Home News in Odia ପୁରୀରେ ବନ୍ଦ ହେଉ ନିଶା କାରବାର

ପୁରୀରେ ବନ୍ଦ ହେଉ ନିଶା କାରବାର

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପୁରୀ ସମତେ ସମଗ୍ର ରାଜ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଏହାକୁ ବଜାୟ ରଖିବାପାଇଁ ପୁରୀ ସହରକୁ ନିଶାମୁକ୍ତ ସହିତ ବଡଦାଣ୍ଡରେ ଆମିଷ ବିକ୍ରି ଉପରେ କଟକଣା ଲଗାଇବାକୁ ମତପ୍ରକାଶ ପାଇଛି । ଏହା କାର୍ଯ୍ୟକାରୀ ହେଲେ ପୁରୀ ସହରର ପବିତ୍ରତା ଆହୁରି ବୃଦ୍ଧି ପାଇବ ବୋଲି ନିଶାମୁକ୍ତ ଅଭିଯାନର ସଦସ୍ୟମାନେ ମତବ୍ୟକ୍ତ କରୁଛନ୍ତି ।

ଆଗାମୀ ୧୭ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଜୋରସୋର କାର୍ଯ୍ୟ ଚାଲିଛି । ସମଗ୍ର ରାଜ୍ୟରେ ଶ୍ରୀଜଗନ୍ନାଥ ପରିକ୍ରମା ରଥ ବୁଲିବା ସହିତ ଲୋକଙ୍କ ଘରୁ ଗୁଆ ଓ ଅରୁଆଚାଉଳ ସଂଗ୍ରହ ହେଉଛି । ଗାଁ ଗାଁରେ ସଙ୍କୀର୍ତ୍ତନ ଚାଲିଛି । ସେହିଭଳି ବହୁ ସଂଖ୍ୟାରେ ଲୋକେ ଯେଭଳି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଆସିବେ ସେଥବପାଇଁ ବନ୍ଦୋବସ୍ତ ଚାଲିଛି ।

ଏଭଳି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୁରୀ ସହରକୁ ନିଶାମୁକ୍ତ କରିବା ଜରୁରୀ ବୋଲି କହିଛନ୍ତି ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ ପ୍ରହଲ୍ଲାଦ ସିଂହ । ନିଶାମୁକ୍ତ ଆନ୍ଦୋଳନ ସହିତ ଜଡିତ ଥିବା ଶ୍ରୀ ସିଂହ କହିଛନ୍ତି ଯେ ପୁରୀ ସହରକୁ ନିଶାମୁକ୍ତ କରାଯିବା ଏକାନ୍ତ ଜରୁରୀ ହୋଇ ପଡିଛି । ବର୍ତ୍ତମାନ ଏଠାକୁ ଦେଶ ଓ ବିଦେଶରୁ ଭକ୍ତମାନେ ଆସିବା ସହିତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ତେଣୁ ଏହା ପରଠାରୁ ପୁରୀ ସହରରେ ଥିବା ସମସ୍ତ ମଦ ଦୋକାନକୁ ସ୍ଥାୟୀ ଭାବେ ବନ୍ଦ କରାଯିବା ସହିତ ବଡଦାଣ୍ଡରେ ଆମିଷ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ସେ ମତ ଦେଇଛନ୍ତି ।

ଉଲ୍ଲେଖନୀୟ ଯେ ପୁରୀକୁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀମାନେ ଆସୁଥିବାରୁ ସେଠାରେ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ନକଲି ମଦ ସମେତ ଗଞ୍ଜେଇ, ବ୍ରାଉନସୁଗାର ଓ କୋକେନ ଭଳି ନିଷିଦ୍ଧ ନିଶା ସାମଗ୍ରୀ ପୁରୀରେ ଜବତ ହେଉଛି । ବହୁ ସମୟରେ ନିଶା ସେବନ କରି ସମୁଦ୍ରରେ ଗାଧୋଉଥିବା ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛି । ଏଥିଯୋଗୁଁ କେବଳ ପୁରୀର ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେଉନାହିଁ, ଏହି ଐତିହ୍ୟ କ୍ଷେତ୍ର ମଧ୍ୟ ବଦନାମ ମୁଣ୍ଡାଇବାରେ ଲାଗିଛି ।

ସେହିଭଳି ବଡ ଦାଣ୍ଡରେ ଆମିଷ ବିକ୍ରିକୁ ମଧ୍ୟ ଅନେକ ନାପସନ୍ଦ କରୁଛନ୍ତି । ପର୍ବୂରୁ ଏ ନେଇ ଅନେକ ଆପତ୍ତି ଆସିଥିବାବଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରଠାରୁ ବଡଦାଣ୍ଡକୁ ସମ୍ପୂର୍ଣ୍ଣ ଆମିଷମୁକ୍ତ କରିବାକୁ ଦାବି ହେଉଛି । ବଡଦାଣ୍ଡ ପାଶ୍ୱର୍ରେ ଥିବା ମାଛ, ମାଂସ ଦୋକାନଗୁଡିକୁ ସ୍ଥାୟୀଭାବେ ଅନ୍ୟତ୍ର ଉଠାଇବା ସପକ୍ଷରେ ଲୋକେ ମତଦେବାରେ ଲାଗିଛନ୍ତି ।

ଉଲ୍ଲେଖନୀୟ ଯେ ପୁରୀ ଠାରେ ଆଗାମୀ ୧୭ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେଉଥିବାବେଳେ ଏହାର ପାଞ୍ଚଦିନ ପରେ ଅର୍ଥାତ୍‍ ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମମନ୍ଦିର ଉଦ୍‍ଘାଟିତ ହେବ । ସେହିଦିନ ଶ୍ରୀରାମ ମନ୍ଦିରରେ ବିଗ୍ରହମାନଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ । ସେଥିପାଇଁ ମନ୍ଦିରର ପ୍ରାୟ ୨୦ କିଲୋମିଟର ଦୂରରେ ନିଶା କାରବାର ଉପରେ କଟକଣା ଲଗାଯାଇଛି । ଇତି ମଧ୍ୟରେ ଆସାମ ସରକାର ମଧ୍ୟ ସେହିଦିନ ରାଜ୍ୟରେ ମଦ କାରବାର ଉପରେ କଟକଣା ଜାରି କରିଛନ୍ତି । ଏଭଳି ସ୍ଥିତିରେ ଐତିହ୍ୟ ସହର ପୁରୀରେ ମଦ ଦୋକାନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବା ସହିତ ନିଶା କାରବାର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ବଢିବାରେ ଲାଗିଛି । (ତଥ୍ୟ)