ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ, ଖଣି ଓ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ଯେତିକି ଜଙ୍ଗଲ ନଷ୍ଟ ହେଉଛି ତାହାର ଚାରିଗୁଣରୁ ଅଧିକ ଜଙ୍ଗଲ ନିଆଁରେ ପୋଡି ଯାଉଛି । ଗତ ଦଶ ବର୍ଷର ଜଙ୍ଗଲ କ୍ଷୟ ପରିସଂଖ୍ୟାନ ଅଧ୍ୟୟନରୁ ଏହା ଜଣାଯାଇଛି ।
ରାଜ୍ୟରେ ଶିଳ୍ପ, ଖଣି ଓ ଭିତ୍ତିଭୂମି ନିର୍ମାଣ ପାଇଁ କେତେକ ସ୍ଥାନରେ ଜଙ୍ଗଲ ଜମି ଆବଶ୍ୟକ ହୋଇଥାଏ । ଜଙ୍ଗଲ ଜମିକୁ ନେବାପାଇଁ ଆଇନ୍ ଅନୁଯାୟୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଏ । ଜଙ୍ଗଲ ସଂରକ୍ଷଣ ଆଇନ୍ ୧୯୮୦ ଅନୁଯାୟୀ ଆବଶ୍ୟକ ଜଙ୍ଗଲ ଜମିକୁ ଗଛ କାଟିବାପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଥାନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଗତ ୧୦ବର୍ଷରେ ଏହିସବୁ କାର୍ଯ୍ୟପାଇଁ ପାଖାପାଖି ୨୦ହଜାର ହେକ୍ଟର ଜଙ୍ଗଲ ଜମି ପଦା ହୋଇଛି । ତେବେ ଆଇନ୍ ଅନୁଯାୟୀ କ୍ଷତିପୂରକ ବନୀକରଣ ଯୋଜନାରେ ପାଖାପାଖି ୨୩ହଜାର ହେକ୍ଟର ଜମିରେ ନୂତନ ଜଙ୍ଗଲ ସୃଷ୍ଟି ହୋଇଛି । ଏଥିପାଇଁ ୧୦୬ କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଛି ।
କିନ୍ତୁ ବନାଗ୍ନି ଯୋଗୁ ଗତ ୧୦ବର୍ଷରେ ରାଜ୍ୟରେ ୮୭ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ପ୍ରଭାବିତ ହୋଇଛି । କେବଳ ୨୦୨୧ ବର୍ଷରେ ୨୮ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ଜମି ବନାଗ୍ନି ଦ୍ୱାରା ପ୍ରଭାବିତ ହୋଇଛି । ବିଶେଷକରି ଖରାଦିନେ ନିଆଁ ଲାଗିବା ଯୋଗୁଁ ରାଜ୍ୟରେ ଥିବା ୫୨ଟି ଜଙ୍ଗଲ ଡିଭିଜନର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଛି । ଏଥିରେ କେବଳ ଜଙ୍ଗଲ ପଦା ହେଉନାହିଁ, ବହୁ ଜୀବଜନ୍ତୁ ଓ ଔଷଧିୟ ଗୁଳ୍ମରାଜି ନଷ୍ଟହୋଇ ଯାଉଛି ।
ଖରାଦିନେ ନିଆଁ ଯୋଗୁଁ ଉଜୁଡି ଯାଉଥିବା ଜଙ୍ଗଲକୁ ରକ୍ଷା କରିବାପାଇଁ ସରକାର ଏବେ ବହୁବିଧି ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷକରି ଉପଗ୍ରହରୁ ସଂଗୃହିତ ଫଟୋକୁ ଆଧାର କରି ବିଭିନ୍ନ ଜଙ୍ଗଲ ଉପରେ ୨୪ଘଣ୍ଟିଆ ନଜର ରଖାଯାଉଛି । କୌଣସି ଠାରେ ଅଗ୍ନିକାଣ୍ଡର ସୂଚନା ମିଳିଲା ମାତ୍ରେ ତାହାକୁ ସମ୍ପୃକ୍ତ ଅଞ୍ଚଳର ଜଙ୍ଗଲ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯାଉଛି ।
ଜଙ୍ଗଲ ପୋଡିର ଅନ୍ୟତମ କାରଣ ହେଉଛି ଜଙ୍ଗଲ ଆଖପାଖରେ ଥିବା ଲୋକେ ଜାଣିଶୁଣି ନିଆଁ ଲଗାଇଦେବା । ପୋଡୁଚାଷ ସହିତ ଶିକାର ପାଇଁ ସ୍ଥାନୀୟ ଲୋକେ କେତେକ ସ୍ଥାନରେ ଜଙ୍ଗଲରେ ନିଆଁ ଲଗାଇଥାନ୍ତି । ସେମାନଙ୍କୁ ଏଥିରୁ ନିବୃତ୍ତ କରିବାପାଇଁ ଏବେ ସ୍ଥାନୀୟ ଯୁବକମାନଙ୍କୁ ମୁତୟନ କରାଯାଉଛି । ଏମାନେ ସମ୍ପୃକ୍ତ ଇଲାକା ସଂକ୍ରାନ୍ତରେ ଭଲଭାବେ ଅବଗତ ଥିବାରୁ ଜଙ୍ଗଲ ନିଆଁ ସହିତ ବନ୍ୟଜନ୍ତୁଙ୍କୁ ମଧ୍ୟ ସୁରକ୍ଷା ଦେଇପାରୁଛନ୍ତି ।
ଅନ୍ୟ ପକ୍ଷରେ ଶିଳ୍ପ ପାଇଁ ଆବଶ୍ୟକ ଜଙ୍ଗଲ ସହିତ ବନାଗ୍ନିରେ କ୍ଷତିଗ୍ରସ୍ତ ଜଙ୍ଗଲର ଭରଣା ପାଇଁ ଗତ ୧୦ବର୍ଷ ମଧ୍ୟରେ ଉଭୟ ଜଙ୍ଗଲ ଓ ଅଣଜଙ୍ଗଲ ଜମିରେ ବୃକ୍ଷ ରୋପଣ କରାଯାଇଛି । ସହରାଞ୍ଚଳଗୁଡିକରେ ମଧ୍ୟ ୬୪ଲକ୍ଷରୁ ଅଧିକ ଚାରା ରୋପଣ ହୋଇଛି । ଏହି ସମୟ ମଧ୍ୟରେ ୭.୬୯ ଲକ୍ଷ ହେକ୍ଟର ଉଜୁଡା ଜଙ୍ଗଲର ପୁନରୁଦ୍ଧାର ହୋଇଥିବାବେଳେ ପାଖାପାଖି ୫୦ହଜାର କିଲୋମିଟରର ପଥପାଶ୍ୱର୍ ବନୀକରଣ ହୋଇଛି । ଏହି ଦଶବର୍ଷ ମଧ୍ୟରେ ମୋଟ୍ ୩୬କୋଟିରୁ ଅଧିକ ଚାରା ରୋପଣ କରାଯାଇଥିବା ସୂଚନା ମିଳିଛି । (ତଥ୍ୟ)