Home General ବିନା ଟାଙ୍କିରେ ପାଇଖାନା ନିର୍ମାଣ

ବିନା ଟାଙ୍କିରେ ପାଇଖାନା ନିର୍ମାଣ

ଭୁବନେଶ୍ୱର : ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ନିର୍ମାଣ ହୋଇଥିବା କେତେକ ଘରୋଇ ପାଇଖାନାରେ ଆଦୌ ଟାଙ୍କି ନାହିଁ । ପାଣି ନଥିବାରୁ ଲୋକେ ପାଇଖାନା ବି ବ୍ୟବହାର କରିପାରୁ ନାହାନ୍ତି । ପାଇଖାନାରେ ଲୋକେ ଶୌଚ ହେବା ବଦଳରେ ଲୋକେ କାଠ ରଖୁଛନ୍ତି । କଟକ ଓ ସମ୍ବଲପୁର ଜିଲ୍ଲାରେ ଘରୋଇ ପାଇଖାନା ନିର୍ମାଣର ନମୂନା ଯାଞ୍ଚ ସମୟରେ ଭାରତର ମହାଲେଖାକାର (ଏଜି)ଙ୍କ ନଜରକୁ ଏହା ଆସିଛି ।

ବିଧାନସଭାରେ ସଦ୍ୟ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ସିଏଜି ଉଲ୍ଲେଖ କରିଛନ୍ତି ଯେ ୨୦୧୯-୨୦ ଆର୍ଥିକ ବର୍ଷ ଶେଷରେ କଟକ ଓ ସମ୍ବଲପୁର ଜିଲ୍ଲାରେ ସ୍ୱଚ୍ଛ ଭାରତ ମିଶନ -ଗ୍ରାମୀଣ ଯୋଜନାରେ ଶୌଚାଳୟ ନିର୍ମାଣର ନମୂନା ଯାଞ୍ଚ ହୋଇଥିଲା । ଏଥିରେ ଦେଖାଗଲା ଯେ ୨୦୧୮ ମସିହାରେ ଓଡିଶା ଜଳ ଓ ପରିମଳ ମିଶନ ସମସ୍ତ ଜିଲ୍ଲାପାଳମାନଙ୍କୁ ଜଳ ନିରୋଧ ଦୁଇଟି ଟାଙ୍କି ଥିବା ପାଇଖାନା ନିର୍ମାଣ ଜ୍ଞାନକୌଶଳ ଗ୍ରହଣ କରିବାକୁ କହିଥିଲେ । ଏଥିପାଇଁ ୧୨ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଥିଲା ।

ତେବେ ଯାଞ୍ଚ ସମୟରେ ଦେଖାଗଲା ଯେ ୫୭୬ ଘରୋଇ ପାଇଖାନା ମଧ୍ୟରୁ ୫୦୮ଟି ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ନିର୍ମାଣ ହୋଇଛି । ଏହି ୫୦୮ଟି ପାଇଖାନା ମଧ୍ୟରୁ କେବଳ ୧୦ଟିରେ ଦୁଇଟି କରି ଟାଙ୍କି ଥିଲା । ୪୪୧ ପାଇଖାନାରେ ଗୋଟିଏ ଟାଙ୍କି ଥିଲା ଏବଂ ୫୭ଟି ପାଇଖାନାରେ ଆଦୌ ଟାଙ୍କି ନଥିଲା । ଏହା ସତ୍ୱେ ସ୍ୱୟଂ ସହାୟକ ଗୋଷ୍ଠିଗୁଡିକୁ ପାଇଖାନା ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଥିଲା ।

ଏଭଳି ନିର୍ମାଣ ନଜରକୁ ଆସିବାପରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଗୋଟିକିଆ ଟାଙ୍କିଥିବା ପାଇଖାନାରେ ଦୁଇଟି ଟାଙ୍କି କରିବାକୁ ୨୦୨୧ରେ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ଏଭଳି ଉତ୍ତରକୁ ଏଜି ଗ୍ରହଣ କରିନାହାନ୍ତି । କାରଣ ମିଳିତ ଯାଞ୍ଚ ସମୟରେ ସରକାରଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିବା ଏଜି ଦେଖିବାକୁ ପାଇ ନାହାନ୍ତି ।

ସେହିଭଳି ଏଜି ତାଙ୍କ ରିପୋର୍ଟରେ ଦର୍ଶାଯାଇଛି ଯେ ୫୬୨ଟି ପାଇଖାନାରେ ଜଳ ସଂଯୋଗ ନଥିଲା । ଏଥି ମଧ୍ୟରୁ ୨୦୦ ହିତାଧିକାରୀ ଦର୍ଶାଇଛନ୍ତି ଯେ ସେମାନେ ନିକଟସ୍ଥ କୂଅ କିମ୍ବା ନଳକୂଅରୁ ପାଣି ପାଣି ବ୍ୟବହାର କରିଛନ୍ତି । ଅବଶିଷ୍ଟ ୩୬୨ ହିତାଧକାରୀ ପାଇଖାନାକୁ ଶୌଚ କାର୍ଯ୍ୟରେ ବ୍ୟବହାର ନକରି ପାଇଖାନାରେ କାଠ, ନଡା ଇତ୍ୟାଦି ସାଇତି ରଖୁଥିଲେ । ଏହାଦ୍ୱାରା ୪୩.୮ କୋଟି ଟଙ୍କା ଅପଚୟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ତେବେ ଏ ସଂକ୍ରାନ୍ତରେ ସରକାର ଉଲ୍ଲେଖ କରିଥିଲେ ଯେ ପ୍ରବଳ ବର୍ଷା ସମୟରେ ହିତାଧିକାରୀମାନେ ପାଇଖାନା ଭିତରେ ଜାଳେଣି କାଠ ଓ ଅନ୍ୟାନ୍ୟ ସାମଗ୍ରୀ ସାଇତି ରଖିଥାନ୍ତି । ଆହୁରି ମଧ୍ୟ ସରକାର ଦର୍ଶାଇଛନ୍ତି ଯେ ନିର୍ମିତ ଶୌଚାଳୟର ନିୟମିତ ବ୍ୟବହାର ପାଇଁ ସମସ୍ତ ଓଡିଏଫ୍‍ ଗ୍ରାମକୁ ଜଳ ଜୀବନ ମିଶନ ଓ ବସୁଧା ଯୋଜନାରେ ପାଇପ୍‍ ଯୋଗେ ଜଳ ଯୋଗାଣ ଅଧିନରେ ଅର୍ନ୍ତଭୁକ୍ତ କରାଯିବ । ତେବେ ସରକାରଙ୍କର ଏଭଳି ଉତ୍ତର ଗ୍ରହଣୀୟ ନୁହେଁ ବୋଲି ଏଜି ଦର୍ଶାଇବା ସହିତ ଯାଞ୍ଚ ନମୂନା ପାଇଖାନା ମଧ୍ୟରୁ ୭୩ ପ୍ରତିଶତ ଜଳ ସୁବିଧା ନଥିବାରୁ ବ୍ୟବହାର ହୋଇପାରୁନଥିବା କହିଛନ୍ତି । (ତଥ୍ୟ)