ଭୁବନେଶ୍ୱର : ରାଜ୍ୟରେ ଜଙ୍ଗଲରେ ନିଆଁ ଲାଗିବା ସେଭଳି ଚିନ୍ତାର ବିଷୟ ନୁହେଁ, କାରଣ ଗତବର୍ଷ ତୁଳନାରେ ଜଙ୍ଗଲରେ ନିଆଁ ଲାଗିବାର ସଂଖ୍ୟା ବହୁତ କମ୍ ରହିଛି। ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି ଯେ ମୋଟ ଜଙ୍ଗଲ ନିଆଁର ପ୍ରାୟ ୯୯ ପ୍ରତିଶତ ମାନବ କୃତ।
ଗତବର୍ଷ ତୁଳନାରେ ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବାର ପରିମାଣ ବହୁତ କମ୍ ରହିଛି। ଗତବର୍ଷ ଏପ୍ରିଲ ୧୭ ତାରିଖ ସୁଦ୍ଧା ୩୧,୨୧୦ଟି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ମାତ୍ର ୧୧,୩୬୭ଟି ସ୍ଥାନରେ ନିଆଁ ଲାଗିଛି।
ଜଙ୍ଗଲ ନିଆଁ ଲିଭାଇବା ପାଇଁ ଆମେ ସମସ୍ତ ପଦକ୍ଷେପ ନେଉଛୁ। ରାଜ୍ୟରେ ନିଆଁ ଲିଭାଇବା ପାଇଁ ୩୭୦ଟି ଫରେଷ୍ଟ ଅଗ୍ନିଶମ ସ୍କ୍ବାଡ୍ ନିୟୋଜିତ ହୋଇଛନ୍ତି। ଯେଉଁଥିପାଇଁ ୩୩୦ଟି ଗାଡିର ବ୍ୟବସ୍ଥା କରାଯାଇଛି । ସ୍କ୍ୱାଡ୍ ପାଇଁ ପର୍ଯ୍ୟାପ୍ତ ଗ୍ଲୋଭ୍ସ, ସୁରକ୍ଷା କିଟ୍ ଯୋଗାଇ ଦିଆଯାଉଛି ବୋଲି ପିସିସିଏଫ୍ କହିଛନ୍ତି।
ସମୁଦାୟ ୨୪୦୦ ସୁରକ୍ଷା ବନ୍ଧୁଙ୍କୁ ୪୮୦୦ ଗ୍ଲୋଭ୍ସ ଦିଆଯାଇଛି। ଟେକ୍ନୋଲୋଜି ସହାୟତାରେ ଗାର୍ଡ ଲେବଲ ପର୍ଯ୍ୟନ୍ତ ପ୍ରାୟ ୧୦ ହଜାର କର୍ମଚାରୀଙ୍କ ମୋବାଇଲ ଓଏମଏଫଏସ ପୋର୍ଟାଲରେ ପଞ୍ଜୀକୃତ ହୋଇଛି ।
ଯେଉଁଠାରେ ନିଆଁ ଲାଗିଛି, ସେଠାରେ କେଉଁ ସ୍ଥାନରେ ନିଆଁ ଲାଗିଛି ତାହାର ସୂଚନା ଉପଗ୍ରହରୁ ତୁରନ୍ତ ମିଳିଥାଏ। ଗତବର୍ଷ ତୁଳନାରେ ଅଗ୍ନିକାଣ୍ଡ ପ୍ରଭାବିତ ଅଞ୍ଚଳ ହ୍ରାସ ପାଇଛି। ପୂର୍ବରୁ ଅଗ୍ନିକାଣ୍ଡ ପରେ କ୍ଷତିଗ୍ରସ୍ତ ଅଞ୍ଚଳ ୫ ପଏଣ୍ଟରେ ଥିବା ବେଳେ ଏବେ ଏହା ୨୫ ପଏଣ୍ଟରେ ପହଞ୍ଚିଛି।
ପିସିସିଏଫ୍ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଅଗ୍ନିକାଣ୍ଡ ପଛରେ ଲୋକଙ୍କ ହାତ ଥିବା ଖବର ମିଳିଲେ ତୁରନ୍ତ ଏଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଜଙ୍ଗଲରେ ଚାଷ, କେନ୍ଦୁପତ୍ର, ପୂଜା ପାଇଁ ଲୋକେ ନିଆଁ ଲଗାଉଛନ୍ତି।
ପ୍ରତିବର୍ଷ ଲୋକଙ୍କ ବିରୋଧରେ ପ୍ରାୟ ୧୦୦ଟି ମାମଲା ରୁଜୁ ହୋଇଥାଏ। ରାଜ୍ୟର ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଜୟପୁର ଆଦି ଜିଲ୍ଲାରେ ଅଗ୍ନିକାଣ୍ଡ ଅଧିକ ହେଉଥିବାରୁ ଲୋକଙ୍କୁ ସଚେତନ କରିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।