Home Banking ଡିବିଟି କାରବାର ଦ୍ରୁତ ଗତିରେ ବଢୁଛି

ଡିବିଟି କାରବାର ଦ୍ରୁତ ଗତିରେ ବଢୁଛି

ଭୁବନେଶ୍ୱର : ସରକାରୀ ଯୋଜନାର ଅର୍ଥ ଡାଇରେକ୍ଟର ବେନିଫିଟ୍‍ ଟ୍ରାନ୍ସଫର (ଡିବିଟି) ଜରିଆରେ ଲୋକଙ୍କ ନିକଟରେ ପହଞ୍ଚିବାର ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ୨୦୧୫-୧୬ ମସିହାରେ ଡିବିଟି ଜରିଆରେ ମାତ୍ର ୫୧୭୩ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ଗତ ଆର୍ଥିକ ବର୍ଷରେ ଏହି ବ୍ୟବସ୍ଥାରେ ପ୍ରଦାନ ହୋଇଥିବା ଅର୍ଥ ପରିମାଣ ପାଖାପାଖି ୨୬ହଜାର କୋଟି ଟଙ୍କା ରହିଛି ।

ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ମିଳିବାକୁ ଥିବା ଅର୍ଥ ସେମାନଙ୍କୁ ନଗଦ ଆକାରରେ ଦେବା ବଦଳରେ ବ୍ୟାଙ୍କ୍‍ ଖାତାକୁ ସିଧାସଳଖ ପଠାଇ ଦିଆଯାଉଛି । ଏହା ଦ୍ୱାରା କେବଳ ଅର୍ଥ ବାଟମାରଣାକୁ ରୋକାଯାଇ ପାରିନାହିଁ, ଲୋକେ ବି ତୁରନ୍ତ ଅର୍ଥ ପାଇପାରୁଛନ୍ତି । ମମତା ଯୋଜନାରେ ମହିଳାଙ୍କୁ ମିଳୁଥିବା ଅର୍ଥ ହେଉ କିମ୍ବା କାଳିଆ ଯୋଜନାରେ ଚାଷୀଙ୍କୁ ଦିଆଯାଉଥିବା ସହାୟତା ଅର୍ଥ ହେଉଛି, ସବୁକିଛି ଡିବିଟି ଜରିଆରେ ପ୍ରଦାନ କରାଯାଉଛି ।

ଚଳିତ ଆର୍ଥିକ ବର୍ଷରେ ୨୫ଟି କାର୍ଯ୍ୟକ୍ରମ ଓ ୬୧ଟି ଯୋଜନାରେ ସରକାର ହିତାଧିକାରୀଙ୍କୁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରୁଛନ୍ତି । ଗତ ଏପ୍ରିଲ୍‍ରୁ ଅକ୍ଟୋବର ମଧ୍ୟରେ ହିତାଧିକାରୀମାନଙ୍କୁ ୬ଲକ୍ଷ ୩୦ହଜାର କାରବାର ମାଧ୍ୟମରେ ୧୭ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇ ସାରିଲାଣି । ଗତ ଆର୍ଥିକ ବର୍ଷରେ ୨୨ଟି କାର୍ଯ୍ୟକ୍ରମ ଓ ୪୯ଟି ଯୋଜନାରେ ହିତାଧିକାରୀଙ୍କୁ ୬ଲକ୍ଷ ୬୬ହଜାରରୁ ଅଧିକ ଡିବିଟି ଜରିଆରେ ୨୫,୯୦୩ କୋଟି ଟଙ୍କା ପ୍ରଦାନ କରାଯାଇ ପାରିଥିଲା ।

