Home Finance କୃଷି ଋଣ ପ୍ରଦାନରେ ସମବାୟ ବ୍ୟାଙ୍କ ଆଗରେ

କୃଷି ଋଣ ପ୍ରଦାନରେ ସମବାୟ ବ୍ୟାଙ୍କ ଆଗରେ

ଭୁବନେଶ୍ୱର : ରାଜ୍ୟର କୃଷକମାନଙ୍କୁ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ ସବୁଠାରୁ ଆଗରେ ଥିବାବେଳେ ଘରୋଇ ବ୍ୟାଙ୍କ୍‍ଗୁଡିକ ସବୁଠାରୁ ପଛରେ ପଡିଛନ୍ତି । ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରଦାନ କୃଷକମାନଙ୍କୁ ପ୍ରଦାନ କରାଯାଇଥିବା ଏହି ଋଣ ମଧ୍ୟରୁ ଘରୋଇ ବ୍ୟାଙ୍କ୍‍ମାନେ ୮.୨ ପ୍ରତିଶତ ଦେଇଥିବାବେଳେ ସମବାୟ ବ୍ୟାଙ୍କ୍‍ ୪୫.୫୯ ପ୍ରତିଶତ ଋଣ ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ୫୮,୭୭୬.୧୬ କୋଟି ଟଙ୍କାର ଋଣ ପ୍ରଦାନର ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ସେପ୍ଟେମ୍ବର ଶେଷ ସୁଦ୍ଧା ଏହାର ୬୧.୫୮% ଅର୍ଥାତ୍‍ ୩୬,୧୯୨.୫୫ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ପ୍ରତ୍ୟେକ ଋଣର ହାରାହାରି ପରିମାଣ ୭୨ହଜାର ଟଙ୍କା ଆକଳନ ହୋଇଛି । ତେବେ ଦିଆଯାଇଥିବା ଫସଲ ଋଣ ମଧ୍ୟରୁ ଘରୋଇ ବ୍ୟାଙ୍କ୍‍ଗୁଡିକ ମାତ୍ର ୧୭୫୪.୫୪ କୋଟି ଟଙ୍କା ପ୍ରଦାନ କରିଛନ୍ତି, ଯାହାକି ମୋଟ୍‍ ଦିଆଯାଇଥିବା ଋଣ ୮.୨% । ସେହିଭଳି ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକର ୮୨୮୬.୩୩ କୋଟି ଟଙ୍କାର ଋଣ ଅର୍ଥାତ୍‍ ୩୮%ପ୍ରଦାନ କରିଛନ୍ତି । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ ୯୭୦୪.୬୭ କୋଟି ଅର୍ଥାତ୍‍ ୪୫.୫୯ % ଋ ପ୍ରଦାନ କରିଛନ୍ତି ।

ସେହିଭଳି ମୋଟ୍‍ ଋଣ ମଧ୍ୟରୁ ପ୍ରାୟ ୧୫ହଜାର କୋଟି ଟଙ୍କାର ମିଆଦୀ ଋଣ ଥିବାବେଳେ ଏଥିରୁ ରାଷ୍ଟ୍ରାୟତ ବ୍ୟାଙ୍କ୍‍ଗୁଡିକ ୬୨.୧୮% ପ୍ରଦାନ କରିଥିବାବେଳେ ଘରୋଇ ବ୍ୟାଙ୍କ୍‍ଗୁଡିକ ୨୭.୮୨% ଦେଇଛନ୍ତିା

