ଭୁବନେଶ୍ୱର : ସାମାଜିକ ସୁରକ୍ଷା ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତ୍ତା ଅର୍ଥ ବଢାଇବାର ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
ବିଧାୟିକା କୁସୁମ ଟେଟେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ବର୍ତ୍ତମାନ ଦିଆଯାଉଥିବା ଭତ୍ତାର ପରିମାଣ ବୃଦ୍ଧି ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ । ସେହିଭଳି ପଡୋଶୀ ରାଜ୍ୟଗୁଡିକରେ କେତେକ ପରିମାଣର ଭତ୍ତା ପ୍ରଦାନ କରାଯାଉଛି ତାହାର ସୂଚନା ମଧ୍ୟ ଏହି ବିଭାଗରେ ନାହିଁ ।
ତେବେ ମନ୍ତ୍ରୀ ସୂଚାଇଛନ୍ତି ଯେ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ୬୦ ରୁ ୭୦ବର୍ଷ ବୟସର ଲୋକଙ୍କୁ ମାସିକ ୫୦୦ ଟଙ୍କାର ଭତ୍ତା ମିଳୁଥିବାବେଳେ ସେଥିରୁ କେନ୍ଦ୍ର ସରକାର ୨୦୦ ଟଙ୍କା ଓ ରାଜ୍ୟ ସରକାର ୩୦୦ ଟଙ୍କା ପ୍ରଦାନ କରୁଛନ୍ତି । ସେହିଭଳି ୮୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହି ଯୋଜନାରେ ମାସିକ ୭୦୦ ଟଙ୍କାର ଭତ୍ତା ମିଳୁଥିବାବେଳେ ଏଥିରୁ କେନ୍ଦ୍ର ସରକାର ୫୦୦ ଟଙ୍କା ଓ ରାଜ୍ୟ ସରକାର ୨୦୦ ଟଙ୍କା ଦେଉଛନ୍ତି ।
ତେବେ ମଧୁବାବୁ ପେନ୍ସନ ଯୋଜନାରେ ଏହି ବୟସ ବର୍ଗର ଲୋକଙ୍କୁ ଦିଆଯାଉଥିବା ୫୦୦ ଓ ୭୦୦ ଟଙ୍କାର ଭତ୍ତାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରଦାନ କରୁନ୍ତି । ତେବେ ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ପେନ୍ସନ ଯୋଜନାରେ ୧୮ରୁ ୮୦ବର୍ଷ ବୟସର ଲୋକଙ୍କୁ ମାସିକ ୭୦୦ ଟଙ୍କା କରି ମିଳୁଥିବାବେଳେ ୮୦ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାସିକ ୯୦୦ ଟଙ୍କା ପ୍ରଦାନ କରାଯାଉଛି । ଏହି ଦୁଇ ବର୍ଗରେ ରାଜ୍ୟ ସରକାର ୪୦୦ ଟଙ୍କା କରି ଯୋଗାଇ ଦେଉଛନ୍ତି ।
ସେହିଭଳି ମଧୁବାବୁ ଭିନ୍ନକ୍ଷମ ପେନ୍ସନ ଯୋଜନାରେ ମିଳୁଥିବା ୭୦୦ ଓ ୯୦୦ ଟଙ୍କାର ପେନ୍ସନ ରାଶିକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ନିଜସ୍ୱ ପାଣ୍ଠିରୁ ଯୋଗାଇ ଦେଉଛନ୍ତି । ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ସଂକ୍ରାନ୍ତରେ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପଚାରିଥିବା ଅନ୍ୟଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଚନ୍ତି ଯେ ରାଜ୍ୟରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍ସନ ଯୋଜନାରେ ମୋଟ୍ ୫୩ଲକ୍ଷ ୮ହଜାର ୯୬୭ ଜଣ ହିତାଧିକାରୀ ଭତ୍ତା ପାଉଛନ୍ତି ।
ଭତ୍ତା ପାଇବାକୁ ଆଉ ୨ଲକ୍ଷ ୪୭୧ ଜଣ ଅନ୍ଲାଇନ୍ରେ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଯେଉଁ ହିତାଧିକାରୀମାନେ ବ୍ୟାଙ୍କ୍ ଜରିଆରେ ଭତ୍ତା ପାଉଛନ୍ତି ସେମାନଙ୍କୁ ପଞ୍ଚାୟତ ଅଫିସରେ ଭତ୍ତା ଦେବାର କୌଣସି ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି । (ତଥ୍ୟ)