Home News in Odia ଟ୍ରାଫିକ ଜୋରିମାନା ଦେବାକୁ ଲୋକେ ହୀନସ୍ତା

ଟ୍ରାଫିକ ଜୋରିମାନା ଦେବାକୁ ଲୋକେ ହୀନସ୍ତା

ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ତତ୍କାଳ ଜୋରିମାନା ଆଦାୟ କରାଯାଉ ନଥିବାରୁ ଲୋକେ ହଇରାଣ ହରକତ ହେଉଛନ୍ତି । ଯିଏ ଯେଉଁଠାରୁ ଧରାପଡିଲା ତାହାକୁ ନିକଟସ୍ଥ ଟ୍ରାଫିକ ଥାନା କିମ୍ବା ଗାଡି ରଖିବା ସ୍ଥାନକୁ ଯିବାକୁ ବାଧ୍ୟ କରାଯାଉଛି ।

ସହରରେ ଏବେ ଗାଡିମୋଟର ଯାଞ୍ଚ ଜୋରଦାର କରାଯାଇଥିବାବେଳେ ଲୋକଙ୍କ ଠାରୁ ଆଇନ୍‍ ଉଲ୍ଲଙ୍ଘନ ସ୍ଥଳୀରେ ଜୋରିମାନା ଆଦାୟ କରିବାର କୌଣସି ବ୍ୟବସ୍ଥା ନାହିଁ । ଯିଏ ଧରାପଡୁଛନ୍ତି ସେମାନଙ୍କୁ ସିଧାସଳଖ ନିକଟସ୍ଥ ଟ୍ରାଫିକ ଥାନାକୁ ନିଆଯାଉଛି । ଉଲ୍ଲଙ୍ଘନକାରୀଙ୍କ ସହିତ ଜଣେ ପୁଲିସ୍‍ କିମ୍ବା ଟ୍ରାଫିକ ପୁଲିସ୍‍ କାମ ଛାଡି ଯାଉଛନ୍ତି । ସେଠାରେ ପହଞ୍ଚିବା ପରେ ସମ୍ପୃକ୍ତ ଯାନକୁ ଥାନା ପରିସରରେ ଥିବା ଖୁଆଡରେ ରଖି ଦିଆଯାଉଛି ।

ଏହାପରେ ଗାଡି ଚାଳକ ଜଣଙ୍କ ଜୋରିମାନା ଦେବାକୁ ଗଲା ବେଳକୁ ତାକୁ କେବଳ ନଗଦ ଆକାରରେ ଅର୍ଥ ପଇଠ କରିବାକୁ କୁହାଯାଉଛି । ଯେଉଁମାନଙ୍କ ନିକଟରେ ନଗଦ ନାହିଁ ସେମାନେ ଆଖପାଖରେ ଥିବା ଏଟିଏମ୍‍କୁ ଦଉଡୁଛନ୍ତି । ତେବେ ରାଜ୍ୟ ସରକାର ଡିଜିଟାଲ ଦେୟ ଉପରେ ଜୋର ଦେଉଥିବାବେଳେ ଟ୍ରାଫିକ ପୁଲିସ୍‍ କାହିଁକି ଡିଜିଟାଲ ଉପାୟରେ ଜୋରିମାନା ଅର୍ଥ ନେଉନାହିଁ ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି ।

ସବୁଠାରୁ ବଡ କଥା ହେଉଛି ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ସେହି ସ୍ଥାନରେ ଜୋରିମାନା ଆଦାୟ ପାଇଁ ପରିବହନ ଅଧିକାରୀ ଓ ପୁଲିସ୍‍ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ବ୍ୟାଙ୍କ୍‍ର ପୋର୍ସ ମେସିନ୍‍ ଯୋଗାଇ ଦିଆଯାଇଥିଲା । ଏହା ଜରିଆରେ ଯେଉଁମାନେ ଚାହିଁବେ କାର୍ଡ ଜରିଆରେ ଅର୍ଥ ପଇଠ କରିବେ ନଚେତ୍‍ ୟୁପିଆଇ ଜରିଆରେ ଅର୍ଥ ଦେଇପାରିବେ । ଏହି ଅର୍ଥ ସିଧାସଳଖ ଭାବେ ସରକାରୀ ତହବିଲକୁ ଯିବ ।

