Home Education ଅତିଥି ଅଧ୍ୟାପକ ଭରସା

ଅତିଥି ଅଧ୍ୟାପକ ଭରସା

ଭୁବନେଶ୍ୱର : ରେଭେନ୍ସା ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ଏବେ ଭରସା ହେଉଛନ୍ତି ଅତିଥି କିମ୍ବା ଠିକା ଅଧ୍ୟାପକ । ବର୍ଷ ବର୍ଷ ଧରି ଏହି ବିଶ୍ୱବିଦ୍ୟାଳୟ ଦୁଇଟିରେ ନିୟମିତ ଶିକ୍ଷକଙ୍କ ନିଯୁକ୍ତି ଓ ପଦୋନ୍ନତି ଦିଆଯାଉନଥିବାରୁ ବ୍ୟାପକ ସଂଖ୍ୟକ ପଦପଦବୀ ଖାଲି ପଡିଛି ।

ଓଡ଼ିଶାରେ ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ନଅଙ୍କ ଦୁର୍ଭିକ୍ଷ ପରେ ୧୮୬୮ ମସିହାରେ ଜନ୍ମ ନେଇଥିଲା ରେଭେନ୍ସା କଲେଜ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହାକୁ ସ୍ୱୟଂଶାସିତ କଲେଜ ମର୍ଯ୍ୟାଦା ଦେଇଥିଲେ । ଉତ୍କଳ ବିଶ୍ୱ ବିଦ୍ୟାଳୟ ୧୯୪୩ ମସିହାରେ ପ୍ରତିଷ୍ଠା ହେବା ପୂର୍ବରୁ ରେଭେନ୍ସା କାର୍ଯ୍ୟକ୍ଷମ ଥିଲା । ରେଭେନ୍ସାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ବିଧାନସଭା ମଧ୍ୟ ଜନ୍ମ ନେଇଥିଲା ।

ଓଡ଼ିଶାର ସର୍ବପୁରାତନ ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନ ରେଭେନ୍ସାକୁ ୧୭ବର୍ଷ ତଳେ ୨୦୦୬ ନଭେମ୍ବର ୧୫ ତାରିଖରେ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦିଆଯାଇଥିଲା । ଓଡ଼ିଶା ବିଧାନସଭାର ଗତ ବଜେଟ୍‍ ଅଧିବେଶନ ସମୟରେ ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ତଥ୍ୟ ମୁତାବକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ୨୬୭ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୧୫୩ଟି ଖାଲି ପଡିଥିଲା ।

ଏହି ବିଶ୍ୱବିଦ୍ୟାଳୟ ଲାଗି ଥିବା ୨୯ଟି ପ୍ରଫେସର ପଦବୀରୁ ୨୦ଟି ଖାଲି ଥିବାବେଳେ ୭୧ଟି ସହଯୋଗୀ ପ୍ରଫେସର ପଦବୀରୁ ୫୨ଟି ଖାଲିଥିଲା । କେବଳ ସେତିକି ନୁହେଁ ଏହି ବିଶ୍ୱବିଦ୍ୟାଳୟ ଲାଗି ଥିବା ୮୧ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ମଧ୍ୟରୁ ୩୮ଟି ଖାଲି ପଡିଥିଲା । ଗତ ୮ମାସ ମଧ୍ୟରେ ରେଭେନ୍ସାର କିଛି ଶିକ୍ଷକ ଓ ଅଣଶିକ୍ଷକ ଅବସର ଗ୍ରହଣ କରିଥିବାରୁ ଖାଲି ପଡିଥିବା ପଦବୀ ସଂଖ୍ୟା ଅଧିକ ବୋଲି କୁହାଯାଉଛି ।

