Home General ଦୁବାଇରୁ ଫେରିଲେ ନିର୍ଯ୍ୟାତିତ ଶ୍ରମିକ

ଦୁବାଇରୁ ଫେରିଲେ ନିର୍ଯ୍ୟାତିତ ଶ୍ରମିକ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରୁ ଦୁବାଇରେ କାମକରିବାକୁ ଯାଇ ନିର୍ଯାତନା ଭୋଗୁଥିବା ୧୫ଜଣ ଶ୍ରମିକଙ୍କ ସଂପର୍କରେ ଖବର ପାଇ ଓଡିଶା ପରିବାର ନିର୍ଦ୍ଦେଶକ  ଦିଲୀପ ରାଉତରାଏ ଓ ତାଙ୍କ ଟିମ ନିରନ୍ତର ଭାବେ  ସେମାନଙ୍କ ସହ ଯୋଗାଯୋଗ ରକ୍ଷାକରି ସେମାନଙ୍କୁ ଓଡିଶା ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଥଲେ । 

ଦୁବାଇ ଦୂତାବାସ ସହ ସମନ୍ୱୟ ରଖି ପ୍ରଥମ ପର୍ଯ୍ୟାୟରେ ଆଠ ଜଣ ଦୁବାଇରୁ ମୁମ୍ବାଇ ଓ ମୁମ୍ବାଇରୁ ଉଡ଼ାଜାହାଜରେ ଗତ ସେପ୍ଟେମ୍ବର ୧ତାରିଖ ସକାଳ ୭ ଘଟିକା ୧୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲେ । ଏହାପରେ ସେମାନେ ନିଜଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଉ ୭ ଜଣଙ୍କୁ ଖୁବ ଶୀଘ୍ର ଓଡିଶା ଫେରେଇ ଆଣିବାକୁ ନିରନ୍ତର ପ୍ରୟାସ ଜାରିରହିଛି ।

ପ୍ରକାଶ ଥାଉକି ଓଡିଶା ବାହାରେ ଓ ବିଦେଶରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କ ସହ ସାମାଜିକ, ସାଂସ୍କୃତିକ, ଭାବଗତ  ଓ ପାରିବାରିକ ସମ୍ପର୍କ ରକ୍ଷା କରି ସେମାନଙ୍କ ଭଲମନ୍ଦରେ ଓଡିଶା ପରିବାର ନିର୍ଦେଶାଳୟ ସବୁ ସମୟରେ ସହଯୋଗର ହାତ ବଢ଼େଇ ଆସିଛି । 

ସେହିଭଳି ଗତ ସେପ୍ଟେମ୍ବର ୫ ତାରିଖରେ ଚେନ୍ନାଇରେ ରେଳ ଦୁର୍ଘଟଣାରେ ଆହତ ହୋଇ ମୃତ୍ୟୁବରଣ କରିଥିବା ମୟୁରଭଞ୍ଜ ଜିଲ୍ଲା କାଠରୁମା କୁଡ଼ିଆପାଳର ଭଗତ ମୁର୍ମୁଙ୍କ ପୁତ୍ର ସରାଇ ମୁର୍ମୁଙ୍କ ମୃତ୍ୟୁ ଖବର ପାଇ ଚେନ୍ନାଇରେ ରହୁଥିବା ତାଙ୍କ ପରିଚିତଙ୍କ ସହ ଓଡିଶା ପରିବାର ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ଶବ ବ୍ୟବଛେଦ ପରେ ଆଜି ସନ୍ଧ୍ୟାରେ ଚେନ୍ନାଇ ହାଓଡା ଏକ୍ସପ୍ରେସ ମାଧ୍ୟମରେ ତାଙ୍କ ମରଶରୀର ଆସି ଆସନ୍ତାକାଲି ସନ୍ଧ୍ୟାରେ ବାଲେଶ୍ୱର ରେଳ ଷ୍ଟେସନରେ ପହଁଚିବ । ଏହାପରେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତଦେହ ଗ୍ରହଣ କରାଯାଇ ତାଙ୍କ ଗ୍ରାମରେ ଵିଧି ମୁତାବକ ଶେଷକୃତ୍ୟ ସମାପନ ନିମନ୍ତେ ନିର୍ଦ୍ଦେଶାଳୟ ପକ୍ଷରୁ ଯୋଗାଯୋଗ କରାଯାଇଛି ।