Home Health କୋଭିଡ କଟକଣା କେବେ ?

କୋଭିଡ କଟକଣା କେବେ ?

ଭୁବନେଶ୍ୱର : ପୁଣି କୋଭିଡ୍‍ ମହାମାରୀ କଡ଼ ଲେଉଟାଉଥିବାବେଳେ କଟକଣା ଜାରି ହେଉନଥିବାରୁ ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ ପ୍ରତିବିଧାନ ବ୍ୟବସ୍ଥା ପ୍ରାୟ କେହି ପାଳନ କରୁନାହାନ୍ତି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଏବେ ସରକାରୀ ଖର୍ଚ୍ଚରେ ଉତ୍ସବର ବାତାବରଣ ଲାଗି ରହିଥିବାରୁ କେଉଁଠି ଯେ କେତେବେଳେ କୋଭିଡ୍‍ ସଂକ୍ରମଣ ଆତଙ୍କ ସୃଷ୍ଟି କରିବ ତାହା କେହି କଳ୍ପନା କରିପାରୁନାହାନ୍ତି ।

ସେହିଭଳି ରାଜ୍ୟ ଭିତରେ ଓ ଦେଶର ବିଭିନ୍ନ ପ୍ରଦେଶରେ କୋଭିଡ୍‍ ସଂକ୍ରମିତ ଚିହ୍ନଟ ହୋଇଥିବା ଘେନି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିବାବେଳେ ରାଜନୈତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆଳରେ ହଜାର ହଜାର ଲୋକ ସମବେତ ହେଉଥିବାରୁ ଏହାମଧ୍ୟ ପ୍ରଶ୍ନବାଚୀ ଉଠାଇଲାଣି । ବିଶେଷ କରି ଜାନୁଆରୀ ୧୭ରେ ହେବାକୁ ଥିବା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‍ଘାଟନ ଓ ଅଯୋଧ୍ୟାରେ ଜାନୁୟାରୀ ୨୨ରେ ହେବାକୁ ଥିବା ଶ୍ରୀରାମମନ୍ଦିର ଉଦ୍‍ଘାଟନ କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ସମବେତ ହେବାର ସମ୍ଭାବନା ରହିଥିବା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଗଭୀର ଚିନ୍ତାବ୍ୟକ୍ତ କରୁଛନ୍ତି । ଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ପରିପ୍ରେକ୍ଷୀରେ ଛୋଟ ବଡ଼ ସବୁ ରାଜନୈତିକ ଦଳ ଏବେ ସକ୍ରିୟ ହୋଇ ଉଠିଛନ୍ତି ଏବଂ ବ୍ୟାପକ ରାଜନୈତିକ ସଭାସମିତି ହେଉଛି । ଏଥିରେ ବି କୋଭିଡ୍‍ ମାର୍ଗଦର୍ଶିକା କେହି ପାଳନ କରୁନାହାନ୍ତି ।

ପ୍ରଥମଥର ପାଇଁ କୋଭିଡ୍‍ ମହାମାରୀ ଭାରତକୁ ଆସିବାବେଳେ କେରଳରେ ଜଣେ ମାତ୍ର ରୋଗୀ ଚିହ୍ନଟ ହୋଇଥିଲେ । ସେହିଭଳି ଏହାପରେ ଓଡ଼ିଶାରେ ବି ୨ଜଣ ବିଦେଶ ଫେରନ୍ତା କୋଭିଡ୍‍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଦିନ କେଇଟାରେ ସାରା ଦେଶରେ କୋଭିଡ୍‍ ସଂକ୍ରମଣ ବୃଦ୍ଧି ପାଇ ବ୍ୟାପକ ଧନଜୀବନ କ୍ଷତି ଘଟାଇଥିଲା । ଯେଉଁମାନେ ବି କୋଭିଡ୍‍ରୁ ବର୍ତ୍ତି ଯାଇଥିଲେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଫୁସ୍‍ଫୁସ୍‍ ସଂକ୍ରମଣ, ହୃଦ୍‍ରୋଗ ସମେତ ଅନ୍ୟାନ୍ୟ ସମସ୍ୟାରେ ଘାଣ୍ଟି ହୋଇ ମୃତ୍ୟୁବରଣ କରିଛନ୍ତି । ସିଧାସଳଖ ଭାବେ କୋଭିଡ୍‍ରେ ଯେତେ ଲୋକ ମରିଛନ୍ତି ତା’ଠାରୁ ଢେର୍‍ ଅଧିକ ସଂଖ୍ୟକ କୋଭିଡ୍‍ ସଂକ୍ରମିତ ଅନ୍ୟ ରୋଗରେ ମରିଛନ୍ତି ।

