Home General ଦୁଇ ପୌର ନିଗମରେ ନିର୍ବାଚନ କେବେ ?

ଦୁଇ ପୌର ନିଗମରେ ନିର୍ବାଚନ କେବେ ?

ଭୁବନେଶ୍ୱର : ରାଉରକେଲା ଓ ସମ୍ବଲପୁର ପୌରନିଗମ ପାଇଁ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ନିର୍ବାଚନ ହୋଇନାହିଁ । ଫଳରେ ରାଜ୍ୟର ଏହି ଦୁଇଟି ପ୍ରମୁଖ ପୌରନିଗମ ଲୋକପ୍ରତିନିଧିମାନଙ୍କ ପରିବର୍ତ୍ତେ ଅମଲାତନ୍ତ୍ର ଦ୍ୱାରା ପରିଚାଳିତ ହେଉଛି । ଏଥିଯୋଗୁ ସାଧାରଣ ଲୋକେ ସେମାନଙ୍କ ସମସ୍ୟା ପୌରସଂସ୍ଥା ନିକଟରେ ଉଠାଇ ପାରୁନାହାନ୍ତି ଏବଂ ଅଧିକାରୀମାନେ ଲୋକପ୍ରତିନିଧି ହୋଇ ନଥିବାରୁ ଲୋକଙ୍କ ସମସ୍ୟାର ଅନୁଧ୍ୟାନ ଓ ସମାଧାନ କ୍ଷେତ୍ରରେ ବ୍ୟର୍ଥ ହେଉଛନ୍ତି ।

ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପରେ ରାଉରକେଲା ଓ ସମ୍ବଲପୁର ହେଉଛି ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପୌରନିଗମ । ପୂର୍ବରୁ ସମ୍ବଲପୁର ଓ ରାଉରକେଲାରେ ପୌରପାଳିକା (ମ୍ୟୁନିସିପାଲିଟି) ଥିଲା । ସ୍ଥାନୀୟ ଜନତା ଓ ଲୋକପ୍ରତିନିଧିମାନଙ୍କ ଦାବି ଯୋଗୁ ଏହା ପୌରନିଗମରେ ପରିଣତ ହେଲା । କିନ୍ତୁ ଏହି ଦୁଇ ପ୍ରମୁଖ ପୌରନିଗମ ପାଇଁ ଏଯାବତ୍‍ ଥରେ ହେଲେ ବି ନିର୍ବାଚନ ହୋଇନାହିଁ ।

ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ତଥା ସେଠାରୁ ବହୁବାର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦିଲ୍ଲୀପ ରାୟ ଏବେ ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ରାଉରକେଲା ଓ ସମ୍ବଲପୁର ପୌରନିଗମର ନିର୍ବାଚନ କଥା ଉଠାଇଛନ୍ତି ।

ସେ କହିଛନ୍ତି ଯେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣ, ଇସ୍ପାତ୍‍ ଜେନେରାଲ ହସ୍ପିଟାଲର ଓ ରାଉରକେଲା ଜେନେରାଲ ହସ୍‍ପିଟାଲର ବିକାଶ ସହିତ ରାଉରକେଲାକୁ ସ୍ମାର୍ଟସିଟି ଅନ୍ତର୍ଭୁକ୍ତ କରିବା, ଏଠାରେ ହକିର ବିକାଶ ସହିତ ରାଉରକେଲାରେ ଜାତୀୟ ଓ ଅନ୍ତର୍ଜାତିୟ ହକି ମ୍ୟାଚ୍‍ ସହିତ ରାଉରକେଲାର ସମୃଦ୍ଧି ପାଇଁ ପୂର୍ବରୁ ସେ ଯେତେସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ଅକ୍ଷରେ ଅକ୍ଷରେ ପୂରଣ ହୋଇଛି । ତେବେ ତାଙ୍କର ଉଦ୍ୟମ ସତ୍ତ୍ୱେ ରାଉରକେଲା ପୌରନିଗମ ପାଇଁ କିନ୍ତୁ ରାଜ୍ୟ ସରକାର ନିର୍ବାଚନ କରାଉନାହାନ୍ତି । ଏହି ପ୍ରସଙ୍ଗ ୨୦୨୪ର ଲୋକସଭା ଓ ବିଧାନସଭା ନିର୍ବାଚନରେ ରାଉରକେଲାବାସୀଙ୍କର ପ୍ରମୁଖ ପ୍ରସଙ୍ଗ ରହିବ ବୋଲି ଶ୍ରୀ ରାୟ କହିଛନ୍ତି ।

