ଭୁବନେଶ୍ୱର : ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ଫ୍ୟାଟି ଲିଭର ରୋଗର କାରଣ, ସମସ୍ୟା ଓ ନିରାକରଣ ସମ୍ପର୍କିତ ଏକ କନଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମଇ) କାର୍ଯ୍ୟକ୍ରମ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆୟୋଜିତ ହୋଇଯାଇଛି ।
ଯେଉଁ ଶିଶୁମାନଙ୍କର ଓଜନ ବୃଦ୍ଧି ଘଟିଛି, ସେମାନେ ହାଇପର୍ ଟେନସନ ଅଥବା ମେଟାବୋଲିକ୍ ସିନଣ୍ଡ୍ରୋମ୍ ଭଳି ସମସ୍ୟା ମଧ୍ୟରେ ଗତି କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ନନ୍ ଆଲକହଲିକ୍୍ ଫ୍ୟାଟି ଲିଭର ରୋଗ (ଏନଏଏଫଏଲ୍ଡି) ନିମନ୍ତେ ପରୀକ୍ଷା କରାଇ ନେବା ଉଚିତ୍ ବୋଲି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ନିରଞ୍ଜନ ମହାନ୍ତି କହିଛନ୍ତି । ବର୍ତମାନ ସାଧାରଣରେ ଏହା ଏକ ଜଟିଳ ସମସ୍ୟା ଭାବେ ଉଭା ହୋଇଛି ।
ଏହି ଅବସରରେ ମୁମ୍ବାଇସ୍ଥିତ ଏମଜିଏମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ସାଇନସେସର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ନିମାଇ ଚରଣ ମହାନ୍ତି କହିଥିଲେ ଯେ ଶିଶୁମାନଙ୍କ କ୍ଷେତ୍ରରେ ହେପାଟାଇଟିସ୍ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି ତେଣୁ ସମାଜରୁ ଏହି ସଂକ୍ରମଣକୁ କମ୍ କରିବାର ଆବଶ୍ୟକତା ରହିଛି ।
ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଗ୍ୟାଷ୍ଟ୍ରୋ ଏନଟେରୋଲୋଜିଷ୍ଟ ଡଃ ବୈଭବ ଭେଙ୍କଟେଶ ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ପ୍ୟାନକ୍ରିଆଟିକ୍ (ଅଗ୍ନାଶୟ) ରୋଗ ସମ୍ପର୍କରେ ଆଲୋକପାତ କରିଥିଲେ ।
ଇଣ୍ଡିଆନ୍ ଏକାଡେମିକ୍ ଅଫ୍ ପେଡିଆଟ୍ରିକ୍ସ (ଆଇଏପି)ର ସଦସ୍ୟମାନଙ୍କ ସମେତ ୭୫ ଜଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବିଭାଗର ବରିଷ୍ଠ ଫାକଲ୍ଟି ମେମ୍ବର୍ସ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏହି ସିଏମଇକୁ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଉଦ୍ଘାଟନ କରିଥିବା ବେଳେ ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସନାଲ ଡିନ୍ ଡଃ ଅଜୟ କୁମାର ଜେନା, ଶିଶୁରୋଗ ବିଭାଗର ମୁଖ୍ୟ ଡଃ ମମତା ଦେବୀ ମହାନ୍ତି, ଆଇଏପିର ଭୁବନେଶ୍ୱର ଶାଖାର ସଭାପତି ଡଃ ନରେଶ ଚନ୍ଦ୍ର ଆଚାର୍ଯ୍ୟ ଏବଂ ସଂପାଦକ ଡଃ ଶୁଶୃତ ଦାସ ଉପସ୍ଥିତ ଥିଲେ ।
ଡଃ ମମତା ଦେବୀ ମହାନ୍ତି ଏବଂ ଡଃ ବିଶ୍ୱଜିତ ମିଶ୍ର ଆଲୋଚନାକୁ ପରିଚାଳନା କରିଥିବା ବେଳେ ଡଃ ମୃତ୍ୟୁଞ୍ଜୟ ଦାଶ ଏବଂ ଡଃ ବ୍ରଜ କିଶୋର ବେହେରା ଉପସ୍ଥିତ ଥିଲେ ।