Home Election ଭୋଟ ପାଇଁ ମନ୍ତ୍ରୀ ପଦ ଥୋପ

ଭୋଟ ପାଇଁ ମନ୍ତ୍ରୀ ପଦ ଥୋପ

ଭୁବନେଶ୍ୱର : ରାଜ୍ୟରେ ଏବେ ଆଉ ତିନି ପର୍ଯ୍ୟାୟ ମତଦାନ ଲାଗି ଜୋରସୋରରେ ନିର୍ବାଚନ ପ୍ରଚାର ଚାଲିଥିବାବେଳେ ଭୋଟରମାନଙ୍କୁ ମନ୍ତ୍ରୀ ପଦ ଲୋଭ ଦେଖାଯାଉଛି । ସେମାନଙ୍କ ପ୍ରାର୍ଥୀ ଜିତିଲେ କେନ୍ଦ୍ର ଓ ରାଜ୍ୟରେ ମନ୍ତ୍ରୀ ପଦ ପାଇବେ ବୋଲି ବିଭିନ୍ନ ଦଳ ଏବେ ଲୋକଙ୍କୁ ବୁଝାଇ ଭୋଟ ଭିକ୍ଷା କରିବାରେ ଲାଗିଛନ୍ତି ।

ବିଜେପି କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ କରିବ ଏବଂ ଏଠାରୁ ବିଜେପି ସାଂସଦମାନେ ନିର୍ବାଚିତ ହେଲେ କେନ୍ଦ୍ରରେ ମନ୍ତ୍ରୀ ହେବେ ବୋଲି ଲୋକଙ୍କୁ କୁହାଯାଉଛି । ଏପରିକି କିଏ କିଏ କେନ୍ଦ୍ରରେ କେଉଁ ବିଭାଗର ମନ୍ତ୍ରୀ ହେବେ ସେଥିନେଇ ଗୁଜବ ଉଡିବାରେ ଲାଗିଛି । ଏହାଦ୍ୱାରା ଲୋକେ ନିଜ ସାଂସଦ ମନ୍ତ୍ରୀ ପଦ ପାଇବା ଲୋଭରେ ଭୋଟ ଦେଇଦେବେ ବୋଲି ଦଳୀୟ ପ୍ରଚାରକମାନେ ଭାବିଛନ୍ତି ।

ଉଲ୍ଲେଖନୀୟ କେନ୍ଦ୍ରରେ ବିଜେପି ସରକାର ଗଠନ ପାଇଁ ଲୋକସଭାରେ ୪୦୦ ପାର୍‍ ଆସନ ପାଇବାର ଡାକରା ଦେଇଛି । ଯଦିଓ ଇଣ୍ଡି ମେଣ୍ଟ ଏହାର ବାଟ ଓଗାଳୁଛି କିନ୍ତୁ କେନ୍ଦ୍ରରେ ସରକାର ଗଠନ ନିଶ୍ଚିତ ବୋଲି ବିଜେପି ପ୍ରଚାରକମାନେ ଜୋରସୋରରେ କହୁଛନ୍ତି । ନିଜ ନିଜ ସାଂସଦଙ୍କୁ କେନ୍ଦ୍ରକୁ ପଠାଇ ସେଠାରେ ସରକାରରେ ସାମିଲ ପାଇଁ ଆହ୍ୱାନ ଦେଉଛନ୍ତି ।

ସେହିଭଳି ରାଜ୍ୟରେ ସରକାର ଗଠନ ପାଇଁ ଉଭୟ ବିଜେପି ଓ ବିଜେଡି ତାରିଖ ଓ ସମୟ ଘୋଷଣା କରିବା ସହିତ ଲୋକଙ୍କୁ ନିମନ୍ତ୍ରଣ ଦେଇଥିବାରୁ ପ୍ରାର୍ଥୀମାନେ ଜିଣିଲେ ରାଜ୍ୟ ସରକାରରେ ମନ୍ତ୍ରୀ ହେବେ ବୋଲି ସେମାନଙ୍କ ସମର୍ଥକମାନେ ବୁଝାଇବା ଆରମ୍ଭ କରିଛନ୍ତି । ଏପରିକି କିଏ ଜିଲ୍ଲା କୋଟାରେ ମନ୍ତ୍ରୀ ହେବ ତ ଆଉ କିଏ ମହିଳା କୋଟାରେ ମନ୍ତ୍ରୀ ହେବବୋଲି କହି ବୁଲିଲେଣି । ଏପରିକି ଯେତେ ଅଧିକ ଭୋଟରେ ସେମାନେ ଜିଣିବେ ସେହି ଅନୁଯାୟୀ ଓଜନିଆ ବିଭାଗର ମନ୍ତ୍ରୀପଦ ପାଇବେ ବୋଲି ବି ପ୍ରଚାର ହେଉଛି ।

ଏହି ମନ୍ତ୍ରୀ ପଦ ଥୋପ ଭୋଟରମାନେ କେତେ ଗିଳିବେ ତାହାର କୌଣସି ସୂଚନା ନଥିବାବେଳେ ଓଡିଶାରୁ କିନ୍ତୁ କେନ୍ଦ୍ର ସରକାରରେ ମାତ୍ର ଜଣେ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁ ମନ୍ତ୍ରୀ ଅଛନ୍ତି । ହେଲେ ବିଜେପି ଏଥର ତାଙ୍କୁ ଟିକଟ ଦେଇନାହିଁ । ଅନ୍ୟଜଣେ ସାଂସଦ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ଯାଇ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି । ଆଉ ଜଣେ ଓଡିଆ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ସେ ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଉଲ୍ଲେଖନୀୟ ଯେ ଗତ ନିର୍ବାଚନରେ ଓଡିଶାରୁ ୮ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଥିବାବେଳେ ବିଶେଶ୍ୱର ଟୁଡୁ ଓ ପ୍ରତାପ ଷଡଙ୍ଗୀ ମନ୍ତ୍ରୀପଦ ପାଇଥିଲେ । ତେବେ ପ୍ରତାପଙ୍କ ମନ୍ତ୍ରୀପଦ ପରବର୍ତ୍ତୀ ସମୟରେ ଚାଲିଯାଇଥିଲା । ସେହିଭଳି ରାଜ୍ୟ ବିଧାନସଭାରେ ୧୪୭ ଟି ଆସନ ଥିବାବେଳେ ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସୁଯୋଗ ମିଳିପାରିବ ।

କେନ୍ଦ୍ରରେ ଓଡିଶାର ସାଂସଦମାନଙ୍କୁ ସେଭଳି ସୁଯୋଗ ମିଳୁନଥିବାବେଳେ ରାଜ୍ୟରେ ବି ମମସ୍ତ ଆଶାୟୀଙ୍କୁ ମନ୍ତ୍ରୀପଦ ଦେବା ସମ୍ଭବ ନୁହେଁ । ଏଭଳି ସ୍ଥିତିରେ ଭୋଟ ହାତେଇବାପାଇଁ କିନ୍ତୁ ଏବେ ଭୋଟରଙ୍କୁ ଉଭୟ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ମନ୍ତ୍ରୀପଦ ଥୋପ ଦେଖାଇବାରେ ଲାଗିଛନ୍ତି । ଭୋଟରମାନେ ଏହାକୁ କେତେଦୂର ଗ୍ରହଣ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)