Home Health ରାଜଧାନୀରେ ବିଶୁଦ୍ଧ ଜଳ ଚିନ୍ତା

ରାଜଧାନୀରେ ବିଶୁଦ୍ଧ ଜଳ ଚିନ୍ତା

ଭୁବନେଶ୍ୱର : ଦୂଷିତ ପିଇବା ପାଣି ପାଇଁ ସ୍ମାର୍ଟସିଟି ରାଉରକେଲାରେ ହଇଜା ବ୍ୟାପିଥିବାବେଳେ ରାଜଧାନୀରେ ଏବେ ପିଇବା ପାଣିର ମାନକୁ ନେଇ ଚିନ୍ତା ବଢିବାରେ ଲାଗିଛି । ବିଭିନ୍ନ ପାଣିଟାଙ୍କି ପରିସରରେ ମାଳ ମାଳ ବେଆଇନ୍‍ ଘର ଓ ପାଇଖାନା ନିର୍ମାଣ ଯୋଗୁଁ ରାଜଧାନୀରେ ରାଉରକେଲା ଭଳି ସ୍ଥିତି ଉପୁଜିବା ନେଇ ଆଶଙ୍କା ପ୍ରକାଶ କରାଯାଉଛି ।

ରାଜଧାନୀବାସୀଙ୍କୁ ପାନୀୟଜଳ ଯୋଗାଣ ପାଇଁ ସହର ଭିତରେ ବିଭିନ୍ନ ସ୍ଥାନରେ ରହିଛି ପାଣିଟାଙ୍କି । ଏଠାରେ ମାଟିତଳେ ବଡ ବଡ ଟାଙ୍କି ଥିବାବେଳେ ସୁଉଚ୍ଚ ପାଣିଟାଙ୍କି ବି ରହିଛି । ପ୍ରଥମେ ବିଶୋଧିତ ଜଳ ଆସି ଭୂତଳ ଟାଙ୍କିରେ ରହିବାପରେ ସେଠାରୁ ମୋଟର ଯୋଗେ ସୁଉଚ୍ଚ ପାଣିଟାଙ୍କିକୁ ଉଠାଯାଏ ଏବଂ ପରେ ବିଭିନ୍ନ ଅଞ୍ଚଳକୁ ଏହା ପଠାଯାଇଥାଏ ।

ତେବେ ପାଣିଟାଙ୍କି ଥିବା ଅଞ୍ଚଳଟି ନିଷିଦ୍ଧାଞ୍ଚଳ ହୋଇଥିବାବେଳେ ଏବେ ସେଠାରେ ମାଳ ମାଳ ଘର, ପାଇଖାନା ଓ ଗାଧୁଆଘର ନିର୍ମାଣ ହୋଇଛି । ଲୋକେ ଏହା ପରିସରରେ ପିଲାଛୁଆ ଧରି ରହୁଛନ୍ତି । ଦୋକାନୀମାନେ ବି ପାଣିଟାଙ୍କିର ପାଚେରୀ କାଟି ଗାଧୁଆଘର, ପାଇଖାନା ଆଦି ନିର୍ମାଣ କରୁଛନ୍ତି । ଏପରିକି ଗୋଟିଏ ଗୋଟିଏ ନିଷିଦ୍ଧାଞ୍ଚଳରେ ଏକାଧିକ ପରିବାର ରହୁଛନ୍ତି ।

ଅତ୍ୟନ୍ତ ସମ୍ବେଦନଶୀଳ ଓ ନିଷିଦ୍ଧାଞ୍ଚଳ ହୋଇଥିବାରୁ ଭୂତଳଜଳ ଗଚ୍ଛିତ ରହୁଥିବା ଏହି ଅଞ୍ଚଳକ ପରିସରକୁ ସ୍ୱରେଜ ଲାଇନ୍‍ର ସଂଯୋଗ ନାହିଁ । କାରଣ ଏହାଦ୍ୱାରା ଭୂତଳ ଜଳ ଦୂଷିତ ହେବାର ଅଧିକ ସମ୍ଭାବନା ରହିଛି । ହେଲେ ଏବେ ଏକାଧିକ ପରିବାର ବସବାସ କରୁଥିବା ଏହି ଅଞ୍ଚଳରୁ ବାହାରୁଥିବା ବର୍ଜ୍ୟଜଳ କୁଆଡେ ଯାଉଛି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ନିଷିଦ୍ଧାଞ୍ଚଳକୁ କିଏ କାହା ଅନୁମତିରେ ସ୍ୱରେଜ ସଂଯୋଗ ଦେଇଛି ତାହା ବି ଅନେକଙ୍କୁ ଚକିତ କରିଛି ।

ପାଣିଟାଙ୍କି ଥିବା ଏହି ନିଷିଦ୍ଧାଞ୍ଚଳଟି ଏବେ ରହିଛି ୱାଟ୍‍କୋ ହାତରେ । ୱାଟ୍‍କୋର ମୁଖ୍ୟ ଦପ୍ତର ରହିଛି ରାଜଧାନୀରେ ଏବଂ କେତେକ ସ୍ଥାନରେ ଏହାର ଯନ୍ତ୍ରୀ ଓ ଅଧିକାରୀମାନଙ୍କ ଦପ୍ତର ଏହି ନିଷିଦ୍ଧାଞ୍ଚଳରେ ରହିଛି । ତେବେ ସେମାନଙ୍କ ଆଖିଆଗରେ ନିଷିଦ୍ଧାଞ୍ଚଳରେ ମାଳ ମାଳ ପାଇଖାନା ନିର୍ମାଣ ହେଉଥିଲେ ମଧ୍ୟ ସେମାନେ କିଭଳି ଆଖିବୁଜି ଦେଇଛନ୍ତି ତାହା ଅନେକଙ୍କୁ ଚକିତ କରିଛି । ଏପରିକି ଏହିସବୁ ନିଷିଦ୍ଧାଞ୍ଚଳରୁ ଆଦାୟ ହେଉଥିବା ଲକ୍ଷ ଲକ୍ଷ ଟଙ୍କାର ଘରଭଡା କାହା ପକେଟକୁ ଯାଉଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ରାଜଧାନୀରେ ବିଭିନ୍ନ ୟୁନିଟ୍‍ରେ ନିଯୁକ୍ତ ଜଳସାଥୀମାନେ କେବଳ ଜଳ ଟିକସ ଆଦାୟରେ ଲିପ୍ତ ରହୁଥିବାବେଳେ ଜଳର ମାନ ପରୀକ୍ଷା ଉପରେ ସେତେଟା ଗୁରୁତ୍ୱ ଦେଉ ନାହାନ୍ତି । ତେଣୁ କେଉଁ ଅଞ୍ଚଳରେ ଜଳର ମାନ କ’ଣ ରହୁଛି ତାହା ହିତାଧିକାରୀ ଜାଣିବା କଷ୍ଟକର । ଏଭଳି ସ୍ଥିତିରେ ଖୋଦ ନିଷିଦ୍ଧାଞ୍ଚଳର ବର୍ଜ୍ୟଜଳରୁ ଯଦି ରାଜଧାନୀରେ ରାଉରକେଲା ସ୍ଥିତି ଉପୁଜେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)