ରାଉରକେଲା ଓ ସମ୍ବଲପୁର ପୌରନିଗମ ପାଇଁ ମେୟର, ଉପମେୟର ଓ କର୍ପୋରେଟର ନିର୍ବାଚନ ହେଉ ନଥିବାରୁ ଏ ଦୁଇଟି ମହାନଗରୀ ଜନପ୍ରତିନିଧିତ୍ୱରୁ ପ୍ରାୟ ୧୦ବର୍ଷ ଧରି ବାଦ୍‍ ପଡିଛି । ଏଥିଘେନି ସାଧାରଣଲୋକଙ୍କ ସମେତ ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ନେତା ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ରାଉରକେଲା ପୌରନିଗମ ଓ ସ୍ମାର୍ଟ ସିଟି ପାଇଁ ବ୍ୟାପକ ଅର୍ଥ ବନ୍ଦୋବସ୍ତ ହୋଇଥିଲେ ମଧ୍ୟ ତାହା ପ୍ରଶାସନିକ ଅଧିକାରୀମାନଙ୍କ ନିୟନ୍ତ୍ରଣରେ ବ୍ୟୟ କରାଯାଉଥିବା ଘେନି କଂଗ୍ରେସ, ବାମପନ୍ଥୀ ଓ ଜେଏମ୍‍ଏମ୍‍ ନେତାମାନେ ବାରମ୍ବାର ଆପତ୍ତି ଉଠାଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ରାଉରକେଲା ଓ ସମ୍ବଲପୁର ପୌରନିଗମରେ ପୂର୍ବରୁ ଥିବା ୱାର୍ଡ ସହିତ ନିକଟବର୍ତ୍ତୀ ଅଞ୍ଚଳର ଆଉ କେତେକ ଗ୍ରାମକୁ ସାମିଲ କରାଯିବା ଘଟଣାରେ ଆପତ୍ତି ଉଠାଇ ଆଇନ ଅଦାଲତର ଦ୍ୱାରସ୍ଥ ହେବାଫଳରେ ପୌରନିଗମ ସୃଷ୍ଟି ସମୟରୁ ଏଠାରେ ନିର୍ବାଚନ ପାଇଁ ସମସ୍ୟା ଉପୁଜିଛି । ଏହି ପ୍ରସଙ୍ଗରେ ଥିବା ରହିତାଦେଶ ଉଠାଇବା ଓ ମାମଲା ଫଇସଲା ଲାଗି ତତ୍ପରତା ପ୍ରକାଶ ପାଉନଥିବାରୁ ଏଠାରେ ୱାର୍ଡୱାରି ସ୍ଥାନ ସଂରକ୍ଷଣ ସହ ନିର୍ବାଚନ ହୋଇପାରୁନାହିଁ ବୋଲି କୁହାଯାଉଛି ।

ତେବେ ଏହି ମାମଲା କେବେ ସରିବ ଓ ଏଠାରେ କେବେ ସୁଦ୍ଧା ନିର୍ବାଚନ ହେବ ସେ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷ ସ୍ପଷ୍ଟଭାବେ କିଛି ଉତ୍ତର ରଖି ପାରୁନାହାନ୍ତି । ତେବେ ଏହି ପ୍ରସଙ୍ଗ ବର୍ତ୍ତମାନ ବିଧାନସଭା ଓ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ସମ୍ପୃକ୍ତ ଅଞ୍ଚଳରେ ଅନ୍ୟତମ ପ୍ରସଙ୍ଗ ହୋଇଥିବାରୁ ସାଧାରଣ ନିର୍ବାଚନ ପରେ ଏହି ଦୁଇ ମହାନଗର ନିଗମ ଲାଗି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ପଥ ସୁଗମ ହେବ ବୋଲି ଆଶା କରାଯାଉଛି । (ତଥ୍ୟ)