Home Election ଶେଷ ମହୂର୍ତ୍ତରେ ବଦଳିପାରେ ପ୍ରାର୍ଥୀ ତାଲିକା

ଶେଷ ମହୂର୍ତ୍ତରେ ବଦଳିପାରେ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ତାଲିକା ଘୋଷଣା ନେଇ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି । ଏ ପରିପ୍ରେକ୍ଷୀରେ କେତେକ କ୍ଷେତ୍ରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବି ଘୋଷିତ ପ୍ରାର୍ଥୀଙ୍କ ସ୍ଥାନରେ ନୂତନ ପ୍ରାର୍ଥୀଙ୍କୁ ଦଳୀୟ ଟିକଟ ଦିଆଯିବାର ସମ୍ଭାବନା ସୃଷ୍ଟି ହୋଇଛି ।

ଏଯାବତ୍‍ ବିଜେପି ୨୧ଟି ଯାକ ଲୋକସଭା ଏବଂ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ବିଜେଡି ୨୦ଟି ଲୋକସଭା ଓ ୯୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଇତି ମଧ୍ୟରେ କଂଗ୍ରେସ ୪୯ଟି ବିଧାନସଭା ଆସନ ସହିତ ୮ଟି ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ।

ସାରା ଦେଶରେ ୭ଟି ପର୍ଯ୍ୟାୟରେ ମତଗ୍ରହଣ ଲାଗି ନିର୍ବାଚନ କମିଶନ କାର୍ଯ୍ୟକ୍ରମ ଘୋଷଣା କରିଥିବାବେଳେ ଓଡିଶାରେ ଶେଷ ଚାରି ପର୍ଯ୍ୟାୟରେ ଭୋଟ ହେବ । ପ୍ରଥମ ପର୍ଯ୍ୟାୟ ଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ଏପ୍ରିଲ୍‍ ୨୪ ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମଇ ୩, ତୃତୀୟ ପାଇଁ ମଇ ୬ ଏବଂ ଚତୁର୍ଥ ପର୍ଯ୍ୟାୟ ପାଇଁ ମଇ ୧୪ତାରିଖ ରଖାଯାଇଛି ।

ବିଜେଡି, ବିଜେପି ଓ କଂଗ୍ରେସ ବ୍ୟତିତ କେତେକ ବାମପନ୍ଥୀଦଳ, ଜେଏମଏମ, ସମୃଦ୍ଧଓଡିଶା ଆଦି ବିଭିନ୍ନ ଦଳ ମଧ୍ୟ କିଛି କିଛି ଆସନ ପାଇଁ ତାଲିକା ପ୍ରକାଶ କରିଛନ୍ତି । ତେବେ ବିଜେଡି, ବିଜେପି ଓ କଂଗ୍ରେସର ଘୋଷିତ ତାଲିକା ଉପରେ କେତେକ ନିର୍ବାଚନମଣ୍ଡଳୀରେ ପ୍ରତିକ୍ରିୟା ସ୍ୱରୂପ ବ୍ୟାପକ ଦଳବଦଳ ଚାଲିଛି । ଘୋଷିତ ପ୍ରାର୍ଥୀଙ୍କ ବିରୁଦ୍ଧରେ ଯେଉଁସବୁ ସ୍ଥାନରେ ବିଦ୍ରୋହ ଦେଖାଦେଉଛି ସେଠାରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାପାଇଁ ଦଳୀୟ ନେତାମାନେ ପୂରା ଦମ୍‍ରେ ଲାଗିଛନ୍ତି । ଏ ପରିପ୍ରେକ୍ଷୀରେ ଶେଷ ମୂହୂର୍ତ୍ତରେ କେତେକ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇପାରେ ଏବଂ ଆଉ କେତେକ ସ୍ଥାନରେ ଘୋଷିତ ପ୍ରାର୍ଥୀଙ୍କୁ ବଦଳାଇ ତାଙ୍କ ସ୍ଥାନରେ ନୂଆ ପ୍ରାର୍ଥୀଙ୍କୁ ଟିକଟ ଦିଆଯିବାର ଢେର ସମ୍ଭାବନା ରହିଛି ।

ଯେଉଁସବୁ କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା ହୋଇସାରିଲାଣି ସେଠାରେ ଘୋଷିତ ପ୍ରାର୍ଥୀମାନେ କର୍ମୀ ସାଉଁଟିବା ସହ ଜନସମ୍ପର୍କ ଅଭିଯାନ ଓ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କଲେଣି । ଏମିତିକି ଓଡିଶା ପାଇଁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇନଥିଲେ ବି କେତେକ ଘୋଷିତ ପ୍ରାର୍ଥୀ ନିଜ ପାଇଁ ପ୍ରଚାର ସାମଗ୍ରୀ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଯେଉଁସବୁ ଆସନ ଲାଗି ଏଯାବତ୍‍ ତିନି ପ୍ରମୁଖ ରାଜନୈତିକଦଳ ଓ ସେମାନଙ୍କ ସହଯୋଗୀମାନେ ପ୍ରାର୍ଥୀ ଘୋଷଣା କରିନାହାନ୍ତି ସେଠାକାର ଆଶାୟୀ ପ୍ରାର୍ଥୀ ଓ କର୍ମୀମାନେ ଏବେ ବି ଦ୍ୱନ୍ଦରେ ଅଛନ୍ତି । ତେବେ ଖୁବ୍‍ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଦଳୀୟ ନେତାମାନେ ସେମାନଙ୍କୁ ଆଶ୍ୱାସନା ଦେଇ ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ।

ଏବେ ନବୀନ ନିବାସ, ବିଜେପି ରାଜ୍ୟ କାର୍ଯ୍ୟାଳୟ ଓ କଂଗ୍ରେସ ଭବନରେ ଉଭୟ ଟିକଟ ପାଇଥିବା ପ୍ରାର୍ଥୀ ଓ ଅନ୍ୟ ଆଶାୟୀମାନେ ଭିଡ ଜମାଉଛନ୍ତି । କେତେକ ପ୍ରାର୍ଥୀ ମଧ୍ୟ ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହରେ ବ୍ୟସ୍ତ ଅଛନ୍ତି ।

ବିଦ୍ରୋହ ଦମନ ସହିତ ବିଜୟ ସମ୍ଭାବନାକୁ ପ୍ରାୟ ସବୁ ଦଳ ଗୁରୁତ୍ୱ ଦେଉଛନ୍ତି । ଦଳୀୟ ପର୍ଯ୍ୟବେକ୍ଷକ ଏବଂ ନିର୍ବାଚନମଣ୍ଡଳୀ ତଥା ଜିଲ୍ଲାସ୍ତରୀୟ ସଂଗଠନ ସହିତ କ୍ଷେତ୍ର ସର୍ଭେ କାମରେ ନିୟୋଜିତ ସଂସ୍ଥାମାନଙ୍କ ସଂଗେ ଏଥିଲାଗି ଘନ ଘନ ବୈଠକ ବସୁଛି । ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଯେ ଶେଷ ମୂହୂର୍ତ୍ତରେ ଯଦି କୌଣସି ପ୍ରାର୍ଥୀଙ୍କର ବିଜୟ ସମ୍ଭାବନା ଉପରେ ପ୍ରଶ୍ନବାଚୀ ଉପୁଜେ ତେବେ ସେ କ୍ଷେତ୍ରରେ ଶେଷ ଦିନରେ ବି ନୂଆପ୍ରାର୍ଥୀ ଦିଆଯାଇପାରେ । (ତଥ୍ୟ)