Home Administration ସଂରକ୍ଷିତ ପ୍ରାର୍ଥୀ ପଦୋନ୍ନତିରୁ ବଞ୍ଚିତ

ସଂରକ୍ଷିତ ପ୍ରାର୍ଥୀ ପଦୋନ୍ନତିରୁ ବଞ୍ଚିତ

ଭୁବନେଶ୍ୱର : ସରକାରୀ ଚାକିରି କ୍ଷେତ୍ରରେ ଅଣସଂରକ୍ଷିତ ବା ସାଧାରଣବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ । ଅଣସଂରକ୍ଷିତ ପଦ ପଦବୀଗୁଡିକ ଲାଗି ସଂରକ୍ଷିତ ବର୍ଗର ଯୋଗ୍ୟ ପ୍ରାର୍ଥୀମାନେ ମଧ୍ୟ ପ୍ରତିଯୋଗିତା କରିପାରିବେ । ଏମିତିକି ବରିଷ୍ଠତା, ଯୋଗ୍ୟତା ଓ ଅନ୍ୟାନ୍ୟ ଚାକିରି ସର୍ତ୍ତାବଳୀ ପୁରଣ କରୁଥିଲେ ଅଣସଂରକ୍ଷିତ ପଦବୀକୁ ବି ସଂରକ୍ଷିତବର୍ଗର ପ୍ରାର୍ଥୀ ପଦୋନ୍ନତି ପାଇପାରିବେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏଭଳି ସ୍ପଷ୍ଟ ନିର୍ଦ୍ଦେଶନାମା ଥିବା ଏବଂ ଏହି ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟଙ୍କ ସ୍ପଷ୍ଟ ରାୟର ଅନୁପାଳନ ହେଉଥିବା ସତ୍ତ୍ୱେ କେତେକ କ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ ପେଞ୍ଚ କରି ସଂରକ୍ଷିତ ବର୍ଗର ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଓ ପଦୋନ୍ନତିରୁ ବଞ୍ଚିତ କରୁଥିବା ଘେନି ଗୁରୁତର ଅଭିଯୋଗମାନ ବାରମ୍ବାର ଆସୁଛି ।

ଓଡ଼ିଶାରେ ଏବେ ଚାକିରି କ୍ଷେତ୍ରରେ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସାମ୍ବିଧାନିକ ବିଧିବ୍ୟବସ୍ଥା ମୁତାବକ ଜନସଂଖ୍ୟା ଆଧାରରେ ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୧୬.୨୫ ପ୍ରତିଶତ ଆସନ ସଂରକ୍ଷଣ ଥିବାବେଳେ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ଓ ଜଷ୍ଟିସ ନବକିଶୋର ଦାସ କମିଶନଙ୍କ ସୁପାରିସ ଆଧାରରେ ଅନ୍ୟ ପଛୁଆବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ଆସନ ସଂରକ୍ଷଣ ରଖାଯାଇ ମୋଟ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରେ ସୀମିତି ରଖାଯାଇଛି ।

ସଂରକ୍ଷିତ ବର୍ଗର ପ୍ରାର୍ଥୀ ଅଣସଂରକ୍ଷିତ ଆସନରୁ ନିର୍ବାଚନ ଲଢିପାରିବେ ବୋଲି ଭି. ଭି. ଗିରି ବନାମ ଡି. ଏସ୍‍. ଦୋରା ମାମଲାରେ ସୁପ୍ରିମ୍‍କୋର୍ଟ ୫୦ ଦଶକରେ ସ୍ପଷ୍ଟ କରିଦେଇଥିଲେ । ବହୁଚର୍ଚ୍ଚିତ ଇନ୍ଦ୍ରା ସାୱାନି ମାମଲାରେ ୯୦ ଦଶକରେ ମଧ୍ୟ ସୁପ୍ରିମ୍‍କୋର୍ଟଙ୍କ ଏକ ସାମ୍ବିଧାନିକ ବେଞ୍ଚ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ଅଣସଂରକ୍ଷିତ ଆସନ ଗୁଡିକ ସମସ୍ତଙ୍କ ପାଇଁ ମୁକ୍ତ ଥିବାରୁ ପଛୁଆବର୍ଗ, ଏସ୍‍ସି ଏସ୍‍ଟି ଆଦିର ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଏ କ୍ଷେତ୍ରରେ ପଦୋନ୍ନତି ଓ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ନିଆଯାଇପାରିବ ।

