Home Administration ଶହେ ମିନିଟରେ ସମାଧାନ

ଶହେ ମିନିଟରେ ସମାଧାନ

ଭୁବନେଶ୍ୱର : ଭୋଟ ଗ୍ରହଣ ସମୟରେ କୌଣସି ଅଘଟଣ ଅଭିଯୋଗ ପାଇଲା ମାତ୍ରେ ଶହେ ମିନିଟ୍‍ ଭିତରେ ଘଟଣା ସ୍ଥଳରେ ଅଧିକାରୀମାନେ ପହଞ୍ଚିବା ସହିତ ତାହାର ସମାଧାନ କରାଯିବ । ଏଥି ସହିତ ଯେଉଁ ବ୍ୟକ୍ତି ଅଭିଯୋଗ କରିଥିବେ ତାଙ୍କୁ ମଧ୍ୟ ସମାଧାନ ସଂକ୍ରାନ୍ତରେ ଅବଗତ କରି ଦିଆଯିବ ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଶ୍ରୀ କୁମାର କହିଛନ୍ତି ଯେ ଏଥିପାଇଁ କମିଶନଙ୍କ ପକ୍ଷରୁ ସି ଭିଜିଲ୍‍ ନାମରେ ଏକ ଆପ୍ଲିକେଶନ ପ୍ରସ୍ତୁତ ହୋଇଛି । ଯେକୌଣସି ବ୍ୟକ୍ତି ଏହାର ଲାଭ ଉଠାଇ ପାରିବେ ।

ଭୋଟ ଗ୍ରହଣବେଳେ କୌଣସି ସ୍ଥାନରେ ଯଦି ଅଘଟଣ ଘଟେ ତେବେ ସାଧାରଣ ବ୍ୟକ୍ତି ଉକ୍ତ ଆପ୍ଲିକେଶନ ଜରିଆରେ ଫଟୋ କିମ୍ବା ଭିଡିଓ ପଠାଇ ପାରିବେ । ଅଭିଯୋଗ ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବାର ବ୍ୟବସ୍ଥା ହେବ । ଫଟୋ କିମ୍ବା ଭିଡିଓ ସହିତ ସେହି ସ୍ଥାନର ନକ୍ସା ଯାଇଥିବାରୁ ସେଠାରେ ପହଞ୍ଚିବାରେ ସୁବିଧା ହେବ ।

ତେବେ ଯେଉଁ ବ୍ୟକ୍ତି ଅଭିଯୋଗ କରିଥିବେ ତାଙ୍କର ନାମ ଗୋପନ ରଖାଯିବ । ଘଟଣାର ସମାଧାନ ସଂକ୍ରାନ୍ତରେ ତାଙ୍କୁ ମଧ୍ୟ ଜଣାଇ ଦିଆଯିବ ।

ସେହିଭଳି ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି ଯେ ଓଡିଶା ବିଧାନସଭାର କାର୍ଯ୍ୟକାଳ ଜୁନ୍‍ ୨୪ତାରିଖରେ ସରୁଥିବାବେଳେ ଲୋକସଭାର କାର୍ଯ୍ୟକାଳ ଜୁନ୍‍ ୧୬ ତାରିଖରେ ସରିବାକୁ ଯାଉଛି । ସୁରୁଖୁରୁରେ ନିର୍ବାଚନ ଲାଗି ଓଡିଶା ଗସ୍ତରେ ଥିବା ନିର୍ବାଚନ କମିଶନ ଏଠାରେ ବିଭିନ୍ନ ରାଜନୈତିକ ଦଳ, ପୁଲିସ୍‍ ଓ ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ କମିଶନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଶ୍ରୀ କୁମାର କହିଛନ୍ତି ।

ସେ କହିଛନ୍ତି ଯେ ଓଡିଶାରେ ୩.୩୨ କୋଟି ଭୋଟର ଥିବାବେଳେ ଏଥି ମଧ୍ୟରେ ୧.୬୮ କୋଟି ପୁରୁଷ ଓ ୧.୬୨ କୋଟି ମହିଳା ରହିଛନ୍ତି । ସେହିଭଳି କିନ୍ନର ଭୋଟରଙ୍କ ସଂଖ୍ୟା ୩୩୮୦ ରହିଛି । ଓଡିଶାରେ ପ୍ରାୟ ୬.୮ଲକ୍ଷ ବରିଷ୍ଠ ନାଗରିକ ଭୋଟର ଥିବାବେଳେ ସେମାନେ କିଭଳି ସୁରୁଖୁରୁରେ ଭୋଟ ଦିଆଯିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ସେମାନେ ଚାହିଁଳେ ଫର୍ମ ୧୨-ଡି ରେ ଆବେଦନ କଲେ ସେମାନଙ୍କ ଘରେ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀମାନେ ପହଞ୍ଚିବା ସହିତ ଅସ୍ଥାୟୀ ବୁଥ୍‍ ସ୍ଥାପନ କରି ଭୋଟ ଗ୍ରହଣ କରାଇବେ ଏବଂ ସମସ୍ତ ପ୍ରିୟାର ଭିଡିଓ ରେକର୍ଡିଂ ହେବ ।

