଳି ସ୍ଥିତିରେ ଦଳରେ ରହି କାମ କରିବା ସମ୍ଭବପର ନୁହେଁ । ନିମାପଡା ନିର୍ବାଚନ ସଂକ୍ରାନ୍ତରେ ସେ କହିଛନ୍ତି ଯେ ସେଠାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ବିଜୟକୁ କେହି ଅଟକାଇ ପାରିବେ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି । ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ଆଗାମୀ ଦିନରେ ସେ ତାହାକୁ ସୁଚାରୁରୂପେ ତୁଲାଇବେ ।