ଆର୍‍. କେ. ସଭରୱାଲ ମାମଲାରେ ଆଉ ପାହାଚେ ଆଗକୁ ଯାଇ ସୁପ୍ରିମ୍‍କୋର୍ଟ କହିଛନ୍ତି ଯେ ସଂରକ୍ଷିତବର୍ଗଙ୍କ ଲାଗି ଉଦ୍ଦିଷ୍ଟ ରୋଷ୍ଟର ପଏଣ୍ଟରେ କେବଳ ସଂରକ୍ଷିତବର୍ଗର ପ୍ରାର୍ଥୀ ରହିପାରିବେ ତେବେ ଅଣସଂରକ୍ଷିତ ରୋଷ୍ଟର ପଏଣ୍ଟ ପାଇଁ ବି ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଯୋଗ୍ୟତା ଭିତ୍ତିରେ ଅନ୍ୟମାନଙ୍କ ସହ ନିଆଯାଇପାରିବ । ବୀର୍‍ପାଲ୍‍ ସିଂ ଚୌହାନ, ଏମ୍‍. ନାଗରାଜ୍‍, ରାଜେଶ କୁମାର ଦରିଆ, ସୌରଭ ଯାଦବ ଆଦି ବହୁ ମାମଲାରେ ସୁପ୍ରିମ୍‍କୋର୍ଟ ବାରମ୍ବାର ସ୍ପଷ୍ଟ କରିଦେଇଛନ୍ତି ଯେ ସଂରକ୍ଷିତ ବର୍ଗର ଯୋଗ୍ୟ ପ୍ରାର୍ଥୀଙ୍କୁ ବରିଷ୍ଠତା, ଦକ୍ଷତା ଓ ଯୋଗ୍ୟତା ଆଧାରରେ ଅଣସଂରକ୍ଷିତ ଆସନ ପାଇଁ ବଛା ନଗଲେ ତାହା ସମ୍ବିଧାନ ପ୍ରଦତ୍ତ ସମାନତା ଅଧିକାରର ଉଲ୍ଲଂଘନ କରିବ ।

ସୁପ୍ରିମ୍‍କୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାର ୨୦୧୦ ଜୁନ୍‍ ମାସରେ ସ୍ପଷ୍ଟ କରିଦେଇଥିଲେ ଯେ ଅଣସଂରକ୍ଷିତ ଆସନ ସମସ୍ତଙ୍କ ପାଇଁ ମୁକ୍ତ ଥିବାବେଳେ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ପ୍ରସଙ୍ଗରେ ଅନ୍ୟମାନଙ୍କ ସହ ଯୋଗ୍ୟ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ମଧ୍ୟ ଏହି ପଦବୀରେ ନିଯୁକ୍ତି ଦିଆଯାଇପାରିବ । ୧୯୯୯, ୨୦୦୭, ୨୦୧୯ବର୍ଷରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ବିଭାଗ ମଧ୍ୟ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲାପାଳମାନଙ୍କୁ ଜଣାଇ ଦେଇଛନ୍ତି ଯେ ଅଣସଂରକ୍ଷିତ ଆସନ ଗୁଡିକ କୌଣସି ନିର୍ଦ୍ଦିଷ୍ଟ ବର୍ଗପାଇଁ ସଂରକ୍ଷିତ ନୁହେଁ । ସାଧାରଣବର୍ଗର ପ୍ରାର୍ଥୀଙ୍କ ସମେତ ସଂରକ୍ଷିତବର୍ଗର ପ୍ରାର୍ଥୀମାନଙ୍କ ନିଯୁକ୍ତି ଓ ପଦୋନ୍ନତି ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଆଧାରରେ କରାଯାଇପାରିବ ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ପ୍ରକାର ନୀତିନିୟମ ମାନୁଛନ୍ତି । ତେବେ ସୁପ୍ରିମ୍‍କୋର୍ଟଙ୍କ ରାୟ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାର ଖୋଲା ଉଲ୍ଲଘଂନ କରାଯାଇ କେତେକ ଜିଲ୍ଲା ଓ କ୍ଷେତ୍ର ଦପ୍ତରରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସେମାନଙ୍କ ନାର୍ଯ୍ୟ ଅଧିକାରରୁ ପଦୋନ୍ନତି କ୍ଷେତ୍ରରେ ବଞ୍ôଚତ କରାଯାଉଛି । ଏ ପ୍ରସଙ୍ଗରେ ବାରମ୍ବାର ଆଇନ ଅଦାଲତରେ ମଧ୍ୟ ମାମଲା ରୁଜୁ କରାଯାଇ ସରକାରଙ୍କୁ କାଠଗଡ଼ାକୁ ଟଣା ଯାଉଛି । ଏଭଳି ଯେତେ ଅଭିଯୋଗ ରହିଛି ତାହାର ତ୍ୱରିତ ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ବିଭିନ୍ନ କର୍ମଚାରୀ ସଂଘ ଏବଂ ସଂରକ୍ଷିତ ବର୍ଗର ସଂଘଗୁଡିକ ପକ୍ଷରୁ କୁହାଯାଉଛି । (ତଥ୍ୟ)