Home Environment ପ୍ଲାଷ୍ଟିକ ମୁକ୍ତ ପିକନିକ୍ ପାଇଁ ଆହ୍ୱାନ

ପ୍ଲାଷ୍ଟିକ ମୁକ୍ତ ପିକନିକ୍ ପାଇଁ ଆହ୍ୱାନ

ଭୁବନେଶ୍ୱର :  ପ୍ଲାଷ୍ଟିକ୍ ବ୍ୟବହାର ବିନା ପିକନିକ୍ ବା ବଣଭୋଜି କରିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏ ଦିଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ “ୟୁଥ୍ ଫର୍ ୱାଟର” ସାମାଜିକ ଅନୁଷ୍ଠାନ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ କରୁଛନ୍ତି । ଅନ୍ୟ ପରିବେଶପ୍ରେମୀ ଜନସାଧାରଣ, ନାଗରିକ ସମାଜ ଓ  ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ମଧ୍ୟ ନିଜ ନିଜ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିଆସୁଛନ୍ତି ।

ଏହି ଆହ୍ୱାନ ହେଉଛି ଏକ ନିଆରା ଏବଂ ପ୍ରଶଂସନୀୟ ପଦକ୍ଷେପ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ  “ୟୁଥ୍ ଫର୍ ୱାଟର” ର  ଉଦ୍ୟମ ପାଇଁ ସମସ୍ତେ ସମର୍ଥନ କରିବା ସହ ଏହି ପ୍ରୟାସରେ ଅନ୍ୟମାନେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି । କାରଣ ପ୍ଲାଷ୍ଟିକ୍ ମୁକ୍ତ ବଣଭୋଜିର ଆହ୍ୱାନ, ଏହା କେବଳ ଆମର ପରିବେଶକୁ  ସବୁଜ ଏବଂ ସୁସ୍ଥ ରଖିବାରେ ସୁନିଶ୍ଚିତ କରେ ନାହିଁ, ବରଂ ଆମର ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଏହି ଧାରାକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ, ବାର୍ତ୍ତା ଦେଇଥାଏ  ।

ଏହି ପରିପ୍ରେକ୍ଷୀରେ ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରକୃତି ଆମକୁ ପରିବେଶରୁ ଅନେକ ସେବା ପ୍ରଦାନ କରିଥାଏ । ତେଣୁ   ପ୍ରକୃତି ମାତାଙ୍କ ରକ୍ଷକ  ଭାବରେ ତାଙ୍କର ଯତ୍ନ ନେବା ଆମର ଦାୟିତ୍ୱ । ଆଗାମୀ  ଖ୍ରୀଷ୍ଟମାସ  ଓ  ନୂଆବର୍ଷ ଅବସରରେ  ଯେତେବେଳେ ପର୍ଯ୍ୟଟକ,ଯୁବ ବର୍ଗ ତଥା ଜନସାଧାରଣ ପ୍ରକୃତିର ଶାନ୍ତ ଓ କମନୀୟ ଦୃଶ୍ୟକୁ ଉପଭୋଗ କରିବା ପାଇଁ କୌଣସି ପ୍ରାକୃତିକ ସ୍ଥାନ ବା ପର୍ଯ୍ୟଟନ ସ୍ଥଳକୁ ଯାଉଥାନ୍ତି, ଯଥାସମ୍ଭବ ପୁନଃ ବ୍ୟବହାରଯୋଗ୍ୟ ସାମଗ୍ରୀ ନେବାକୁ ଅନୁରୋଧ କରିଛନ୍ତି । ଥରେ ମାତ୍ର ବ୍ୟବହାର ଯୋଗ୍ୟ ବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ନ କରିବାକୁ ପରାମର୍ଶ ଦେବା ସହିତ ମାଟିର ମିଶିପାରୁଥିବା ବା ଜୈବ ବିଘଟନ ହୋଇପାରୁଥିବା ଭଳି ପତ୍ରରେ ପ୍ରସ୍ତୁତ ପ୍ଲେଟ୍ ଏବଂ କପ୍ ଭଳି ସବୁଜ ସାମଗ୍ରୀ ବ୍ୟବହାର କରିବା ସହ ବ୍ୟବହାର ପରେ ପିକନିକ୍  ସ୍ପଟ୍ ସଫା କରିବାକୁ ନଭୁଲିବାକୁ ସେ ଅନୁରୋଧ କରିଛନ୍ତି । ଏଥିସହ ପିକନିକ୍ ସମୟରେ ବାହାରୁଥିବା ବର୍ଜ୍ୟବସ୍ତୁକୁ ନିର୍ଦ୍ଧାରିତ ସ୍ଥାନରେ ପକାଇବା, ଜାଗାକୁ ଅଳିଆ ଆବର୍ଜନା ମୁକ୍ତ ରଖିବାକୁ ସେ ଦୋହରାଇଛନ୍ତି ।

ସମସ୍ତଙ୍କୁ ଗ୍ରୀନ୍ ପିକନିକ୍  ଆମ୍ବାସାଡର ହେବା ଏବଂ ଏହି ବାର୍ତ୍ତାକୁ ସମସ୍ତ ନିକଟ ସମ୍ପର୍କୀୟଙ୍କ  ମଧ୍ୟରେ ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିବା ସହ ସେ ଆଗାମୀ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ  ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।