Home Education ମାର୍ଚ୍ଚ ୧ରୁ ସକାଳୁଆ ସ୍କୁଲ

ମାର୍ଚ୍ଚ ୧ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର : ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ମାର୍ଗଦର୍ଶିକା ଜାରି କରାଯାଇଛି । ପୂର୍ବରୁ ଜାରି କରାଯାଇଥିବା କୋଭିଡ୍ ମାର୍ଗଦର୍ଶିକା ସହିତ ଏହି ମାର୍ଗଦର୍ଶିକାକୁ ପାଳନ କରାଯିବ ।

ଜାରି ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡ଼ିକରେ ନବମ ଓ ଏକାଦଶ ଶ୍ରେଣୀଗୁଡ଼ିକର ପାଠପଢା ସକାଳ ୮.୩୦ରୁ ୧୦ଟା ପରିବର୍ତ୍ତେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀଗୁଡ଼ିକ ସକାଳ ୧୧ଟାରୁ ଅପରାହ ୪ ପରିବର୍ତ୍ତେ ସକାଳ ୯ଟାରୁ ଅପରାହ ୧ଟା ପର୍ଯ୍ୟନ୍ତ ଚାଲିବ ।

ଜିଲ୍ଲା ଶିକ୍ଷା ଅଧିକାରୀମାନେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କିମ୍ବା ପୌରପରିଷଦ ସହ ଯୋଗାଯୋଗ ରକ୍ଷା କରି ଅଚଳ ଥିବା ନଳକୂପଗୁଡ଼ିକର ମରାମତି ସହ ବିଦ୍ୟାଳୟରେ ପାନୀୟ ଜଳ ଉପଲବ୍ଧକୁ ସୁନିଶ୍ଚିତ କରିବେ । ଏଥି ସହ ବିଦ୍ୟାଳୟମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ୍ ଗଚ୍ଛିତ ରଖିବେ ଏବଂ ଏହା ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଉପଲବ୍ଧ କରାଇବେ ।

ଯେଉଁ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ କର୍ମଚାରୀମାନଙ୍କ ପାଇଁ ପରିବହନ ସେବା ଯୋଗାଇ ଦେଉଛନ୍ତି ସେମାନେ କୋଭିଡ୍‌-୧୯ ମାର୍ଗଦର୍ଶିକାର ଅନୁପାଳନ ସହ ଖରାରୁ ଦୂରେଇ ରଖିବା ପରି ସେବା ଯୋଗାଇଦେବେ । ଅଭିଭାବକମାନଙ୍କୁ ପିଲାମାନଙ୍କୁ ପାଣିବୋତଲ ସାଙ୍ଗରେ ଦେବା ପାଇଁ ସଚେତନ କରାଯିବ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସ୍କୁଲ ପରିଚାଳନା କମିଟି ଏ ବାବଦରେ ସଚେତନତା ସୃଷ୍ଟି କରିବେ ।

ପ୍ରଧାନଶିକ୍ଷକମାନେ ପିଲାମାନଙ୍କୁ ଗ୍ରୀଷ୍ମପ୍ରବାହରୁ ସୁରକ୍ଷିତ ରହିବା ପାଇଁ ଶିକ୍ଷା ଦେବା ସହ ସେମାନଙ୍କୁ ସଚେତନ କରାଇବେ । ପାଠପଢା ସମୟରେ ପିଲାମାନେ ବାହାରେ ଖରାକୁ ଯିବେ ନାହିଁ କିମ୍ବା କୌଣସି ଖେଳକୁଦ ପରି ଶାରୀରିକ କାର୍ଯ୍ୟ କରିବେ ନାହିଁ ।