ଭୁବନେଶ୍ୱର : ବଜାରରେ ହାଉଜାଉ ହେଉଥିବା ନକଲି ସାମଗ୍ରୀ ଯୋଗୁଁ ଖାଉଟିମାନେ ସାଂଘାତିକ ଠକାମିର ଶିକାର ହେଉଥିବାବେଳେ ଜିଲ୍ଲା ଓ ରାଜ୍ୟସ୍ତରୀୟ ଖାଉଟି ଅଦାଲତଗୁଡିକରେ ମାମଲା ଶୁଣିବାପାଇଁ ଆକଶ୍ୟକ ସଂଖ୍ୟକ ବିଚାରପତି ନାହାନ୍ତି । ଏଥିଯୋଗୁଁ ଖାଉଟି ଅଦାଲତଗୁଡିକରେ ଅଚଳାବସ୍ଥା ଲାଗି ରହିଛି ।
ରାଜ୍ୟରେ ଏବେ ଖାଉଟି ବିବାଦ ସମାଧାନ ଲାଗି ଷ୍ଟେଟ କଞ୍ଜ୍ୟୁମର ଡିସ୍ପ୍ୟୁଟ ରିଡ୍ରେସାଲ କମିଶନଟିଏ ଥିବାବେଳେ ପ୍ରତି ଜିଲ୍ଲାରେ ବି ଖାଉଟି ଅଦାଲତମାନ ରହିଛି । ରାଜ୍ୟ ଖାଉଟି କମିଶନ ଲାଗି ଗୋଟିଏ ଅଧ୍ୟକ୍ଷ ଓ ୪ଟି ସଦସ୍ୟ ପଦବୀ ଥିବାବେଳେ ସଦସ୍ୟ ପଦବୀଗୁଡିକ ଖାଲି ପଡିଛି । ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ତାଙ୍କୁ କମିଶନ୍ର ପ୍ରଶାସନିକ କାର୍ଯ୍ୟ ସହିତ ବିଚାର ବିଭାଗୀୟ କାମ ବି ତୁଲାଇବାକୁ ହେଉଛି । ସଦସ୍ୟ ନଥିବାରୁ ରାଜ୍ୟ ଖାଉଟି କମିଶନରେ ବିଚାର ପାଇଁ ଖଣ୍ଡପୀଠ ବସିପାରୁନାହିଁ ।
ସେହିଭଳି ଜିଲ୍ଲା ସ୍ତରରେ ଥିବା ଖାଉଟି ଅଦାଲତଗୁଡିକ ମଧ୍ୟରୁ ୨୪ଟିରେ ସଭାପତି ପଦବୀ ମଧ୍ୟ ଖାଲିପଡିଛି । ମାତ୍ର ୭ଟି ଜିଲ୍ଳାସ୍ତରୀୟ ଖାଉଟି ଅଦାଲତରେ ଏବେ ସଭାପତି ଅଛନ୍ତି । ଅଧିକାଂଶ ଜିଲ୍ଲା ଖାଉଟି ଅଦାଲତରେ ବି ବହୁ ସଂଖ୍ୟକ ସଦସ୍ୟ ପଦବୀ ଖାଲିପଡିଛି । ଯଦି ଇତି ମଧ୍ୟରେ ନିଯୁକ୍ତି ଦିଆନଯାଏ ତେବେ ଆସନ୍ତା ୬ମାସ ମଧ୍ୟରେ ଆଉ କେତେକ ଜିଲ୍ଲା ଖାଉଟି ଅଦାଲତରେ ସଭାପତି ପଦବୀ ଖାଲି ପଡିଯିବ ।
ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରର ଖାଉଟି ଅଦାଲତଗୁଡିକ ଲାଗି ରାଜ୍ୟ ସରକାର ଏହାର ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତ କରିଥାନ୍ତି । କେବେ କେଉଁ ସଦସ୍ୟ ଓ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସରିବ ସେକଥା ସେମାନଙ୍କ ନିଯୁକ୍ତି ଦିନରୁ ହିଁ କର୍ତ୍ତୃପକ୍ଷ ଜାଣିଥାନ୍ତି । ଏହା ସତ୍ୱେ ଖାଲିଥିବା ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆଗରୁ ଆରମ୍ଭ ହେଉନଥିବାରୁ ଖାଉଟି ଅଦାଲତଗୁଡିକରେ ଅଚଳାବସ୍ଥା ଲାଗି ରହୁଛି ।
ସଂସଦ ଓ ବିଧାନସଭା ସଦସ୍ୟ ପଦବୀ ଖାଲିପଡିଲେ ତାହା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରିବାପାଇଁ ବ୍ୟବସ୍ଥା ରହିଛି । ଅଥଚ ଆଇନ୍ ଅଦାଲତଗୁଡିକରେ ପଦବୀ ଖାଲିପଡିବା ପୂର୍ବରୁ ବିଚାରପତି ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ ହେଉନଥିବାରୁ ଖାଉଟି ଅଦାଲତ ଠାରୁ ହାଇକୋର୍ଟ ପର୍ଯ୍ୟନ୍ତ ବିଭିନ୍ନ ଅଦାଲତରେ ବହୁ ସଂଖ୍ୟକ ବିଚାରପତି ପଦବୀ ଖାଲି ରହୁଛି ।
ଏଠାରେ ଉଲ୍ଲେଖନୀୟ ଯେ ଗତ କିଛିବର୍ଷ ଧରି ନକଲି ଖାଉଟି ସାମଗ୍ରୀର ପ୍ରସ୍ତୁତି ଓ ବିପ୍ପଣନ ବ୍ୟାପକ ପରିମାଣରେ ହେଉଛି । ଖାଇବା ତେଲଠାରୁ ଆରମ୍ଭକରି ସିମେଣ୍ଟ, ଇଞ୍ଜିନ ଅଏଲ, ଔଷଧ, ଧୂପକାଠି, ପାନମସଲା ଏମିତିକି ମଦ ବି ନକଲି କାରଖାନାରେ ପ୍ରସ୍ତୁତ ହେଉଛି । ଘରପାଇଁ ବ୍ୟବହୃତ ରଙ୍ଗ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବହୁ ସାମଗ୍ରୀ ଏହି ନକଲି କାରଖାନାଗୁଡିକରେ ତିଆରି ହେଉଛି । ଏମିତିକି ନକଲି ଛେନା ଦୁଗ୍ଧ ଠାରୁ ଆରମ୍ଭ କରି ମୃଦୁପାନୀୟ ପର୍ଯ୍ୟନ୍ତ ବି ବଜାରରେ ମିଳୁଛି ।
ଏହାଛଡା ଓଜନ ଓ ଦରଦାମରେ ବି ଠକେଇ ରହିଛି । ନିମ୍ନମାନର ସାମଗ୍ରୀ ଯୋଗାଇ ବି ଅନେକ ସଂସ୍ଥା ଠକି ଚାଲୁଛନ୍ତି । ଏମାନଙ୍କ ଠାରୁ ନିସ୍ତାର ପାଇବାଲାଗି ଲୋକେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଖାଉଟି ଅଦାଲତଗୁଡିକ ଉପରେ ଭରସା କରୁଥିବାବେଳେ ସେଗୁଡିକରେ ବିଚାରପତି ଅଭାବ ଯୋଗୁଁ ଅଚଳାବସ୍ଥା ଲାଗିରହିବା ଠକମାନଙ୍କୁ ସୁହାଉଛି ।