ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ମାସ ୨୫ ତାରିଖରୁ ସମସ୍ତ ବିଦ୍ୟାଳୟ ପାଇଁ ଖରାଛୁଟି ଘୋଷଣା କରିଛନ୍ତି । ୨୨ ତାରିଖରୁ ତିନି ଦିନ ଅର୍ଥାତ୍ ୨୪ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡିକ ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲିବ । ଏହାପରେ ଖରାଛୁଟି ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଉଲ୍ଲେଖନୀୟ ଯେ ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଚାଲିଥିବା ଯୋଗୁଁ ସରକାର ୧୮ ତାରିଖରୁ ତିନି ଦିନ ପାଇଁ ବିଦ୍ୟାଳୟଗୁଡିକୁ ଛୁଟି ଘୋଷଣା କରିଥିଲେ । ତେବେ ଏହି ଛୁଟି ସମୟରେ କେତେକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନ୍ରେ ପାଠପଢା ଜାରି ରଖିଛନ୍ତି ।
ତେବେ ଖରାଛୁଟିସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ ।
ରାଜ୍ୟରେ ଏବେ ଦିନର ତାପମାତ୍ରା ୪୫ ଡିଗ୍ରୀକୁ ଟପିଥିବାବେଳେ ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରେକର୍ଡ କରାଯାଉଛି । ଏଭଳି ଖରା ଓ ଝାଞ୍ଜିରେ ପିଲମାନେ ବିଦ୍ୟାଳୟକୁ ଆସି ପାଠ ପଢିବା ଓ ଖରାରେ ଯିବା ମୁସ୍କିଲ ହୋଇ ପଡୁଛି ।
ଇତି ମଧ୍ୟରେ ରାଜ୍ୟରେ ଦୁଇ ଦୁଇଟି ଅଂଶୁଘାତ ଅଭିଯୋଗ ଆସିଥିବାବେଳେ ଖରା ସମୟରେ ଶ୍ରମିକମାନଙ୍କ କାର୍ଯ୍ୟ କରିବାକୁ ସରକାର ବାରଣ କରିଛନ୍ତି ।