କୋଭିଡ୍‍ ସମୟରେ ଲୋକେ କଟକଣା ଯୋଗୁ ହାଟ ବଜାରରେ ସମବେତ ହୋଇପାରୁନଥିଲେ । ବଡ଼ ଧରଣର ସାମାଜିକ, ଧାର୍ମିକ ଓ ରାଜନୈତିକ ଉତ୍ସବାନୁଷ୍ଠାନ ମଧ୍ୟ ହୋଇପାରୁନଥିଲା । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଏମିତିକି ଧୁମପାନ, ମଦ୍ୟପାନ, ରାସ୍ତାରେ ଗୁଟ୍‍ଖା ଓ ପାନଛେପ ଆଦି ପକାଇବା ଉପରେ ମଧ୍ୟ କଟକଣା ରହିଥିଲା । ଏବେ ଖୁବ୍‍ ଅଳ୍ପ ସଂଖ୍ୟକ ଲୋକ ମାସ୍କ ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ ନିଶାସେବନ ଢେର୍‍ ବଢି ଯାଇଛି । ହାଟବଜାରଠାରୁ ଆରମ୍ଭ କରି ଉତ୍ସବାନୁଷ୍ଠାନରେ ମଧ୍ୟ ନାହିଁ ନଥିବା ଭିଡ ହେଉଛି । ଯଦି ଏଭଳି ଭିଡ ସ୍ଥାନରେ ଚିହ୍ନଟ ହୋଇନଥିବା କୋଭିଡ୍‍ ସଂକ୍ରମିତ ଥିବେ ତା’ ହେଲେ ଅଳ୍ପ କେଉଁଘଣ୍ଟା ମଧ୍ୟରେ ହଜାର ହଜାର ଲୋକ ପୁଣି କୋଭିଡ୍‍ କବଳରେ ପଡିବେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ସାମାଜିକ କର୍ମୀମାନେ ସମ୍ଭାବ୍ୟ କୋଭିଡ୍‍ ସଂକ୍ରମଣ ଘେନି ବେଶ୍‍ ଚିନ୍ତିତ ଅଛନ୍ତି । ରାଜ୍ୟରେ ଓ ଦେଶରେ ପୁଣି କୋଭିଡ୍‍ ଫଣା ଟେକିବା ପୂର୍ବରୁ ଏହାକୁ ନିୟନ୍ତ୍ରଣରେ ରଖିବାଲାଗି ଏବେଠାରୁ ସବୁସ୍ତରରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଅବଶ୍ୟ ଏ ସଂକ୍ରାନ୍ତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଜାଗ ରହିବା ପାଇଁ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାର ବି ଥଣ୍ଡା ରୋଗକୁ ହାଲୁକାରେ ନନେଇ ଏହାର ଠିକଣା ଉପଚାର ସହ ସନ୍ଧିଗ୍ଧ ଲୋକମାନଙ୍କର ବ୍ୟାପକ କୋଭିଡ୍‍ ଟେଷ୍ଟ କରାଇବା ପାଇଁ ପ୍ରସ୍ତୁତ ରହିବାକୁ କୁହାଗଲାଣି । ରାଜ୍ୟ ସରକାର ମଧ୍ୟ ବୟସ୍କ, ବହୁବିଧ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ କୋଭିଡ୍‍ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଚିକିତ୍ସାବିଜ୍ଞାନୀମାନେ କହୁଛନ୍ତି ଯେ ଆତଙ୍କିତ ନହୋଇ ଧର୍ଯ୍ୟ ଓ ଶୃଙ୍ଖଳାର ସହ ଗତଥର ଭଳି ଲୋକେ ପ୍ରତିକାର ବ୍ୟବସ୍ଥାକୁ ଆପଣାଇନେଲେ ସମସ୍ୟା ଉପୁଯିବା ସମ୍ଭାବନା ରହିବନାହିଁ । (ତଥ୍ୟ)