Home Assembly ଧାରଣାରେ ବସିଲେ ପ୍ରଦୀପ ପାଣିଗ୍ରାହୀ

ଧାରଣାରେ ବସିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ପ୍ରଶ୍ନ ପଚାରିବାକୁ ସୁଯୋଗ ନପାଇବା ପ୍ରତିବାଦରେ ସ୍ୱାଧୀନ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଥିଲେ । ତେବେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ଆଶ୍ୱାସନା ପାରେ ସେ ଧାରଣାରୁ ଉଠିଥିଲେ ।

ଆଜି ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିବାବେଳେ ମାତ୍ର ଦୁଇଟି ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା । ନୂତନ ଷ୍ଟାଡିୟମ ନିର୍ମାଣ ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ପଚାରିଥିବା ପ୍ରଶ୍ନ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ବିଧାୟକମାନେ ପଚାରିଥିବା ଏକାଧିକ ପ୍ରଶ୍ନର ଉତ୍ତର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଦେଇଥିଲେ ।

ପରବର୍ତ୍ତୀ ପ୍ରଶ୍ନଟିଥିଲା ବିଜେଡି ବିଧାୟକ ଅରବିନ୍ଦ ଢାଲିଙ୍କର । ବିଧାୟକ ପାଣ୍ଠି ଯୋଗାଣ ଓ ପ୍ରକଳ୍ପ ମଞ୍ଜୁରୀ ନେଇ ଆସିଥିବା ଏହି ପ୍ରଶ୍ନ ଉପରେ ସଦସ୍ୟାମାନେ ଅତିରିକ୍ତ ପ୍ରଶ୍ନ ପଚାରିଥିବାବେଳେ ବିଭାଗୀୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏହାର ଉତ୍ତର ରଖିଥିଲେ ।

ତେବେ ପ୍ରଶ୍ନୋତ୍ତର ସରିବାର କିଛି କ୍ଷଣ ପୂର୍ବରୁ ସ୍ୱାଧୀନ ବିଭାଗ ଶ୍ରୀ ପାଣିଗ୍ରାହୀ ତାଙ୍କୁ କାହିଁକି ପ୍ରଶ୍ନ ପଚାରିବାପାଇଁ ସୁଯୋଗ ମିଳିଲାନାହିଁ ବୋଲି ବାଚସ୍ପତିଙ୍କୁ ପଚାରିବା ସହିତ ପ୍ରତିବାଦ ସ୍ୱରୂପ ଗୃହ ମଧ୍ୟଭାଗକୁ ଆସି ପୋଡିୟମ ତଳେ ଧାରଣାରେ ବସିଥିଲେ ।

ଶୂନ୍ୟକାଳରେ ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ଏହି ପ୍ରସଙ୍ଗରେ କହିଥିଲେ ଯେ ବାଚସ୍ପତି ଦଳୀୟ ବ୍ୟବସ୍ଥାରୁ ଉର୍ଦ୍ଧ୍ୱରେ ରହି ସମସ୍ତ ବିଧାୟକଙ୍କୁ ସମାନ ସୁଯୋଗ ଦେବା ଆବଶ୍ୟକ । ତଦନୁଯାୟୀ ସ୍ୱାଧୀନ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ପ୍ରଶ୍ନ ପଚାରିବାପାଇଁ ସୁଯୋଗ ମିଳିବା ଉଚିତ୍‍ ।

ଏହାପରେ ବାଚସ୍ପତି ଶ୍ରୀମତୀ ମଲ୍ଳିକ କହିଥିଲେ ଶ୍ରୀ ପାଣିଗ୍ରାହୀଙ୍କୁ ପ୍ରଶ୍ନ ପଚାରିବାପାଇଁ ସୁଯୋଗ ଦିଆଯିବ । ତେଣୁ ସେ ତାଙ୍କ ଆସନକୁ ଫେରି ଯାଆନ୍ତୁ । ବାଚସ୍ପତିଙ୍କ ଆଶ୍ୱାସନା ପରେ ଶ୍ରୀ ପାଣିଗ୍ରାହୀ ଧାରଣାରୁ ଉଠି ନିଜ ଆସନକୁ ଫେରି ଯାଇଥିଲେ ।