ସେହିଭଳି ମତଦାନକୁ ଅଧିକ ସ୍ୱଚ୍ଛ ଓ ନିରପେକ୍ଷ କରିବାପାଇଁ ଓଡିଶାରେ ହେବାକୁ ଥିବା ୩୭,୮୦୯ଟି ମତଦାନ କେନ୍ଦ୍ର ମଧ୍ୟରୁ ୨୨,୬୮୫ କେନ୍ଦ୍ରରେ ୱେବ କାଷ୍ଟିଂ କରାଯିବ । ସେଠାରେ କିଭଳି ଭାବେ ମତଦାନ ଚାଲୁଛି ତାହାକୁ ଅଧିକାରୀମାନେ ନିୟନ୍ତ୍ରଣ କକ୍ଷରେ ବସି ସିଧାସଳଖ ଭାବେ ଦେଖିପାରିବେ ।

ସେହଭଳି ରାଜ୍ୟରେ ମହିଳମାନେ ସୁରୁଖରୁରେ ଯେଭଳି ଭୋଟ ଦେବେ ସେଥିପାଇଁ ୪୦୦୦ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ସମସ୍ତ ମତଦାନ କେନ୍ଦ୍ରରେ ପାନୀୟଜଳ, ବିଜୁଳି ଭଳି ମୌଳିକ ସୁବିଧା ଉପଲବ୍ଧ ପାଇଁ ପ୍ରଶାସନ ଏବଂ ରାଜନୈତିକ ଦଳମାନଙ୍କୁ କୁହାଯାଇଛି ।

ସେହିଭଳି ମତଦାତାମାନେ କେୱାଇ ଆପ୍ଲିକେଶନ ମାଧ୍ୟମରେ ପ୍ରାର୍ଥୀମାନଙ୍କର ସମସ୍ତ ତଥ୍ୟ ପାଇପାରିବେ । ପ୍ରାର୍ଥୀଙ୍କ ଫଟୋ ସହିତ ସେମାନଙ୍କର ସମସ୍ତ ବିବରଣୀ ଏଥିରେ ଉପଲବ୍ଧ ହେବ । ବିଭିନ୍ନ ରାଜନୈତିକ ଦଳମାନଙ୍କ ପାଇଁ କମିଶନଙ୍କ ପକ୍ଷରୁ ସୁବିଧା ପୋର୍ଟାଲ କାର୍ଯ୍ୟକାରୀ ହେଉଛି । ଏହା ଜରିଆରେ ବିଭିନ୍ନ ସଭା ସମିତି ପାଇଁ ଆବେଦନ କରାଯାଇ ପାରିବ ।
ମତଦାନ ପରେ ପରେ ସମସ୍ତ ରାଜନୈତିକଦଳର ଏଜେଣ୍ଟଙ୍କୁ ଫର୍ମ ସି ରେ ମତଦାନର ବିବରଣୀ ପ୍ରଦାନ କରାଯିବ । ଗଣତି ସମୟରେ ଏଜେଣ୍ଟମାନେ ତାହାକୁ ମିଳାଇ ପାରିବେ । ସେହିଭଳି ଭିଭିପାଟ୍‍ଗୁଡିକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରଖାଯିବ ଏବଂ ସେଠାରେ ରାଜନୈତିକ ଦଳର ପ୍ରତିନିଧିଙ୍କୁ ପହରା ଦେବାପାଇଁ ଅନୁମତି ମିଳିବ ।

ନିର୍ବାଚନ ସମୟରେ ଓଡିଶାରେ ମୁତୟନ ହେବାକୁ ଥିବା ପର୍ଯ୍ୟବେକ୍ଷକମାନଙ୍କ ଫୋନ୍‍ ନମ୍ବର ମତଦାତାଙ୍କ ପାଇଁ ଉପଲବ୍ଧ ହେବ ଏବଂ ସେମାନେ ନିର୍ଦ୍ଧାରିତ ସ୍ଥାନ ଓ ସମୟରେ ମତଦାତାମାନଙ୍କୁ ଭେଟିବେ ବୋଲି ମୁଖ୍ୟ ର୍ନିବାଚନ କମିଶନର କହିଛନ୍ତି ।