Home Culture ଅଧାପନ୍ତରିଆ ପାଇକ ବିଦ୍ରୋହ ସ୍ମାରକୀ

ଅଧାପନ୍ତରିଆ ପାଇକ ବିଦ୍ରୋହ ସ୍ମାରକୀ

ଭୁବନେଶ୍ୱର : ପାଇକ ବିଦ୍ରୋହର ଗୌରବାବହ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଖୋର୍ଦ୍ଧା ନିକଟବର୍ତ୍ତୀ ବରୁଣେଇ ପାହାଡର ପାଦଦେଶରେ ପ୍ରାୟ ୧୦୦କୋଟି ଟଙ୍କା ବ୍ୟୟ ଅଟକଳରେ ସୁଦୃଶ୍ୟ ସ୍ମାରକୀ ନିର୍ମାଣ ପାଇଁ ୭ବର୍ଷ ତଳେ ଯେଉଁ ଘୋଷଣା କରାଯାଇଥିଲା ତାହା ଏପର୍ଯ୍ୟନ୍ତ ବାସ୍ତବତାର ରୂପ ନେଇନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ୧୮୧୭ ମସିହାରେ ହୋଇଥିବା ଇତିହାସ ପ୍ରସିଦ୍ଧ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀ, ଭୁବନେଶ୍ୱରରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପାଇକ ବିଦ୍ରୋହର ଛାମୁଆ ନେତାମାନଙ୍କ କେତେକ ଦାୟଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସେତେବେଳେ କୁହାଯାଇଥିଲା ଯେ ଏକ ରାଷ୍ଟ୍ରାୟତ ତୈଳ କମ୍ପାନୀ ବରୁଣେଇଠାରେ ପାଇକ ବିଦ୍ରୋହର ସୁଦୃଶ୍ୟ ସ୍ମାରକୀ ପାଇଁ ଶହେ କୋଟି ଟଙ୍କା ବ୍ୟୟ କରିବ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏଥିଘେନି ବ୍ୟାପକ ପତ୍ର ବିନିମୟ ପରେ ରାଜ୍ୟ ସରକାର ବରୁଣେଇ ପାଦଦେଶରେ କିଛି ଜମି ଜମି ଏହି ସ୍ମାରକୀ ଲାଗି ଯୋଗାଇଛନ୍ତି । ୨୦୧୯ ଡିସେମ୍ବର ୮ ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଉପସ୍ଥିତିରେ ପାଇକ ସ୍ମାରକୀର ଶିଳାନ୍ୟାସ କରିଥିଲେ ।

ଇତିମଧ୍ୟରେ ଏଠାରୁ ଗଛ ଉଠାଇବା ସହିତ ଆଉ କେତେକ କାମ ଧିମା ଗତିରେ ଚାଲିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ଏହି ପ୍ରକଳ୍ପ ସଂକ୍ରାନ୍ତରେ ସମୀକ୍ଷା ବୈଠକମାନ ଅନୁଷ୍ଠିତ ହୋଇଛି । ଏହି ସ୍ମାରକୀସ୍ଥଳରେ ପାଇକ ବିଦ୍ରୋହର ଅନ୍ୟତମ ନେତା ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କର ଶହେ ମିଟର ଉଚ୍ଚର ଏକ ସୁଦୃଶ୍ୟ ପ୍ରତିମୂର୍ତ୍ତି ନିର୍ମିତ ହେବ ବୋଲି କୁହାଯାଇଥିଲା ।

କେବଳ ସେତିକିି ନୁହେଁ ଜାତୀୟସ୍ତରରେ ଓଡ଼ିଶାର ଏହି ଗୌରବାମୟ ଗାଥାକୁ ଅବିସ୍ମରଣୀୟ କରି ରଖିବା ପାଇଁ ଏହି ପ୍ରକଳ୍ପରେ ୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବି ବାରମ୍ବାର ଘୋଷଣା କରାଯାଇଛି ।

ବିଭିନ୍ନ ପାଇକ ସଂଗଠନ ଓ ରାଜ୍ୟର ଗଣ ସଂଗଠନମାନଙ୍କ ପକ୍ଷରୁ ବି ବରୁଣେଇ ପାଇକ ସ୍ମାରକ ପ୍ରକଳ୍ପ ସଂକ୍ରାନ୍ତରେ ବାରମ୍ବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ୬୦ଏକର ଜମି ଚାହିଁଥିବାବେଳେ ରାଜ୍ୟ ସରକାର ପାଖାପାଖି ୧୦ଏକର ଜମି ପ୍ରଥମ ପର୍ଯ୍ୟାୟରେ ଯୋଗାଇଛନ୍ତି । ତେବେ ଏଥିମଧ୍ୟରେ ଅନେକ ଜଙ୍ଗଲ ଜମି ଥିବାରୁ ସେଥିପାଇଁ ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ ହେଉଥିବା ଯୋଗୁ ପ୍ରକଳ୍ପ କାମ ଆଗେଇ ପାରୁନଥିବା କୁହାଯାଉଛି ।

ଇତିମଧ୍ୟରେ ରାଜ୍ୟ ସରକାର ପାଇକ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି । ତେବେ ଏଯାବତ୍‍ ଏହି ଏକାଡେମୀ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନଥିଲେ ମଧ୍ୟ ଏହାକୁ ଖୋର୍ଦ୍ଧା ନିକଟରେ ପ୍ରତିଷ୍ଠା କରିବା ଲାଗି ବିଭିନ୍ନ ମହଲରୁ ଦାବି ବଢି ଚାଲିଛି । ବିଭିନ୍ନ ପାଇକ ସଙ୍ଗଠନର କର୍ମକର୍ତ୍ତାମାନେ ବରୁଣେଇରେ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ଓ ପାଇକ ଏକାଡେମୀ ପ୍ରତିଷ୍ଠାକୁ ସ୍ୱାଗତ କରୁଥିଲେ ମଧ୍ୟ ପ୍ରକଳ୍ପ ବିଳମ୍ବ ଘେନି କ୍ଷୋଭ ପ୍ରକାଶ କରୁଛନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମନ୍ତ୍ରୀସ୍ତରୀୟ ଓ ଅଫିସରସ୍ତରୀୟ ଆଲୋଚନା ମାଧ୍ୟମରେ ପାଇକ ସ୍ମାରକୀ ପ୍ରକଳ୍ପ ଲାଗି ଉପୁଜିଥିବା ସମସ୍ୟାର ତ୍ୱରିତ ସମାଧାନ ଲାଗି ମତ ପ୍ରକାଶ ପାଉଛି । ଏମିତିକି ଏହି ପ୍ରକଳ୍ପ କାମ କେବେ ଶେଷ ହେବ ସେଥିଘେନି ନିର୍ଦ୍ଧିଷ୍ଟ ଭାବେ କର୍ତ୍ତୃପକ୍ଷ ଘୋଷଣା କରିବାକୁ ମଧ୍ୟ ଦାବି ହେଉଛି । (ତଥ୍ୟ)