Home Judiciary ଅନୁକମ୍ପା ନିଯୁକ୍ତି ମାମଲାରେ ଅଦାଲତ ରାୟ

ଅନୁକମ୍ପା ନିଯୁକ୍ତି ମାମଲାରେ ଅଦାଲତ ରାୟ

କଟକ : ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ରାଜ୍ୟ ସରକାର ୨୦୨୦ରେ ନୂଆ ଆଇନ ପ୍ରଣୟନ କରିବା ପୂର୍ବରୁ ଯେଉଁ ସରକାରୀ କର୍ମଚାରୀମାନଙ୍କର ଚାକିରିରେ ଥାଇ ମୃତ୍ୟୁ ଘଟିଛି ସେମାନଙ୍କ ପରିବାରର ଆର୍ଥିକ ଦୁସ୍ଥିତିକୁ ବିଚାରକୁ ନେଇ ୧୯୯୦ର ପୁରୁଣା ଅନୁକମ୍ପାମୂଳକ ନିଯୁକ୍ତି ଆଇନ ଆଧାରରେ ପରିବାରର ଜଣେ ଉତ୍ତରାଧିକାରୀଙ୍କୁ ଚାକିରି ଦେବାଲାଗି ବିଚାର କରାଯିବା ଉଚିତ୍‍ ।

ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଦୁଇଜଣିଆ ଖଣ୍ଡପୀଠ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହିତ ଏଭଳି କ୍ଷେତ୍ରରେ କରାଯାଉଥିବା ବିଳମ୍ବକୁ ନାପସନ୍ଦ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ବର୍ଷ ବର୍ଷ ଧରି ଅନୁକମ୍ପାମୂଳକ ନିଯୁକ୍ତି ସୁଯୋଗରୁ ବଞ୍ôଚତ ହୋଇଥିବା ଶତାଧିକ ଆଶାୟୀଙ୍କ ପୃଥକ ପୃଥକ ମାମଲାର ଫଇସଲା କରି ଓଡ଼ିଶା ହାଇକୋର୍ଟର ଏକାଧିକ ଜଣିକିଆ ଖଣ୍ଡପୀଠ ପୁରୁଣା ଆଇନ ଆଧାରରେ ନିଯୁକ୍ତି ଦେବା ପାଇଁ ବିଚାର କରିବାକୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ବିରୁଦ୍ଧରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ଜଣିଆ ଖଣ୍ଡପୀଠଙ୍କ ନିକଟରେ ହୋଇଥିବା ରିଟ୍‍ ଅଫିଲ୍‍ ଗୁଡିକ ଭିତରୁ ଅନ୍ୟୁନ ୧୮୦ଟି ମାମଲାର ମିଳିତ ଶୁଣାଣି କରି ହାଇକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଚାକିରି ପ୍ରତ୍ୟାଶୀମାନଙ୍କ ପକ୍ଷରୁ ଅନ୍ୟତମ ଅଧିବକ୍ତା ବି. ଏସ୍‍. ତ୍ରିପାଠୀ, ପ୍ରହଲାଦ କୁମାର ସିଂହ, ଅମୀୟ ଛାଟୋଇ, କୁନାଲ କୁମାର ସ୍ୱାଇଁ, ଶିବ ପ୍ରସାଦ ପତି, ରାମକୃଷ୍ଣ ବିଷୋୟୀ ପ୍ରମୁଖ ଯୁକ୍ତି ଉପସ୍ଥାପନ କରି ରାଜ୍ୟ ସରକାରଙ୍କ ରିଟ୍‍ ଆପିଲ୍‍ ଗୁଡିକୁ ସୁପ୍ରିମ୍‍କୋର୍ଟଙ୍କ ମଳୟାନନ୍ଦ ସେଠୀ ମାମଲା ଆଧାରରେ ଖାରଜ କରିବା ପାଇଁ ଯୁକ୍ତି ବାଢିଥିଲେ । ଏହି ମାମଲା ସମେତ ଆଉ କେତେକର ନଜିର ଆଧାରରେ ସୁଚିତ୍ରା ବଳ ଓ ଅନ୍ୟମାନଙ୍କ ମାମଲାରେ ମଧ୍ୟ ଓଡ଼ିଶା ହାଇକୋର୍ଟ ୨୦୨୦ର ନୂଆ ଆଇନ ଆସିବା ପୂର୍ବରୁ ମୃତ୍ୟୁବରଣ କରିଥିବା ସରକାରୀ କର୍ମଚାରୀଙ୍କ ପରିବାରର ଉତ୍ତରଦାୟଦଙ୍କୁ ୧୯୯୦ ଆଇନ ଆଧାରରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବିଚାର କରିବାକୁ ସ୍ପଷ୍ଟ ରାୟ ଦେଇଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଏମ୍‍. କେ. ଖୁଣ୍ଟିଆ ଓ ଖଣି ନିଗମର ଓକିଲ ପି. କେ. ମୁଦୁଲି ପ୍ରମୁଖ ସେମାନଙ୍କ ପକ୍ଷରୁ ରୁଜୁ କରାଯାଇଥିବା ରିଟ୍‍ ଆପିଲ୍‍ ଗୁଡିକ ସପକ୍ଷରେ ମଧ୍ୟ ଯୁକ୍ତି ବାଢିଥିଲେ ।

ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ଅନ୍ୟତମ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲା ଗୁଡିକର ମିଳିତ ଶୁଣାଣି କରି ଯେଉଁ କ୍ଷେତ୍ରରେ ୨୦୨୦ର ନୂଆ ଆଇନ ଆସିବା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ସେ କ୍ଷେତ୍ରରେ ୧୯୯୦ର ପୁରୁଣା ଆଇନ ଆଧାରରେ ନିଯୁକ୍ତି ଦେବାପାଇଁ ବିଚାର କରାଯିବା ଉଚିତ୍‍ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ହାଇକୋର୍ଟ ଏହି ରାୟରେ ପୁଣି ନିର୍ଦ୍ଦେଶ ଦେଇଛନ୍ତି ଯେ ୪ମାସ ସମୟସୀମା ମଧ୍ୟରେ ପ୍ରତିପକ୍ଷମାନଙ୍କ ନିଯୁକ୍ତି ସଂକ୍ରାନ୍ତରେ କର୍ତ୍ତୃପକ୍ଷ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ । ଏଥିଲାଗି ସରକାର ସ୍ୱତନ୍ତ୍ର କମିଟି ଗଠନ କରିବେ ଏବଂ ଅନୁକମ୍ପାମୂଳକ ନିଯୁକ୍ତି ପ୍ରତ୍ୟାଶୀମାନେ ଏ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବେ । ତେବେ ଅଦାଲତ ଧାର୍ଯ୍ୟ କରିଥିବା ୪ମାସର ସମୟସୀମାକୁ ବଢାଯାଇ ପାରିବ ନାହିଁ । ବୈଷୟିକ କାରଣ ଆଳରେ ଅଯଥାରେ ବିଳମ୍ବ ନକରି ସହାନୁଭୂତିର ସହ ତ୍ୱତିତ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ।

ସୁପ୍ରିମ୍‍କୋର୍ଟଙ୍କ ବିଭିନ୍ନ ମାମଲାର ନଜିର ଦେଇ ହାଇକୋର୍ଟ ତାଙ୍କ ଦୀର୍ଘ ରାୟରେ ପୁଣି ଉଲ୍ଲେଖ କରିଛନ୍ତି ଯେ ଏଭଳି କ୍ଷେତ୍ରରେ ପରିବାରର ଆର୍ଥିକ ସ୍ଥିତିକୁ ବିଚାରକୁ ନେଇ ସହୃଦୟତାର ସହିତ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‍ କିନ୍ତୁ ବିଭିନ୍ନ ଆଳରେ ବର୍ଷ ବର୍ଷ ଧରି ସମୟ ଗଡାଯିବା ଫଳରେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଅନୁକମ୍ପାମୂଳକ ନିଯୁକ୍ତି ଆଇନ ତିଆରି କରାଯାଇଛି ତାହା ବ୍ୟର୍ଥ ହେଉଛି । (ତଥ୍ୟ)