ଭୁବନେଶ୍ୱର : ରାଜ୍ୟ ପୋଲିସ୍ ପକ୍ଷରୁ ଜାମିନ୍ ବିିହୀନ ପରୱାନା (ଏନବିଡବ୍ଲ୍ୟୁ) ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଚଳିତମାସ ୭ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଅଳ୍ପ ସମୟ ମଧ୍ୟରେ ଏହାର ଅପରାଧୀଙ୍କୁ ଗିରଫ କରିବାରେ ପୋଲିସର ଫଳାଫଳ ବେଶ୍ ଭଲ ରହିଛି । ଚଳିତମାସ ୭ ତାରିଖଠାରୁ ୯ ତାରିଖ ମଧ୍ୟରେ ହୋଇଥିବା ଏହି ଅଭିଯାନରେ ଏପର୍ଯ୍ୟନ୍ତ ୯୭୩ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି । ସେଥି ମଧ୍ୟରୁ ୮୪୩ ଜଣଙ୍କୁ ଜେନେରାଲ ରେଜିଷ୍ଟର୍ (ଜି.ଆର୍) ଏବଂ ସେସନଟ୍ରାଏଲ୍ (ଏସ୍.ଟି) ମାମଲାରେ ଗିରଫ ଏବଂ କୋର୍ଟ ଚାଲାଣ କରାଯାଇଛି ।
ଏହି ତିନି ଦିନ ମଧ୍ୟରେ ଗଞ୍ଜାମ, ନୟାଗଡ଼, କଟକ, ବାଲେଶ୍ୱର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରୁ ବହୁ ସଂଖ୍ୟାରେ ଅପରାଧୀଙ୍କୁ ଗିରଫ କରାଯାଇଛି । ଏହି ଅଭିଯାନ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବବୋଲି ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।