Home Health ଚିକିତ୍ସାଳୟ ସମ୍ପ୍ରସାରଣ ପାଇଁ ଲୋକେ ହନ୍ତସନ୍ତ

ଚିକିତ୍ସାଳୟ ସମ୍ପ୍ରସାରଣ ପାଇଁ ଲୋକେ ହନ୍ତସନ୍ତ

ଭୁବନେଶ୍ୱର : ଆବାସିକ ଅଞ୍ଚଳକୁ ଚିକିତ୍ସାଳୟର ସମ୍ପ୍ରସାରଣ ଏବେ ରାଜଧାନୀବାସୀଙ୍କୁ ନୟାନ୍ତ କଲାଣି । କେଉଁଠି ଟ୍ରାଫିକ ଜାମ୍‍ ହେଉଛି ତ ଆଉ କେଉଁଠି ପ୍ରଦୂଷଣର ମାତ୍ରା ବି ବଢିବାରେ ଲାଗିଛି । ତେବେ ଏଭଳି ସମ୍ପ୍ରସାରଣକୁ ସ୍ୱାସ୍ଥ୍ୟ ବିଭାଗ ଅନୁମତି ଦେଇଛି କି ନାହିଁ ତାହାକୁ ନେଇ ସ୍ଥାନୀୟ ଲୋକେ ସନ୍ଦିହାନରେ ଅଛନ୍ତି ।

ରାଜଧାନୀରେ ଶତାଧିକ ନର୍ସିଂହୋମ୍‍, ଛୋଟ ଛୋଟ ଡାକ୍ତରଖାନା ଆଦି କାର୍ଯ୍ୟକରୁଛନ୍ତି । ଏଠାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଚିକିତ୍ସାସେବା ଯୋଗାଇବାପାଇଁ ଏହିସବୁ ଚିକିତ୍ସାଳୟରେ ସ୍ଥାନାଭାବ ଦେଖାଦେଉଛି । ତେଣୁ ଏମାନେ ନିକଟରେ ଥିବା ଆବାସିକ ଅଞ୍ଚଳକୁ ନିଜ ନିଜର ଡାକ୍ତରଖାନାକୁ ସମ୍ପ୍ରସାରଣ କରୁଛନ୍ତି । ସାଧାରଣ ଭଡା ଠାରୁ ୪/୫ଗୁଣ ଅଧିକ ଭଡା ଦେଇ ଘରଗୁଡିକୁ ନେଇ ଯାଉଛନ୍ତି ଓ ସେଠାରେ ନିଜ ନିଜର ଡାକ୍ତରଖାନା ଖୋଲୁଛନ୍ତି । ଏପରିକି ଆଖପାଖରେ ଥିବା ଆପାର୍ଟମେଣ୍ଟଗୁଡିକୁ ମଧ୍ୟ ଛାଡୁ ନାହାନ୍ତି ।

ତେବେ ଆବାସିକ ଅଞ୍ଚଳରେ ଥିବା ଘରଗୁଡିକରେ ଚିକିତ୍ସାସେବା ଆରମ୍ଭ ହେବାପରେ ସେଠାରେ ଟ୍ରାଫିକ ସ୍ଥିତି ଉତ୍କଟ ହେବାରେ ଲାଗିଛି । ଡାକ୍ତରଙ୍କ ଠାରୁ ଆରମ୍ଭକରି ଅନ୍ୟାନ୍ୟ କର୍ମଚାରୀ, ରୋଗୀ, ସେମାନଙ୍କ ସମ୍ପର୍କୀୟ ଏବଂ ଆମ୍ବୁଲାନ୍ସ ଆଦି ସେହି ଅଞ୍ଚଳରେ ରାସ୍ତାଘାଟ ଆଦିକୁ ଜାମ୍‍ କରୁଛନ୍ତି । ଯେଉଁ ଗଳି ରାସ୍ତାରେ ୩/୪ ଟି ଗାଡି ରହୁଥିଲା ସେଠାରେ ଏକକାଳୀନ ୨୦/୩୦ ଗାଡି ରହୁଛି । ଫଳରେ ଆଖପାଖ ଘରେ ରହୁଥିବା ଲୋକେ ସଂଧ୍ୟା ସମୟରେ ନିଜ ନିଜ ଘରର ଫାଟକ ଖୋଲିପାରୁନାହାନ୍ତି । ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ବି ନାହାନ୍ତି ।

ସେହିଭଳି କେତେକ ଆପାର୍ଟମେଣ୍ଟକୁ ଚିକିତ୍ସାଳୟ ସମ୍ପ୍ରସାରଣ ହେବାରୁ ସେହିସବୁ ଆପାର୍ଟମେଣ୍ଟରେ ଲୋକେ ମଧ୍ୟ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । କାରଣ ଦୈନିକ ସେମାନଙ୍କ ଘର ନିକଟକୁ ବିଭିନ୍ନ ପ୍ରକାରର ରୋଗୀ ଆସୁଥିବା କୁଢ କୁଢ ଡାକ୍ତରଖାନା ବର୍ଜ୍ୟ ବାହାରୁଛି । ଏହାଦ୍ୱାରା ସେମାନେ ମଧ୍ୟରେ ସଂକ୍ରମଣର ଭୟ ରହୁଛି । କେବଳ ସେତିକି ନୁହେଁ ବିଭିନ୍ନ ସମୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଆପାର୍ଟମେଣ୍ଟ ନିକଟରେ ଗହଳି କରିବା ଫଳରେ ଆଖପାଖରେ ରହୁଥିବା ଲୋକେ ଶାନ୍ତିରେ ଟିକେ ଶୋଇପାରୁ ନାହାନ୍ତି ।

ତେବେ ଚିକିତ୍ସାଳୟର ଏଭଳି ସମ୍ପ୍ରସାରଣ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅନୁମତି ଦେଇଛନ୍ତି ନା ଡାକ୍ତରଖାନାଗୁଡିକ ମନଇଚ୍ଛା ବେପାର ପାଇଁ ଆଖପାଖ ଅଞ୍ଚଳକୁ ଭଡାରେ ନେଇ ଚିକିତ୍ସାସେବା ଚଳାଇଛନ୍ତି ତାହା ସେଠାରେ ରହୁଥିବା ଲୋକେ ଜାଣିପାରୁ ନାହାନ୍ତି । ଏଭଳି ସ୍ଥିତିରେ କେତେକ ଅଞ୍ଚଳରେ ହନ୍ତସନ୍ତ ହେଉଥିବା ଲୋକେ ସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ଆକର୍ଷଣ ପାଇଁ ସଜବାଜ ହେଉଥିବା ଜଣାଯାଇଛି । (ତଥ୍ୟ)