କୃଷିଋଣ ପଦାନ କ୍ଷେତ୍ରରେ ପଞ୍ଜାବ ନେସନାଲ ବ୍ୟାଙ୍କ୍‍ ସବୁଠାରୁ ଆଗରେ ରହିଛି । ଏହି ବ୍ୟାଙ୍କ୍‍ ଧାର୍ଯ୍ୟ ଲକ୍ଷ୍ୟର ୧୧୨.୮୧ ପ୍ରତିଶତ ଋଣ ଦେଇଥିବାବେଳେ ଆକ୍ସିସ ବ୍ୟାଙ୍କ୍‍ ୯୦.୦୪%, ୟୁଜିବି ୮୪.୬୪%, ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ୍‍ ୧୬୩.୧୨%, ଆଇଡିଏଫ୍‍ସି ଫାଷ୍ଟ ବ୍ୟାଙ୍କ୍‍ ୧୬୧.୫୮% ଭଳି ବ୍ୟାଙ୍କ୍‍ ଭଲ ପ୍ରଦାନ କରିଥିବାବେଳେ ଏଚ୍‍ଡିଏଫ୍‍ସି, ଆଇଡିବିଆଇ, ଆଇସିଆଇସିଆଇ ଓ ଓଡିଶା ଗ୍ରାମ୍ୟବ୍ୟାଙ୍କ୍‍ର ପ୍ରଦର୍ଶନ ଏ କ୍ଷେତ୍ରରେ ଭଲ ନାହିଁ ।

ସେହିଭଳି ଚାଷୀମାନଙ୍କୁ ପ୍ରଦାନ କରାଯାଇଥିବା ଋଣ ମଧ୍ୟରେ ଖୋରଧା ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏଠାରେ ଚାଷୀମାନଙ୍କୁ ଧାର୍ଯ୍ୟ ଲକ୍ଷ୍ୟର ୧୦୪ ପ୍ରତିଶତ ଋଣ ପ୍ରଦାନ କରାଯାଇଥିବାବେଳେ କଟକରେ ୮୦.୬୪%, ଗଞ୍ଜାମରେ ୭୬.୫୬%, ସୋନପୁରରେ ୭୬%, ନୂଆପଡାରେ ୭୪.୭୨% ଋଣ ପ୍ରଦାନ କରାଯାଇଛି । ଏହି ଜିଲ୍ଲାଗୁଡିକ କୃଷିଋଣ ପ୍ରଦାନ କ୍ଷେତ୍ରରେ ଆଗରେ ରହିଥିବାବେଳେ କେନ୍ଦୁଝର, ଯାଜପୁର, ସୁନ୍ଦରଗଡ ଓ ବରଗଡ ଭଳି ଜିଲ୍ଲା ଢେର ପଛରେ ପଡିଛନ୍ତି ।

ତେବେ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧୬୮୫ଟି ଆବେଦନ ବିଚାରାଧିନ ଥିବାବେଳେ ମତ୍ସ୍ୟଚାଷ କ୍ଷେତ୍ରରେ ୩୫୩ ଏବଂ ପଶୁସମ୍ପଦ କ୍ଷେତ୍ରରେ ୧୯୭୧ ଋଣ ଆବେଦନ ପଡି ରହିଛି । ତେବେ ମତ୍ସ୍ୟଚାଷ ପାଇଁ ଆସିଥିବା ଆବେଦନ ମଧ୍ୟରୁ ୮୦୯୫ଟିଖାରଜ ହୋଇଥିବାବେଳେ ପଶୁସମ୍ପଦ ପାଇଁ ପଡିଥିବା ଆବେଦନ ମଧ୍ୟରୁ ୪୧ହଜାର ଖାରଜ ହୋଇଛି ।

ସେହିଭଳି ବଳରାମ ଯୋଜନାରେ ବ୍ୟାଙ୍କ୍‍ମାନଙ୍କର ପ୍ରଦର୍ଶନ ସେତେଟା ଭଲ ନାହିଁ । ଏହି ଯୋଜନାରେ ଏକ ଲକ୍ଷରୁ ଅଧିକ ଆବେଦନ ପଡିଥିବାବେଳେ ବ୍ୟାଙ୍କ୍‍ମାନେ ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରାୟ ୨୧ହଜାର ଆବେଦନକୁ ଋଣ ପ୍ରଦାନ କରିଥିବା ଜଣାଯାଇଛି । (ତଥ୍ୟ)