ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ଏଥିରେ ୬ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏହି ଛଅ ଜଣଙ୍କ ମଧ୍ୟରେ ୫ଜଣ ନୂଆ ମୁହଁ ହୋଇଥିବାବେଳେ କାକଟପୁର ଆସନରୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜର ଆସନ ବଜାୟ ରଖିବାରେ ସଫଳ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ରାର୍ଥୀ ତାଳିକାରେ କାକଟପୁରରୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରାର୍ଥୀ ହୋଇଥିବାବେଳେ ଢେଙ୍କାନାଳ ସାଂସଦ ମହେଶ ସାହୁ ହିନ୍ଦୋଳରୁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ବରୀରୁ ବିଶ୍ୱ ରଞ୍ଜନ ମଲ୍ଲିକ, ବାଲିକୁଦା-ଏରସାମରୁ ସାରଦା ଜେନା, ରଘୁନାଥପାଲିରୁ ଅର୍ଚ୍ଚନା ବେହେରା, ବାଙ୍ଗିରିପୋଷିରୁ ରଞ୍ଜିତା ମାରାଣ୍ଡି ପ୍ରାର୍ଥୀ ହୋଇଛନ୍ତି ।
ବାଲିକୁଦା ଏରସମା ଆସନରୁ ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ଦାସ ବାଦ୍ ପଡିଥିବାବେଳେ ହିନ୍ଦୋଳରୁ ବିଧାୟିକା ସୀମାରାଣୀ ନାୟକ, ବରୀରୁ ସୁନନ୍ଦା ଦାସ, ରଘୁନାଥପାଲ୍ଲୀରୁ ସୁବ୍ରତ ତରାଇ ବାଦ୍ ପଡିଛନ୍ତି । ସୁବ୍ରତ ତରାଇଙ୍କ ସ୍ଥାନରେ ତାଙ୍କ ପତ୍ନୀ ଅର୍ଚ୍ଚନା ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି । ସେହଭଳି ବାଙ୍ଗିରିପୋଷିର ବିଧାୟକ ଥିବା ମନ୍ତ୍ରୀ ସୁଦାମ ମାରାଣ୍ଡି ମୟୁରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେଡି ସେହି ଆସନରେ ତାଙ୍କ ଧର୍ମପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି ।
ଆଜି ଏହି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ବିଜେଡି ମୋଟ୍ ୧୪୧ଟି ବିଧାନସଭା କ୍ଷେତ୍ର ଓ ୨୧ଟି ଯାକ ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଆଉ ୬ଟି ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି ।