ଭୁବନେଶ୍ୱର : ଚାକିରି ଆଶାରେ ରୋଜଗାର ମେଳାକୁ ଆସିଥିବା ଯୁବକ ଯୁବତୀମାନେ ବେତନକୁ ଦେଖି ମୁହଁ ମୋଡିଛନ୍ତି । ଡିଗ୍ରୀଧାରୀମାନଙ୍କ ପାଇଁ ମାସିକ ୧୦/୧୨ ହଜାର ଟଙ୍କା ପାଉଣା ଦେଖି ଅନେକ ହତାଶ ବି ହୋଇଛନ୍ତି ।
ରାଜଧାନୀରେ ଥିବା କେନ୍ଦ୍ରୀୟ ସଂସ୍ଥା ନେସନାଲ ଇନଷ୍ଟିଟ୍ୟୁଟ ଅଫ୍ ଇଲେକଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ ଟେକ୍ନୋଲୋଜି (ଏନ୍ଆଇଏଲଆଇଟି) ପରିସରରେ ଆୟୋଜିତ ହୋଇଥିଲା ରୋଜଗାର ମେଳା । ଏଥିପାଇଁ ବ୍ୟାପକ ପ୍ରଚାର ପ୍ରସାର ହୋଇଥିବାରୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିକ୍ଷିତ ଯୁବକ ଯୁବତୀମାନେ ଛୁଟି ଆସିଥିଲେ ।
ଆଜିର ଏହି ରୋଜଗାର ମେଳାରେ ପ୍ରାୟ ଦଶଟି କମ୍ପାନୀ ଅଂଶଗ୍ରହଣ କରିଥିଲେ । ଏଥି ମଧ୍ୟରେ ଔଷଧ କମ୍ପାନୀଙ୍କ ଠାରୁ ଆରମ୍ଭକରି କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଥିଲେ । ଅଧିକାଂଶଙ୍କ ବେତନ ୧୦/୧୨ ଟଙ୍କା ମଧ୍ୟରେ ରହିଥିଲା । ଏପରିକି ଯୁକ୍ତ ଦୁଇ ସହିତ କମ୍ପ୍ୟୁଟର ସାର୍ଟିଫିକେଟ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ପାଉଣା ଥିଲା ୯ହଜାର ଟଙ୍କା । ଡିଗ୍ରୀଧାରୀମାନଙ୍କ ପାଇଁ ମାସିକ ସର୍ବାଧିକ ୧୨ହଜାର ଟଙ୍କା ଥିବା ଆଶାୟୀମାନେ କହିଛନ୍ତି ।
ତେବେ ଦିନକୁ ଆଠ ଘଣ୍ଟା କାର୍ଯ୍ୟ କରିବାର ପ୍ରସ୍ତାବ ସହିତ ମାସକୁ ୯ହଜାର ଟଙ୍କା ଦରମା ଦେବାକୁ କିଛି କମ୍ପାନୀ କହିବା ଆଶାୟୀ ଛାତ୍ରଛାତ୍ରୀମାନଙ୍କ ଆଶ୍ଚର୍ଯ୍ୟ କରିଥିଲା । ଦିନକୁ ୩୦୦ ଟଙ୍କାରେ ଆଠ ଘଣ୍ଟା କାମ କରିବାକୁ ଅନେକ ନାପସନ୍ଦ କରିଥିଲେ । ସେହିଭଳି ମେଳାକୁ ଆସିଥିବା କିଛି କମ୍ପାନୀ ବର୍ଷେ ଦୁଇ ବର୍ଷର ଅଭିଜ୍ଞତା ପ୍ରମାଣପତ୍ର ମାଗିବା ବି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପକ୍ରଟ କରିଥିଲା ।
କେବଳ ଏହି ରୋଜଗାର ମେଳା ନୁହେଁ, ପୂର୍ବରୁ ଏହି କେନ୍ଦ୍ରୀୟ ସଂସ୍ଥାରୁ କମ୍ପ୍ୟୁଟର ଶିକ୍ଷିତ ଯୁବକ ଯୁବତୀଙ୍କୁ କିଛି ସଂସ୍ଥା ଚାକିରି ଦେବା ନାଁରେ ନେଇ ମାସିକ ୬ରୁ ୮ହଜାର ଟଙ୍କାରେ କାର୍ଯ୍ୟ କରାଉଛନ୍ତି । ଏହି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ବେତନ ବୃଦ୍ଧି ସହିତ ଅଭିଜ୍ଞତା ପ୍ରମାଣପତ୍ରର ଲୋଭ ଦେଖାଇ ଏଭଳି କମ୍ ପାରିଶ୍ରମିକରେ କାର୍ଯ୍ୟ କରାଉଥିବାର ଅଭିଯୋଗ ହେଉଛି । ଏପରିକି ରାଜ୍ୟରେ କାର୍ଯ୍ୟ କରୁଥିବା କିଛି ଆଇଟି ସଂସ୍ଥା ମଧ୍ୟରେ ଅତି କମ୍ ପାରିଶ୍ରମିକରେ କମ୍ପ୍ୟୁଟର ଡିଗ୍ରୀଧାରୀମାନଙ୍କୁ କାମ କରାଉଛନ୍ତି ।
ବହୁ ପ୍ରଚାରିତ ରୋଜଗାର ମେଳାରେ ରାଜ୍ୟର ଯୁବକ ଯୁବତୀଙ୍କୁ ଏତେ କମ୍ ପାରିଶ୍ରମିକରେ କାମ ମିଳୁଥିବାବେଳେ ଏହା ଉପରେ କିନ୍ତୁ ଶ୍ରମ ବିଭାଗ କିମ୍ବା ଅନ୍ୟ କାହାରି ନଜର ନଥିବା କୁହାଯାଉଛି । ଏପରିକି କମ୍ପ୍ୟୁଟର ଡିଗ୍ରୀଧାରୀମାନେ ଜଣେ ଅର୍ଦ୍ଧକୁଶଳୀ ଶ୍ରମିକ ଦୈନିକ ପାଉଥିବା ପାଉଣା ଠାରୁ କମ୍ ପାରିଶ୍ରମିକରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସ୍ଥିତିରେ ଏହା କିଛି କମ୍ପାନୀ ଓ ସଂସ୍ଥାଙ୍କର ଶୋଷଣ ନୀତି ବୋଲି ଚାକିରି ଆଶାୟୀମାନେ ମତ ଦେଉଥିବାବେଳେ ଏହା ଉପରେ ରାଜ୍ୟ ସରକାର ନଜର ଦେବାକୁ ଦାବି ହେଉଛି । (ତଥ୍ୟ)