ଭୁବନେଶ୍ୱର : ସ୍ୱାଧୀନତାପ୍ରାପ୍ତିର ୭୭ବର୍ଷ ଭିତରେ ଅବିଭକ୍ତ ବଲାଙ୍ଗିର, ଫୁଲବାଣୀ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ହେଲେ କେହି ନେତା କେନ୍ଦ୍ର ସରକାରରେ ମନ୍ତ୍ରୀ ହୋଇପାରି ନାହାନ୍ତି । ଚଳିତ ଲୋକସଭା ନିର୍ବାଚନ ପରେ କେନ୍ଦ୍ରରେ ଯେଉଁ ସରକାର ହେବ ସେଥିରେ ବଲାଙ୍ଗିର, ସୋନପୁର, ବୌଦ, କନ୍ଧମାଳ ଓ କେନ୍ଧୁଝର ଜିଲ୍ଲାରୁ ଯେ କେହି କେନ୍ଦ୍ର ମନ୍ତ୍ରୀପରିଷଦରେ ସ୍ଥାନ ପାଇବେ ସେଥିଘେନି କିଛି ପ୍ରାର୍ଥୀ ଆଶାବାନ୍ଧି ବସିଛନ୍ତି ।
ଅବିଭକ୍ତ ପୁରୀ, କଟକ, ଗଞ୍ଜାମ, କୋରାପୁଟ, ବାଲେଶ୍ୱର, ସୁନ୍ଦରଗଡ, ସମ୍ବଲପୁର, କଳାହାଣ୍ଡି, ମୟୁରଭଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ସାଂସଦମାନେ ବହୁବାର କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଛନ୍ତି । ଏମିତିକି ଏହି ଜିଲ୍ଲାଗୁଡିକରୁ ଯାଇଥିବା କେତେକ ରାଜ୍ୟସଭା ସାଂସଦ ମଧ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି । ଅଥଚ ରାଜନୈତିକ ପତିଆରାର ଅଭାବ ଏବଂ ଦଳୀୟ ନେତୃତ୍ୱଙ୍କର ଅବିଭକ୍ତ, ବଲାଙ୍ଗିର, ଫୁଲବାଣୀ ଓ କେନ୍ଦୁଝର ଜିଲ୍ଲାର ନେତୃତ୍ୱଙ୍କ ସହ ସମ୍ପର୍କର ଅଭାବ ଯୋଗୁଁ ବୋଧହୁଏ ଏଠାରୁ ଏଯାବତ୍ କେହି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରି ନାହାନ୍ତି । ତେବେ ଚନ୍ଦ୍ରଶେଖରଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଫୁଲବାଣୀ ଜିଲ୍ଲାରୁ ନିର୍ବାଚିତ ହୋଇଥିବା ସାଂସଦ ନକୁଳ ନାୟକ ପ୍ରଧାନମନ୍ତ୍ରୀଙ୍କ ପାର୍ଲ୍ୟାମେଣ୍ଟାରୀ ସେକ୍ରେଟାରୀ ହେବାର ସୁଯୋଗ ପାଇଥିଲେ ।
୧୯୫୦ରେ ହରେକୃଷ୍ଣ ମହାତାବ କେନ୍ଦ୍ର କ୍ୟାବିନେଟରେ ପ୍ରଥମ ଓଡିଆ ମନ୍ତ୍ରୀ ଭାବେ ଯୋଗଦେଇ ବର୍ଷକରୁ କମ୍ ସମୟ ପାଇଁ କାମ କରିଥିଲେ । ପରେ ପରେ ଅନ୍ୟ ଜିଲ୍ଲାର ସାଂସଦମାନେ ଏକାଧିକବାର କେନ୍ଦ୍ରମନ୍ତ୍ରୀ ହୋଇଥିଲେ ମଧ୍ୟ ଉପରୋକ୍ତ ତିନିଟି ଜିଲ୍ଲା ଏଥିରୁ କ୍ରମାଗତ ଭାବେ ବାଦ୍ ପଡିଆସୁଛି । ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଯେ ଅତୀତରେ କଂଗ୍ରେସ ଓ ଜନତାପାର୍ଟି ସରକାର ସମୟରେ ବଲାଙ୍ଗିର ରାଜ ପରିବାର ଭିନ୍ନ ଦଳରେ ଥିବାରୁ ଗଣତନ୍ତ୍ର, ସ୍ୱତନ୍ତ୍ର କିମ୍ବା ଲୋକଦଳ ଟିକଟରେ ନିର୍ବାଚିତ ହୋଇଥିବା ଏହି ଜିଲ୍ଲାର ସାଂସଦମାନେ ମନ୍ତ୍ରୀ ହୋଇପାରି ନଥିଲେ । ତେବେ କଂଗ୍ରେସ ସରକାର ସମୟରେ ବି ନିତ୍ୟାନନ୍ଦ ମିଶ୍ର ଓ ଶରତ ପଟ୍ଟନାୟକଙ୍କ ଭଳି ପ୍ରଭାବଶାଳୀ ନେତାମାନେ ସାଂସଦ ହୋଇଥିଲେ ମଧ୍ୟ ସେମାନଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନଥିଲା ।
କେନ୍ଦୁଝର ଓ ଫୁଲବାରୀ ଜିଲ୍ଲାରେ ବହୁବାର କଂଗ୍ରେସ, ଜନତା, ବିଜେଡି ଓ ବିଜେପି ଟିକଟରେ ବହୁ ଜଣାଶୁଣା ନେତା ନିର୍ବାଚିତ ହୋଇଛନ୍ତି । ତେବେ କୌଣସି କାରଣରୁ ଏମାନଙ୍କ ମଧ୍ୟରୁ କାହାକୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏଯାବତ୍ ନିଆଯାଇ ନାହିଁ । ସ୍ୱାଧୀନତାର ୭୭ବର୍ଷ ଭିତରେ ଅବିଭକ୍ତ, ବଲାଙ୍ଗିର, ଫୁଲବାଣୀ ଓ କେନ୍ଦୁଝର ଜିଲ୍ଲାରୁ କେହି କେନ୍ଦ୍ର ମନ୍ତ୍ରୀପରିଷଦରେ ସ୍ଥାନ ପାଇନଥିବା ପରିପ୍ରେକ୍ଷୀରେ ଜିଣିଲେ କେନ୍ଦ୍ରମନ୍ତ୍ରୀ ହେବେ ବୋଲି ବିଭିନ୍ନ ଦଳର ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ କହୁଛନ୍ତି । ତେବେ ନୂଆ ସରକାରର ପ୍ରଧାନମନ୍ତ୍ରୀଙ୍କର କିଏ ବିଶ୍ୱାସଭାଜନ ହେଉଛି ଏବଂ ଏହି ତିନି ଜିଲ୍ଲାରୁ କେଉଁ ଦଳର ପ୍ରାର୍ଥୀ ଲୋକସଭାକୁ ଜିଣୁଛନ୍ତି ତାହା ଉପରେ ମନ୍ତ୍ରୀମଣ୍ଡଳ ଗଣିତ ନିର୍ଭର କରେ । (ତଥ୍ୟ)