ସେହିପରି ୧୯୬୪ ମସିହାରେ ସରକାରୀ ମହିଳା କଲେଜ ହିସାବରେ ଜନ୍ମ ଲାଭ କରିଥିବା ରାଜଧାନୀର ତଥା ରାଜ୍ୟର ଅଗ୍ରଣୀ ମହିଳା ଉଚ୍ଚ ଶିକ୍ଷାନୁଷ୍ଠାନ ପରବର୍ତ୍ତୀ ସମୟରେ ରମାଦେବୀ ମହିଳା କଲେଜ ଭାବେ ନାମିତ ହୋଇଥିଲା । ଏହି ଶିକ୍ଷାନୁଷ୍ଠାନକୁ ମଧ୍ୟ ସ୍ୱୟଂଶାସିତ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା । ତେବେ ୮ବର୍ଷ ତଳେ ୨୦୧୫ ମଇ ୩୦ରେ ରମାଦେବୀ ସ୍ୱୟଂଶାସିତ ମହିଳା କଲେଜ ରମାଦେବୀ ବିଶ୍ୱ ବିଦ୍ୟାଳୟରେ ରୂପାନ୍ତରିତ ହେଲା ଏବଂ ଏଥିସହ ପାଖାପାଖି ୫୦ଟି ମହିଳା କଲେଜ ଅନୁବନ୍ଧିତ ହୋଇ ରହିଛନ୍ତି ।

ଏହି ମହିଳା ବିଶ୍ୱବିଦ୍ୟାଳୟ ପାଇଁ ୧୩୮ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ଗତ ମାର୍ଚ୍ଚ ମାସ ସୁଦ୍ଧା ୭୯ଟି ଖାଲି ପଡିଥିଲା । ଏହି ମହିଳା ବିଶ୍ୱବିଦ୍ୟାଳୟ ଲାଗି ୧୩ଟି ପ୍ରଫେସର ପଦବୀ ରହିଥିବାବେଳେ ସେତେବେଳେ ଏଥିରୁ ୮ଟି ଖାଲି ପଡିଥିଲା ଏବଂ ୪୯ଟି ସହକାରୀ ଓ ୨୨ଟି ସହଯୋଗୀ ପ୍ରଫେସର ପଦବୀ ମଧ୍ୟ ଖାଲି ପଡିଥିବା ସରକାରୀଭାବେ ସରକାରୀ ଭାବେ ସ୍ୱୀକାର କରାଯାଇଥିଲା । ଗତ ୮ମାସ ମଧ୍ୟରେ ନୂଆ ନିଯୁକ୍ତି ହୋଇନଥିବାରୁ ଏବେ ଏଠାରେ ଖାଲି ପଡିଥିବା ଶିକ୍ଷକ ପଦବୀ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶଙ୍କା କରଯାଉଛି । ରାଜ୍ୟର ଏହି ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ଲାଗି ୧୦୧ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ବି ୮୮ଟି ଖାଲି ।

ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ଆଣି ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଗୁଡିକ ହାତରୁ ଶିକ୍ଷକ ନିଯୁକ୍ତି ଓ ପଦୋନ୍ନତି କ୍ଷମତା କାଢିନେଇ ଓଡ଼ିଶା ଲୋକସେବା ଆୟୋଗକୁ ପ୍ରାର୍ଥୀ ଚୟନ ଦାୟିତ୍ୱ ଦେବାପରେ ସୃଷ୍ଟି ହୋଇଥିବା ଆଇନଗତ ବିବାଦ ହାଇକୋର୍ଟରୁ ଯାଇ ସୁପ୍ରିମ୍‍କୋର୍ଟରେ ପଡିଛି । ଏହି ମାମଲାର ପରିସମାପ୍ତି ନହେବା ପର୍ଯ୍ୟନ୍ତ ସଂଶୋଧିତ ଆଇନ ଆଧାରରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକ ଲାଗି ଶିକ୍ଷକ ନିଯୁକ୍ତି ଓ ପଦୋନ୍ନତି କାର୍ଯ୍ୟ ଆଗେଇ ପାରୁନାହିଁ । ଏଥିଯୋଗୁ ପଢ଼ାପଢି ସହ ଗବେଷଣା,ପରୀକ୍ଷା ପରିଚାଳନା ଓ ବିଶ୍ୱବିଦ୍ୟାଳୟ ଦୁଇଟିର ପ୍ରଶାସନିକ କାର୍ଯ୍ୟରେ ବହୁ ସମସ୍ୟା ଉପୁଜୁଥିବାବେଳେ କେବଳ ପାଠ ପଢାଇବା ପାଇଁ ଠିକା ଓ ଅତିଥି ଅଧ୍ୟାପକ ହେଉଛନ୍ତି ଭରସା ।(ତଥ୍ୟ)