ଭୁବନେଶ୍ୱର : ଶିକ୍ଷା ଅଧିକାର ଆଇନ୍ (ଆର୍ଟିଇ) ଅନ୍ଲାଇନ୍ ପୋର୍ଟାଲ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶୁଭାରମ୍ଭ କରି କହିଛନ୍ତି ଯେ ସମସ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ଏବଂ ଆର୍ଥିକ ସ୍ତରର ଦୁର୍ବଳ ଶ୍ରେଣୀର ପିଲାମାନଙ୍କୁ ପ୍ରବେଶ ସ୍ତର ଶ୍ରେଣୀରେ ମୋଟ୍ ସିଟ୍ର ୨୫ ପ୍ରତିଶତ ସଂରକ୍ଷିତ ଆସନରେ ନାମ ଲେଖାଇବା ବାଧ୍ୟତାମୂଳକ ।
ବର୍ତ୍ତମାନ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ଅଫ୍ଲାଇନ୍ ମୋଡ୍ରେ ଏହି ପ୍ରକ୍ରିୟା କରୁଥିଲେ, କିନ୍ତୁ ୨୦୨୧-୨୨ ଶିକ୍ଷାବର୍ଷରୁ ଏହା ଅନ୍ଲାଇନ୍ ପ୍ରକ୍ରିୟାକୁ ସ୍ଥାନାନ୍ତରିତ ହୋଇଛି । ବର୍ତ୍ତମାନଠାରୁ ୨୫ ପ୍ରତିଶତ ସଂରକ୍ଷିତ ଆସନରେ ନାମଲେଖା ପ୍ରକ୍ରିୟା ଅନ୍ଲାଇନ୍ ଆରଟିଇ ପୋର୍ଟାଲ www.rteparadarshi.odisha.gov.in ମାଧ୍ୟମରେ କାର୍ଯ୍ୟକାରୀ ହେବ ।
ଏହି ନୂତନ ପ୍ରକ୍ରିୟାରେ ସମସ୍ତ ବେସରକାରୀ ବିଦ୍ୟାଳୟ (ଯେଉଁମାନେ ଓଡ଼ିଶା ସରକାରଙ୍କଠାରୁ ସ୍ୱୀକୃତି ସାର୍ଟିଫିକେଟ୍ ପାଇଛନ୍ତି)ଗୁଡ଼ିକ ନିଜକୁ ଏହି ପୋର୍ଟାଲରେ ପଂଜିକୃତ କରିବାକୁ ପଡ଼ିବ ଏବଂ ଏହା ପରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ସମାନ ପୋର୍ଟାଲରେ ଥିବା ନିକଟ ବିଦ୍ୟାଳୟରେ ଆବେଦନ କରିବାର ସୁଯୋଗ ପାଇବେ ।
ଛାତ୍ରମାନଙ୍କ ଦ୍ୱାରା ଅନ୍ଲାଇନ୍ ଆବେଦନ ପରେ ସଂପୃକ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ହାର୍ଡ କପି ଡକୁ୍ୟମେଣ୍ଟ ଯାଞ୍ଚ/ଯୋଗ୍ୟତା ଯାଞ୍ଚ ଆରମ୍ଭ କରିବେ ଏବଂ ସେହି ଯୋଗ୍ୟ ପିଲାମାନଙ୍କୁ ରାଜ୍ୟ ସ୍ତରରେ ଅନ୍ଲାଇନ୍ କେନ୍ଦ୍ରୀଭୂତ ଲଟେରୀ ପାଇଁ ଅନୁମୋଦନ କରିବେ ।
ଲଟେରୀ ବିଜେତା ପିଲାମାନେ ବିଦ୍ୟାଳୟରେ ସିଧାସଳଖ ଆଡ୍ମିଶନ୍ ପାଇଁ ଏକ ସୁଯୋଗ ପାଇବେ, ଯାହାକି ଅଷ୍ଟମ ଶ୍ରେଣୀ ଶିକ୍ଷା ସମାପ୍ତ କରିବା ପର୍ଯ୍ୟନ୍ତ । ଏହି ୨୫ ପ୍ରତିଶତ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ କୌଣସି ଶୁÂ ଲାଗୁ କରିବାକୁ କୌଣସି ଘରୋଇ ବିଦ୍ୟାଳୟ ଯୋଗ୍ୟ ହେବେ ନାହିଁ ।
ଶିକ୍ଷାମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଏହା ଘରୋଇ ବିଦ୍ୟାଳୟରୁ ବଞ୍ଚିତ ପିଲାମାନଙ୍କ ପାଇଁ ୨୫ ପ୍ରତିଶତ ସଂରକ୍ଷଣ କୋଟା ଅଧୀନରେ ସଂପୂର୍ଣ୍ଣ ନାମଲେଖା ପ୍ରକ୍ରିୟାକୁ ସରଳ କରିବ ଏବଂ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ମଧ୍ୟ ବୃଦ୍ଧି କରିବ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ଅନ୍ଲାଇନ୍ ସିଷ୍ଟମ ଗଣଶିକ୍ଷା ବିଭାଗ, ବେସରକାରୀ ବିଦ୍ୟାଳୟ ସମେତ ସମସ୍ତ ହିତାଧିକାରୀଙ୍କ ପାଇଁ ଲାଭଦାୟକ ହେବ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବଞ୍ଚିତ ପିଲାମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ । ମନ୍ତ୍ରୀ ୦୮୦-୪୫୬୮୩୩୫୫ ହେଲ¬ଲାଇନ୍ ନମ୍ବର ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ କୌଣସି ସାହାଯ୍ୟ ଆବଶ୍ୟକ ହେଲେ ମିସକଲ୍ ଦେଇପାରିବେ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ଅତିରିକ୍ତ ଶାସନ ସଚିବ ରଘୁରାମ ଆୟାର, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବିରଞ୍ଚିନାରାୟଣ ମହାନ୍ତି ଏବଂ ଯୁଗ୍ମ ନିର୍ଦ୍ଦେଶକ ପ୍ରୀତି ପ୍ରତିମା ଭୋଳ ପ୍ରମୁଖ ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ ।