Home Health ଯାଞ୍ଚ ହେଉନି ଏଟିଏମ୍‍ କ୍ଷୀର

ଯାଞ୍ଚ ହେଉନି ଏଟିଏମ୍‍ କ୍ଷୀର

ଭୁବନେଶ୍ୱର : ଲୋକଙ୍କ ଦୁଆର ମୁହଁରେ କ୍ଷୀର ଯୋଗାଇ ଦେବାପାଇଁ ରାଜଧାନୀରେ ଏବେ ମାଳ ମାଳ କ୍ଷୀର ଏଟିଏମ୍‍ ବୁଲୁଛି । ରାଜଧାନୀ ଆଖପାଖ ଅଞ୍ଚଳରୁ କ୍ଷୀର ସଂଗ୍ରହ ସହିତ ଏହାକୁ ଛୋଟ ଛୋଟ ଟ୍ୟାଙ୍କରରେ ଆଣି ବିଭିନ୍ନ ଛକରେ ଏହାକୁ ବିକ୍ରି କରାଯାଉଛି । ଲୋକଙ୍କର ବି ଏହି କ୍ଷୀର ପ୍ରତି ବିଶେଷ ରୁଚି ରହୁଛି । ହେଲେ ଏହି କ୍ଷୀରର ଗୁଣ ମାନ ନେଇ ନିୟମିତ ଯାଞ୍ଚ ହେଉନାହିଁ ।

ରାଜଧାନୀ ଆଖପାଖ ଅଞ୍ଚଳ ସମେତ ଖୋରଧାର ଜଟଣୀ ଓ ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ ଆଦି ଅଞ୍ଚଳରୁ ଦୈନିକ ହଜାର ହଜାର ଲିଟର କ୍ଷୀର ରାଜଧାନୀକୁ ଆସୁଛି । ଏହାକୁ ଛୋଟ ଛୋଟ ଟ୍ୟାଙ୍କ୍‍ର ସମେତ ଜରି ପ୍ୟାକେଟ୍‍ରେ ମଧ୍ୟ ପ୍ୟାକିଂ କରି ଘରକୁ ଘର ପହଞ୍ଚାଯାଉଛି । ଲୋକେ ମଧ୍ୟ ବିଭିନ୍ନ କମ୍ପାନୀର କ୍ଷୀର ବଦଳରେ ଏହିସବୁ କ୍ଷୀର ଉପରେ ନିର୍ଭର କରୁଛନ୍ତି । କ୍ଷୀର ଟ୍ୟାଙ୍କରଗୁଡିକ ସକାଳୁ ସକାଳୁ ସହରର ବିଭିନ୍ନ ପାର୍କ ଓ ଛକ ଆଦିରେ ପହଞ୍ଚି ଯାଉଥିବାବେଳେ ଜରି ପ୍ୟାକେଟ୍‍ କ୍ଷୀର ଘରକୁ ଘର ବୁଲି ଯୋଗାଣ ହେଉଛି ।

କ୍ଷୀର ବ୍ୟବସାୟୀମାନେ ଗାଁ ଗହଳରୁ ଲିଟର ପିଛା ୪୦ରୁ ୪୫ ଟଙ୍କା ଦରରେ କ୍ଷୀର ଖରିଦ କରୁଥିବାବେଳେ ଏହାକୁ ଆଣି ରାଜଧାନୀରେ ଲିଟର ପିଛା ୬୦ ଟଙ୍କା ଦରରେ ବିକ୍ରି କରୁଛନ୍ତି । ଏହାର ଦାମ୍‍ ଅନ୍ୟ କମ୍ପାନୀର କ୍ଷୀର ସହିତ ପ୍ରାୟତଃ ସମାନ ରହୁଥିବାରୁ ଲୋକେ ଏହି ତଟକା ଓ କଞ୍ଚାକ୍ଷୀର କିଣିବାକୁ ପସନ୍ଦ କରୁଛନ୍ତି । କେବଳ କ୍ଷୀର ନୁହେଁ, ଏମାନେ ପନିର୍‍, ଛେନାପୋଡ ଭଳି ଅନ୍ୟାନ୍ୟ କ୍ଷୀରଜାତ ସାମଗ୍ରୀ ବିକ୍ରି କରୁଛନ୍ତି ।

ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେଭଳି ଭାବେ ଏହିସବୁ କ୍ଷୀରର ନିୟମିତ ଯାଞ୍ଚ ହେବାକଥା ତାହା ହେଉନାହିଁ । ଫଳରେ କିଛି ଦିନର ଲୋକପ୍ରିୟତା ପରେ କେତକ କ୍ଷୀର ବ୍ୟବସାୟୀ କ୍ଷୀରରେ ବିଭିନ୍ନ ପ୍ରକାରର କ୍ଷୀରଗୁଣ୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ମିଶ୍ରଣ କରୁଛନ୍ତି । ବଳକା କ୍ଷୀରକୁ ମହଜୁଦ କରିବାପାଇଁ ଏମାନଙ୍କର ଅଭିଜ୍ଞତା ନଥିବା ଏବଂ ଶୀତଳଭଣ୍ଡାର ନଥିବାରୁ ତାହାକୁ ସାଇତି ରଖିବାପାଇଁ ବିଭିନ୍ନ ସାମଗ୍ରୀ ମିଶ୍ରଣ କରୁଥିବାର ଅଭିଯୋଗ ଆସୁଛି ।

ରାଜଧାନୀବାସୀଙ୍କ ନିକଟରେ ପହଞ୍ଚୁଥିବା ଏହି କ୍ଷୀରର ମାନ କିଭଳି ରହୁଛି ତାହା ପରଖିବାର ଦାୟିତ୍ୱ ହେଉଛି ଫୁଡ୍‍ ଇନ୍ସପେକ୍ଟରମାନଙ୍କର । ସେମାନେ ଏହାର ନମୂନା ସଂଗ୍ରହ ସହିତ ତାହାକୁ ପରୀକ୍ଷା କରିବାକଥା । ହେଲେ ସେଭଳି କେଉଁଠାରେ ହେଉଥିବା ଲକ୍ଷ୍ୟ କରାଯାଉ ନାହିଁ । ବିଭିନ୍ନ କମ୍ପାନୀର କ୍ଷୀର ପ୍ୟାକେଟ୍‍କୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉଥିବାବେଳେ ଖୋଲାରେ ବିକ୍ରି ହେଉଥିବା ଘରୋଇ ସଂସ୍ଥାର କ୍ଷୀରର ସେଭଳି ଯାଞ୍ଚ ହେଉନାହିଁ । ଫଳରେ ଦିନକୁ ଦିନ ଏହିସବୁ କ୍ଷୀରର ମାନ ହ୍ରାସ ପାଉଥିବା ଅଭିଯୋଗ ହେଉଛି ।

ଅନ୍ୟ ପକ୍ଷରେ ଏହି ଘରୋଇ କ୍ଷୀର ବ୍ୟବସାୟୀଙ୍କ ଯୋଗୁଁ ସରକାରୀ ସଂସ୍ଥା ଓମ୍‍ଫେଡ୍‍ ଓ ଅନ୍ୟାନ୍ୟ କମ୍ପାନୀର କ୍ଷୀର ସଂଗ୍ରହ ପରିମାଣ ରାଜଧାନୀ ଆଖପାଖ ଅଞ୍ଚଳରେ ଢେର ହ୍ରାସ ପାଇଛି । ଲୋକେ ଦୁଇ ପଇସା ଅଧିକ ପାଉଥିବାରୁ ଘରୋଇ କ୍ଷୀର ବ୍ୟବସାୟୀଙ୍କୁ କ୍ଷୀର ବିକ୍ରି କରୁଛନ୍ତି । ତେବେ ଏଥିରେ ଚାଷୀମାନେ ଲାଭବାନ୍‍ ହେଉଥିବାବେଳେ ଲୋକେ କିଣୁଥିବା କ୍ଷୀର ମାନ ଯେଭଳି ଯାଞ୍ଚ ହେବାକଥା ତାହା ଠିକଣା ଭାବେ ହେଉନାହିଁ । (ତଥ୍ୟ)