ହେଲେ ରାସ୍ତା ଘାଟରେ ଆଇନ୍‍ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜୋରିମାନା ଆଦାୟ ନକରି ସେମାନଙ୍କୁ ନିକଟସ୍ଥା ଥାନାକୁ ଟାଣିବାକୁ ସାଧାରଣରେ ନାପସନ୍ଦ କରାଯାଉଛି । ଏହାଦ୍ୱାରା ଯେଉଁମାନେ ଜରୁରୀ କାର୍ଯ୍ୟ ବିଶେଷକରି ଡାକ୍ତରଖାନାକୁ ଯାଉଛନ୍ତି ସେମାନେ ଅଧିକ ହଇରାଣ ହେଉଛନ୍ତି । ଜୋରିମାନା ଟଙ୍କା ଗଣିବା ସହିତ ସେମାନଙ୍କର ବ୍ୟାପକ ସମୟ ଅପଚୟ ହେବାରେ ଲାଗିଛି ।

ବର୍ତ୍ତମାନ ସହର ସାରା ସିସିଟିଭି ଲାଗିଥିବାବେଳେ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କୁ ମେସେଜ୍‍ ପଠାଇ ଜୋରିମାନା ଆଦାୟର ମଧ୍ୟ ବ୍ୟବସ୍ଥା ରହିଛି । ଏଥିପାଇଁ ଟ୍ରାଫିକ ଦାୟିତ୍ୱରେ ଥିବା ପୁଲିସ୍‍ମାନେ ସ୍ଥଳ ବିଶେଷରେ ମୋଟରଯାନ ନମ୍ବରର ଫଟୋ ଉଠାଇ ପରବର୍ତ୍ତୀ ସମୟରେ ଚାଳକଙ୍କ ନିକଟକୁ ଜୋରିମାନାର ମେସେଜ ପଠାଉଛନ୍ତି । କିନ୍ତୁ ତାହାକୁ କାର୍ଯ୍ୟକାରୀ କରିବା ବଦଳରେ ଦୈନିକ ଶହ ଶହ ଦୁଇ ଚକିଆ ଓ ଚାରି ଚକିଆ ଯାନକୁ ଥାନାକୁ ଟାଣି ସେଠାରେ ଗହଳି କରିବା ଓ ଜୋରିମାନା ଆଦାୟ ପାଇଁ ଏକାଧିକ ପୁଲିସ୍‍ କର୍ମଚାରୀଙ୍କୁ ମୁତୟନ କରାଯିବା ଏବେ ବିଚିତ୍ର ସ୍ଥିତି ସୃଷ୍ଟି କରିଛି ।

ଏହାଦ୍ୱାରା ଡାକ୍ତରଖାନା, ଅଫିସ୍‍, କଲେଜ ଆଦିକୁ ଯାଉଥିବା ଛାତ୍ରଛାତ୍ରୀ, ବୟସ୍କ ଲୋକେ, ସମସ୍ତେ ଥାନା ପରିସରରେ ରୁଣ୍ଡ ହେଉଛନ୍ତି । ସେମାନଙ୍କୁ ଯଦି ନିୟମ ଉଲ୍ଲଙ୍ଘନ ସ୍ଥାନରେ ତୁରନ୍ତ ଜୋରିମାନା ଆଦାୟ କରି ଛାଡିଦିଆଯାଆନ୍ତା ତେବେ ଉଭୟ ସମୟ ଓ ମାନବ ସମ୍ବଳର ଯେଉଁ ଅପଚୟ ହେଉଛି ତାହାକୁ ରୋକାଯାଇ ପାରନ୍ତା ବୋଲି ଅନେକ ମତ ଦେଉଛନ୍ତି । (ତଥ୍ୟ)