ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ସହିତ ବିଧାନସଭାର ବଜେଟ୍ ଅଧିବେଶନ ଆଜି ଆରମ୍ଭ ହୋଇଛି । ରାଜ୍ୟପାଳ ଦୀର୍ଘ ଏକଘଣ୍ଟା ଧରି ରଖିଥିବା ଭାଷଣରେ ସରକାରଙ୍କ ବିଭିନ୍ନ ସଫଳତାକୁ ବଖାଣିଛନ୍ତି ।
ରାଜ୍ୟପାଳ କହିଛନ୍ତି ଯେ କରୋନା ମହାମାରୀ ସତ୍ତ୍ୱେ ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି । ଚଳିତବର୍ଷ ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟ ସରକାର ୩୮,୭୬୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି ଯାହାକି ଗତବର୍ଷର ଏହି ସମୟସୁଦ୍ଧା ଆଦାୟ ହୋଇଥିବା ରାଜସ୍ୱ ତୁଳନାରେ ୭.୩ ପ୍ରତିଶତ ଅଧିକ ଅଟେ । ସେହିଭଳି ବିଭିନ୍ନ ବ୍ୟାଙ୍କରେ ଗଚ୍ଛିତ ରହିଥିବା ସରକାରୀ ଅର୍ଥ ମଧ୍ୟରୁ ୨୮୦୦ କୋଟି ଟଙ୍କା ଫେରାଇ ଅଣାଯାଇସାରିଲାଣି ।
ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ରାଜ୍ୟ ସରକାର ୪.୭ ଲକ୍ଷ ନଳକୂପ, ୧୩,୦୫୦ ପାଇପ୍ ଜଳଯୋଗାଣ ପ୍ରକଳ୍ପ ସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ୨୦୯ଟି ସୌରଚାଳିତ ଟ୍ୟୁବୱେଲ ସୁବିଧା କରାଯାଇଛି । ୬୩୭ଟି ନୂତନ ପାନୀୟ ଜଳଯୋଗାଣ ପ୍ରକଳ୍ପ ସହିତ ୮୬୦ଟି ପାଇପ୍ ଜଳଯୋଗାଣ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି । ସ୍ୱଚ୍ଛ ଭାରତ ମିଶନ୍ (ଗ୍ରାମୀଣ) ଯୋଜନାରେ ୭୫୦୦ କୋଟି ଟଙ୍କା ବ୍ୟୟରେ ୬୬ଲକ୍ଷ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ହୋଇଛି ଏବଂ ୨୦୧୯ ସେପ୍ଟେମ୍ବରରେ ରାଜ୍ୟ ବାହ୍ୟ ମଳମୁକ୍ତ ଅଞ୍ଚଳ ଭାବେ ଘୋଷିତ ହୋଇଛି ।
ରାଜ୍ୟର କୃଷକ, ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଏବଂ ଉଦ୍ୟୋଗୀମାନଙ୍କ ଅଭିବୃଦ୍ଧି ପାଇଁ ୩ଟି ଜାତୀୟ ସ୍ତରର ପୁରସ୍କାର ରାଜ୍ୟକୁ ମିଳିଛି । ଏଥିମଧ୍ୟରେ ମଧୁର ଜଳ ମତ୍ସ୍ୟଚାଷ କ୍ଷେତ୍ରରେ ୨ଟି ପୁରସ୍କାର ମିଳିଥିବା ବେଳେ କଳାହାଣ୍ଡି ଜିଲ୍ଲାକୁ ବେଷ୍ଟ ଡିଷ୍ଟ୍ରିକ୍ଟ ଆୱାର୍ଡ ପୁରସ୍କାର ମିଳିଛି ।
ଜଳ ସଂରକ୍ଷଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ରାଜ୍ୟରେ ୧୬ହଜାର ଆଡ଼ିବନ୍ଧ ନିର୍ମାଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା କୃଷକମାନଙ୍କୁ ୭୯ହଜାର ଗଭୀର ନଳକୂପ ହସ୍ତାନ୍ତର ସହିତ ୧୦୯ଟି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ଦ୍ୱାରା ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଲଗାତର ଭାବେ ୨୦୧୮ ଓ ୨୦୧୯ରେ ଯଥାକ୍ରମେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଓ ଶୀର୍ଷ ରାଜ୍ୟ ମାନ୍ୟତା ପାଇଛି ।
