Home Election ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାର ୨୧ଟି ଲୋକସଭା କ୍ଷେତ୍ର ମଧ୍ୟରୁ ଚାରୋଟି ଓ ୧୪୭ଟି ବିଧାନସଭା ଆସନ ଭିତରୁ ୨୮ଟି ଲାଗି ପ୍ରାର୍ଥୀପତ୍ର ଦାଖଲ ଆଜିଠାରୁ ଆରମ୍ଭ ହୋଇଛି । ଚଳିତମାସ ୨୪ ତାରିଖ ପର୍ଯ୍ୟନ୍ତ ଏହି ଆସନ ଗୁଡିକ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ପ୍ରାର୍ôଥପତ୍ର ଦାଖଲ କରିପାରିବେ ।

ଏହି ଚାରୋଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଚଳିତମାସ ୨୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ପରେ ୨୯ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ କାର୍ଯ୍ୟକ୍ରମ ରହିଛି । ଏହି ଆସନ ଗୁଡିକ ଲାଗି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ମଇ ୧୩ ତାରିଖରେ ୭୨୮୯ଟି ବୁଥ୍‍ ମାଧ୍ୟମରେ ମତ ଗ୍ରହଣ କରାଯିବ ।

ଓଡ଼ିଶାର ଯେଉଁ ଆସନଗୁଡିକ ପାଇଁ ଆଜିଠାରୁ ପ୍ରାର୍ôଥପତ୍ର ଦାଖଲ ଆରମ୍ଭ ହୋଇଛି ସେଗୁଡିକ ହେଲା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଏବଂ ଏହା ଅନ୍ତର୍ଭୁକ୍ତ ବିଧାନସଭା ନିର୍ବାଚନମଣ୍ଡଳୀ । କଳାହାଣ୍ଡି ଲୋକସଭା କ୍ଷେତ୍ର ମଧ୍ୟରେ ନୂଆପଡ଼ା, ଖଡିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ବିଧାନସଭା କ୍ଷେତ୍ର ରହିଥିବାବେଳେ ନବରଙ୍ଗପୁର ଲୋକସଭା କ୍ଷେତ୍ର ମଧ୍ୟରେ ରହିଛି ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ।

ସେହିପରି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ମଧ୍ୟରେ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ଥିବାବେଳେ କୋରାପୁଟ ଲୋକସଭା ଆସନ ପରିସର ମଧ୍ୟରେ ରହିଛି ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟ୍ଟାଙ୍ଗୀ ବିଧାନସଭା କ୍ଷେତ୍ର । ମୋଟାମୋଟି ଭାବେ କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲ୍ଲାର ପ୍ରାୟ ସମସ୍ତ ଆସନ ଲାଗି ପ୍ରଥମ ପର୍ଯ୍ୟାୟରେ ମତ ଗ୍ରହଣ କରାଯିିବ । ଏହାଛଡ଼ା ଗଞ୍ଜାମ ଜିଳ୍ଲାର କେତେକ ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ଓ ଆଉ କେତେକରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ହେବ ।

ସଂଗୃହୀତ ତଥ୍ୟ ମୁତାବକ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ ସମେତ ରିଟର୍ଣ୍ଣିଂ ଅଫିସର ଓ ଅନ୍ୟ ଅଧିକାରୀମାନେ ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବିଶେଷ କରି ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଓଡ଼ିଶାରେ ଯେଭଳି ମତଦାନ ହାର ଅଧିକ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ନିର୍ବାଚନ ପରିଚାଳନାକୁ ନିରପେକ୍ଷ, ଅବାଧ ଓ ସ୍ୱଚ୍ଛ ରଖିବା ଲାଗି ସମସ୍ତ ସମ୍ଭାବ୍ୟ ପଦକ୍ଷେପ କର୍ତ୍ତୃପକ୍ଷ ଗ୍ରହର କରୁଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷାବଳର ମଧ୍ୟ ସହାୟତା ନିଆଯାଉଛି ।

ନିର୍ବାଚନ ଆଚରରଣବିଧି ଉଲ୍ଲଂଘନ ଓ ଅନ୍ୟାନ୍ୟ ସଂକ୍ରାନ୍ତରେ ସି-ଭିଜିଲ୍‍ ଆପ୍‍ ମାଧ୍ୟମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦପ୍ତର ଅଭିଯୋଗ ଗ୍ରହଣ କରୁଛି । ଏବେ ପ୍ରାୟ ପ୍ରତିଦିନ ବିଜେଡି ଓ ବିଜେପି ପରସ୍ପର ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦପ୍ତରରେ ଯାଇ ଫେରାଦ ହେବାରେ ଲାଗିଛନ୍ତି । ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ କିଶୋର ଧଳଙ୍କ ସୂଚନା ମୁତାବକ ରାଜନୈତିକ ଦଳଙ୍କ ଅପେକ୍ଷା ସାଧାରଣ ଲୋକଙ୍କଠାରୁ ଢେର୍‍ ଅଧିକ ଅଭିଯୋଗ ମିଳୁଛି । ଗତକାଲି ସୁଦ୍ଧା ୩୮୭୩ଟି ଅଭିଯୋଗ ହସ୍ତଗତ ହୋଇଥିବାବେଳେ ସେଥିରୁ ଅଧିକାଂଶ ସମାଧାନ ହୋଇସାରିଛି ।

ନିର୍ବାଚନ ଘୋଷଣା ପରଠାରୁ ଏଯାବତ୍‍ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୧୨୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ଓ ନଗଦ ଅର୍ଥ ଜବତ କରାଯାଇଛି । ଏଗୁଡିକ ମଧ୍ୟରେ ମଦ, ଗଞ୍ଜେଇ ସମେତ ବ୍ୟାପକ ପରିମାଣର ମାରାତ୍ମକ ନିଶା ସାମଗ୍ରୀ ଓ ବିସ୍ଫୋରକ ମଧ୍ୟ ରହିଛି । ସାରା ଦେଶରେ ପ୍ରତିଦିନ ହାରାହାରି ପ୍ରାୟ ୧୦୦କୋଟି ଟଙ୍କାର ନଗଦ ଅର୍ଥ, ନିଶା ସାମଗ୍ରୀ ଓ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଜବତ ହେଉଛି । ନିର୍ବାଚନ ଉପରେ ସତର୍କ ଦୃଷ୍ଟି ରଖିଥିବା ସଚେତନ ନାଗରିକମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ଯେ ପୂର୍ବଥର ଅପେକ୍ଷା ଏଥର ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଅଧିକ କଳାଟଙ୍କା, ମଦ ଓ ଅନ୍ୟାନ୍ୟ ନିଶା ସାମଗ୍ରୀର ଅପପ୍ରୟୋଗ ହୋଇପାରେ । ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଆରମ୍ଭ ହୋଇଥିବା ଗଣତନ୍ତ୍ରର ଗଣପର୍ବକୁ ନିର୍ମଳ ଓ ନିରପେକ୍ଷ ରଖିବା ପାଇଁ ସେମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)