Home Education ୩୨ ଏକଲବ୍ୟ ବିଦ୍ୟାଳୟ ପାଠପଢା

୩୨ ଏକଲବ୍ୟ ବିଦ୍ୟାଳୟ ପାଠପଢା

ଭୁବନେଶ୍ୱର : ଓଡିଶାକୁ ୧୦୬ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ମଞ୍ଜୁର ହୋଇଥିବାବେଳେ ଏଥିରୁ ଏବେ ୩୨ଟିରେ ପାଠପଢା ହେଉଛି । ଏହିସବୁ ବିଦ୍ୟାଳୟରେ ୯୬୬୪ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବିନ୍‍ ପାୱାର ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଓଡିଶାକୁ ୧୦ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ମଞ୍ଜୁର ହୋଇଥିବାବେଳେ ଏଥିରୁ ୩୨ଟିରେ ପାଠପଢା ହେଉଛି ଏବଂ ପ୍ରତିବର୍ଷ ଏହିସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ଦର୍ଶାଯାଇଛି ଯେ ୨୦୨୦-୨୧ ବର୍ଷରେ ବଲାଙ୍ଗିର ପୁଇଁତଳା ଠାରେ ଥିବା ଏକଲବ୍ୟ ଆବାସିକ ବିଦ୍ୟାଳୟରେ ୧୭୦ଜଣ ଛାତ୍ରଛାତ୍ରୀ ଥିବାବେଳେ ୨୦୨୨-୨୩ବର୍ଷରେ ତାହା ୨୮୨କୁ ବୃଦ୍ଧି ପାଇଛି । ସେହିଭଳି ବାଲେଶ୍ୱରର ନୀଳଗିରିରେ ଥିବା ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୦ରୁ ୧୭୪କୁ ବଢିଛି । ପ୍ରାୟ ସମସ୍ତ ବିଦ୍ୟାଳୟରେ ବିଗତ ତିନିବର୍ଷରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ପାଠପଢା ହେଉଥିବା ବିଦ୍ୟାଳୟ ତାଲିକାରେ ଦେବଗଡରେ ଗୋଟିଏ ବିଦ୍ୟାଳୟ ଥିବାବେଳେ ଗଜପତିରେ ଦୁଇଟି, ଯାଜପୁରରେ ଗୋଟିଏ, ଝାରସୁଗୁଡାରେ ଗୋଟିଏ, କଳାହାଣ୍ଡିରେ ଗୋଟିଏ, କନ୍ଧମାଳରେ ୨ଟି, କେନ୍ଦୁଝରରେ ଦୁଇଟି, କୋରାପୁଟରେ ୩ଟି, ମାଲକାନଗିରିରେ ଦୁଇଟି, ମୟୁରଭଞ୍ଜରେ ୪ଟି, ନବରଙ୍ଗପୁରରେ ଗୋଟିଏ, ନୂଆପଡାରେ ଗୋଟିଏ, ରାୟଗଡାରେ ୩ଟି, ସମ୍ବଲପୁରରେ ଗୋଟିଏ ଏବଂ ସୁନ୍ଦରଗଡରେ ସର୍ବାଧିକ ୫ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ରହିଛି ।

ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିନଥିବା ବିଦ୍ୟାଳୟ ମଧ୍ୟରୁ କେତେକ ୨୦୧୯-୨୦ ବର୍ଷରେ ମଞ୍ଜୁର ହୋଇଥିବାବେଳେ ଏହା ପରଠାରୁ ମଧ୍ୟ କେତେକ ବିଦ୍ୟାଳୟକୁ କେନ୍ଦ୍ରୀୟ ମଞ୍ଜୁର ମିଳିଛି । ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ, ଗଜପତି ଜିଲ୍ଲାର ନୂଆଗଡ ଝାରସୁଗୁଡାର ରାଇକେରା ଭଳି ସ୍ଥାନକୁ ୨୦୧୯-୨୦ ବର୍ଷରୁ କେନ୍ଦ୍ର ସରକାର ଏକ ଲବ୍ୟ ଆବାସିକ ବିଦ୍ୟାଳୟ ମଞ୍ଜୁର କରିଥିଲେ ବି ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଏହିଭଳି ଅନେକ ମଞ୍ଜୁରପ୍ରାପ୍ତ ବିଦ୍ୟାଳୟ ରହିଛି ।

ସେହିଭଳି ମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ସ୍ୱୟଂଶାସିତ ଅନୁଷ୍ଠାନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଯୋଜନାକୁ କାର୍ଯ୍ୟକାରୀ କରୁଥିବାବେଳେ ଦୈନନ୍ଦିନ କାର୍ଯ୍ୟ ପରିଚାଳନା ରାଜ୍ୟ ସରକାରଙ୍କ ଏକଲବ୍ୟ ସମିତି ହାତରେ ରହିଛି । ଯଦି କୌଣସି ଠାରେର ବିଦ୍ୟାଳୟ ବିରୁଦ୍ଧରେ ହେଉଥିବା ଅଭିଯୋଗ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇର୍ ଥିବା ଜାତୀୟ ଶିକ୍ଷା ସମିତି ନଜରକୁ ଆସେ ତେବେ ରାଜ୍ୟ ସମିତି ଜରିଆରେ ତାହା ଅନୁଧ୍ୟାନ ସହିତ ସରଜମିନ ତଦନ୍ତ ପାଇଁ ଅଧିକାରୀମାନଙ୍କୁ ପଠାଯାଇ ଥାଏ । (ତଥ୍ୟ)