ପର୍ଯ୍ୟଟନ କ୍ଷେତ୍ରରେ ୧ଲକ୍ଷ ୨୦ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦିଆଯାଇଥିବା ବେ ଳେ ଏହା ଅଧିନସ୍ଥ ଆନୁଷଙ୍ଗିକ ସଂଗଠିତ କ୍ଷେତ୍ରରେ ଅନ୍ୟୁନ ୩ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଥିବା ରାଜ୍ୟପାଳ ଉଲ୍ଲେଖ କରିଛନ୍ତି । ପର୍ଯ୍ୟଟନ ସହ ଜଡ଼ିତ ଅଣସଂଗଠିତ କ୍ଷେତ୍ର ସମେତ ଏହି କ୍ଷେତ୍ରରେ ସମୁଦାୟ ନିଯୁକ୍ତି ପ୍ରାୟ ୧୦ ଲକ୍ଷ ହେବ ବୋଲି ଆକଳନ କରାଯାଇଛି ।
ଶକ୍ତି ବିଭାଗ ଉପରେ ଆଲୋକପାତ କରି ରାଜ୍ୟପାଳ କହିଛନ୍ତି ଯେ ଓଡ଼ିଶା ଏବେ ବି ଶକ୍ତି କ୍ଷେତ୍ରରେ ଏକ ବଳକା ରାଜ୍ୟ ଅଟନ୍ତି । ବିଦ୍ୟୁତ୍ ସରବରାହ ଓ ବଣ୍ଟନ ଭିତ୍ତିଭୂମି ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ଓପିଟିସିଏଲ ଓ ବିତରଣ କମ୍ପାନୀଗୁଡ଼ିକୁ ପାଣ୍ଠି ଯୋଗାଇ ଦେଇଛନ୍ତି । ବିଦ୍ୟୁତ୍ ଉପଭୋକ୍ତାଙ୍କୁ ତତ୍କାଳ ସେବା ଯୋଗାଇଦେବା ନିମନ୍ତେ ମୋ ବିଦ୍ୟୁତ୍ ପୋର୍ଟାଲ ମୋବାଇଲ୍ ଆପ୍ଲିକେସନ ଆରମ୍ଭ ହୋଇଛି ।
ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉନ୍ନତ କରାଯିବା ସହିତ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ୫ଟି ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏବଂ ୭ଟି ଜିଲ୍ଲା ହସ୍ପିଟାଲ ଏବେ ନିର୍ମାଣାଧୀନ ରହିଛି । ୩୫୦୦ କୋଟି ଟଙ୍କା ବ୍ୟୟରେ ଏସସିବି ମେଡ଼ିକାଲ କଲେଜକୁ ଏମ୍ସ ପ୍ଲସ୍ ପ୍ଲସ୍ ଅନୁଷ୍ଠାନ ଭାବେ ପରିବର୍ଦ୍ଧିତ କରାଯାଉଛି ।
ଏଥିସହିତ ରାଜ୍ୟପାଳ ଶିକ୍ଷା, ଗମନାଗମନ, ମହିଳା ସଶକ୍ତିକରଣ, ଖାଦ୍ୟ ସୁରକ୍ଷା ଆଦି ଉପରେ ରାଜ୍ୟ ସରକାରଙ୍କ ସଫଳତାକୁ ଦର୍ଶାଇଥିଲେ । ତେବେ ରାଜ୍ୟପାଳ ଆଜି ବିଧାନସଭାରେ ତାଙ୍କର ଅଭିଭାଷଣ ଆରମ୍ଭ କରିବା ମାତ୍ରେ ଉଭୟ କଂଗ୍ରେସ ଓ ବିଜେପି ଦଳର ସଦସ୍ୟମାନେ ସରକାରଙ୍କ ବିଫଳତାର ବିଭିନ୍ନ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟରେ ପାଟିତୁଣ୍ଡ କରିବା ସହିତ କକ୍ଷତ୍ୟାଗ କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ବିଜେପି ସଦସ୍ୟମାନେ ଶୋକ ପ୍ରସ୍ତାବରେ ଭାଗ ନେବାଲାଗି ଗୃହକୁ ଆସିଥିବା ବେଳେ କଂଗ୍ରେସ ସଦସ୍ୟମାନେ କିନ୍ତୁ ଶୋକ ପ୍ରସ୍ତାବ ଆଲୋଚନାରେ ଭାଗ ନେଇନଥିଲେ ।