ଭୁବନେଶ୍ୱର : ଓଡିଶା ବାଲି ନୀତି ପ୍ରଣୟନରେ ବିଳମ୍ବକୁ ନେଇ ଆଜି ବିଧାନସଭାରେ ଉଠିଥିଲା ଝଡ । ପ୍ରଶ୍ନକାଳରେ ବିଧାୟକମାନେ ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିବା ସହିତ କାହିଁକି ବାଲି ନୀତି ପ୍ରଣୟନ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବି ବାଲି ନୀତି ପ୍ରଣୟନରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକଟ ସହିତ କାହିଁକି ରାଜ୍ୟ ସରକାର ୩ବର୍ଷ ଧରି ତର୍ଜମା କରୁଛନ୍ତି ବୋଲି ପଚାରିଥିଲେ ।
ଆଜି ପ୍ରଶ୍ନକାଳର ପ୍ରଥମ ପ୍ରଶ୍ନଟି ଥିଲା ଓଡିଶା ବାଲି ନୀତି ସଂକ୍ରାନ୍ତରେ । ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ମୂଳ ପ୍ରଶ୍ନ ଉପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା ଓ ବିଧାୟକ ସୁବାସ ପାଣିଗ୍ରାହୀ ଅତିରିକ୍ତ ପ୍ରଶ୍ନମାନ ପଚାରିଥିଲେ ।
ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ କହିଥିଲେ ଯେ ଓଡିଶା ବାଲି ନୀତି କାର୍ଯ୍ୟକାରୀ ପାଇଁ ୨୦୧୮ ଏପ୍ରିଲ୍ ମାସରେ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା । ଚିଠା ପ୍ରସ୍ତୁତି ତର୍ଜମା ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟରେ ଏଯାବତ୍ ବାଲି ବ୍ୟବହାରର ବାର୍ଷିକ ଚାହିଦା ଆକଳନ କରାଯିବାର ବ୍ୟବସ୍ଥା ହୋଇନାହିଁ । ତେବେ ୨୦୧୮-୧୯ ବସିହାରୁ ଲଗାତାର ଭାବେ ଓଡିଶାରୁ ବାହାର ରାଜ୍ୟକୁ ବାଲି ରପ୍ତାନି ହେଉଛି ।
ବିଜେପି ବିଧାୟକ ଶ୍ରୀ ମାଝି କହିଥିଲେ ଯେ ରାଜ୍ୟରେ ବାଲି ନୀତି ନଥିବାରୁ ଓଡିଶା ପ୍ରାୟ ୫୦୦୦ କୋଟି ଟଙ୍କାର ରାଜସ୍ୱ ହରାଉଛି । କାହିଁକି ୩ବର୍ଷ ଧରି ଏହାର ତର୍ଜମା ଚାଲିଛି ବୋଲି ସେ ପ୍ରଶ୍ନ କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଥିଲେ ଯେ କୋରାପୁଟ ଜିଲ୍ଲାରୁ ଦୈନିକ ଶହ ଶହ ଟ୍ରକ ବାଲି ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଛି । ବାଲି ଟେଣ୍ଡର ସମୟରେ ମାଫିଆମାନେ ଯେତିକି ପରିମାଣ ବାଲି ଦେଖାଉଛନ୍ତି ବର୍ଷସାରା ତାହାଠାରୁ ଢେର ଅଧିକ ପରିମାଣ ବାଲି ଖୋଳି ନେଉଛନ୍ତି ।
ଇନ୍ଦିରା ଆବାସ, ସରକାରୀ କୋଠା ବାଡି କାମ ପାଇଁ ବାଲି ଦରକାର । ଗୋଟିଏ ଟ୍ରକ ବାଲିର ଦର ଏବେ ୧୫ହଜାର ଟଙ୍କା ହେଲାଣି । କେବଳ ଗଞ୍ଜାମ ଜିଲ୍ଲାରୁ ବାଲି ବାବଦରେ ୩୦୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଛି । ଏହା ବାଦ୍ ନବରଙ୍ଗପୁର ଓ କୋରାପୁଟର କ୍ଷତି ରହିଛି । ଶ୍ରୀ ବାହିନିପତି କହିଥିଲେ ଯେ ମାଫିଆମାନେ ଟ୍ରକରେ ବାଲି ନେଇଯାଉଥିବାବେଳେ ସରକାରୀ ବାବୁମାନେ ଟ୍ରାକ୍ଟର ଜବତ କରି ୬୦ହଜାର ଟଙ୍କାର ଜୋରିମାନା ଲଗାଉଛନ୍ତି । ଟ୍ରାକ୍ଟର ମୂଲ୍ୟ ଠାରୁ ଜୋରିମାନା ଅଧିକ ହୋଇଯାଉଛି ।
କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଦୟା, କୁଆଖିଆ, ମହାନଦୀରୁ ଚୋରା ବାଲି ଉଠିବା ଦର୍ଶାଇବା ସହିତ ରାଜ୍ୟରେ ଏ ବାବଦରେ ବାର୍ଷିକ ୨୦ହଜାର କୋଟି ଟଙ୍କାର ରାଜସ୍ୱ ହରାଉଥିବା କହିଥିଲେ । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ବାହାର ରାଜ୍ୟକୁ ବାଲି ଚାଲାଣ ପାଇଁ ପରମିଟ୍ କିଏ ପ୍ରଦାନ କରୁଛି । ଆନ୍ଧ୍ର ପ୍ରଦେଶରେ ନଦୀରୁ ବାଲି ଉଠାଇବା ଉପରେ କଟକଣା ଥିବାରୁ ଓଡିଶା ବାଲି ସେଠାରେ କିଲୋ ଦରରେ ବିକ୍ରି ହେଉଛି । ବଙ୍ଗମୁଣ୍ଡା ବ୍ଲକରେ ବ୍ୟାପକ ବାଲି ର୍ଦୁୀନତି ହେଉଥିବା ସେ କହିଥିଲେ ।
ଗୃହର ଉଦ୍ବେଗକୁ ଲକ୍ଷ୍ୟକରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ବାଲି ସମସ୍ୟାକୁ ନେଇ ପ୍ରାୟ ପଚାଶ ଜଣ ସଦସ୍ୟ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି । ଆଇନ୍ ହେଉନାହିଁ କାହିଁକି ?
ଉତ୍ତରରେ ରାଜସ୍ୱ ମନ୍ତ୍ରୀ କହିଥିଲେ ଯେ ଖୁବ୍ଶୀଘ୍ର ଓଡିଶା ବାଲି ନୀତି ପ୍ରଣୟନ ପାଇଁ ପଦକ୍ଷେପ ନିଆଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ କିଭଳି ବେଆଇନ୍ ବାଲି ଚାଲାଣ ନହେବ ସେଥିପାଇଁ ସ୍କ୍ୱାଡ୍ ଗଠନ ହୋଇ ଚଢାଉ ଚାଲିଛି । ତେବେ ବାଲି ମାଫିଆଙ୍କ ବିରୁଦ୍ଧରେ ସରକାରୀ ଅଧିକାରୀମାନେ ୫ହଜାରରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲଗାଇପାରିବେ ବୋଲି ସେ କହିଥିଲେ । ଏଥି ସହିତ ଅନ୍ୟ ରାଜ୍ୟକୁ ବାଲି ଯିବା ନିୟମ ସମ୍ମତ ଓ ଓଡିଶା ହାଇକୋର୍ଟ କହିବା ପରେ ବାଲି ଦିଆଯାଉଥିବା ମନ୍ତ୍ରୀ କହିଥିଲେ ।