ତେବେ ଗାଁ ଗହଳରେ ଲୋକଙ୍କୁ ଭତ୍ତା ପ୍ରଦାନ କ୍ଷେତ୍ରରେ ଡିବିଟିକୁ ନେଇ କିଛିଟା ସମସ୍ୟା ଦେଖା ଦେଇଛି । ସାମାଜିକ ସୁରକ୍ଷା ଯୋଜନାରେ କେନ୍ଦ୍ର ସରକାର ଯୋଗାଇଦେଉଥିବା ମାସିକ ଭତ୍ତା ରାଶି ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ ପାଇଁ ନିୟମ କରିଥିବାବେଳେ ରାଜ୍ୟ ସରକାର କିନ୍ତୁ ସ୍ଥିତିକୁ ଦେଖି ଅନେକ ସ୍ଥାନରେ ହିତାଧିକାରୀଙ୍କୁ ନଗଦ ଆକାରରେ ଅର୍ଥ ପ୍ରଦାନ କରୁଛନ୍ତି । ଏପରିକି ହିତାଧିକାରୀଙ୍କ ଘରେ ନେଇ ଭତ୍ତା ଟଙ୍କା ଦେବାପାଇଁ ବ୍ୟାଙ୍କ୍‍ମିତ୍ରମାନେ ନିୟୋଜିତ ହୋଇଛନ୍ତି ।

ଏହାର ମୁଖ୍ୟ କାରଣ ହେଉଛି ଏବେ ବି ରାଜ୍ୟର ୪ହଜାରରୁ ଅଧିକ ପଞ୍ଚାୟତରେ ବ୍ୟାଙ୍କ୍‍ର ନିଜସ୍ୱ ଶାଖା ନଥିବା । ଫଳରେ ଗାଁ ଗହଳର ଲୋକେ ଭତ୍ତା ସମେତ ଅନ୍ୟ ଅର୍ଥ ପାଇଁ ଦୀର୍ଘପଥ ଯାତ୍ରା କରିଥାନ୍ତି । ଏଥି ସହିତ ରାଜ୍ୟର ଅଗମ୍ୟ ଅଞ୍ଚଳରେ ଇଣ୍ଟରନେଟ୍‍ ବି ଏ କ୍ଷେତ୍ରରେ ବଡ ବାଧକ ସାଜିଛି । ଆଦୌ ଇଣ୍ଟରନେଟ୍‍ ନଥିବା ଓ ଯେଉଁଠାରେ ଏହା ରହିଛି ସେଠାରେ ଏହାର ବେଗ ଧିମା ରହିବା ଯୋଗୁଁ ବ୍ୟାଙ୍କ୍‍ କାରବାର ହୋଇପାରୁ ନାହିଁ । ତେଣୁ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାଙ୍କ୍‍ମିତ୍ର ନିୟୋଜିତ ସହିତ ଭ୍ରାମ୍ୟମାଣ ବ୍ୟାଙ୍କ୍‍ ବି ଚଳାଉଛନ୍ତି ।

ତେବେ କାଳିଆ ଓ ପିଏମ୍‍କିଷାନ ଭଳି ଯୋଜନାର ହିତାଧିକାରୀମାନେ ଡିବିଟି ଜରିଆରେ ହିଁ ସେମାନଙ୍କ ଅର୍ଥ ପାଉଛନ୍ତି । ଇତି ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଡିଜିଟାଲ କାରବାର ଉପରେ ଜୋର ଦିଆଯାଉଛି । ବିଶେଷକରି ଲୋକେ ଯେଭଳି ସେମାନଙ୍କ ଆର୍ଥିକ କାରବାର ଅନଲାଇନ୍‍ରେ କରିପାରିବେ ତାହା ଉପରେ ଉଭୟ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ଜୋର ଦେଉଥିବାବେଳେ କେତେକ ସ୍ଥାନରେ ଡିଜିଟାଲ କାରବାର ପାଇଁ ବ୍ୟବସାୟୀମାନେ ଅଧିକ ଅର୍ଥ ଦାବି କରୁଥିବାରୁ ଲୋକେ ଏଥିପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହା ସହିତ ଏବେ ସାଇବର ଠକଙ୍କ ପ୍ରାର୍ଦୁଭାବ ବଢି ଚାଲିଥିବାରୁ ଅନ୍‍ଲାଇନ୍‍ ନେଣ ଦେଣ ପାଇଁ ବି ବହୁ ଶିକ୍ଷିତ ଲୋକେ ପଛଘୁଞ୍ଚା ଦେଉଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)