Home Energy କେବେ ବଦଳିବ ପୁରୁଣା ପଙ୍ଖା ?

କେବେ ବଦଳିବ ପୁରୁଣା ପଙ୍ଖା ?

ଭୁବନେଶ୍ୱର : ବିଜୁଳି ଖର୍ଚ୍ଚ କମାଇବାପାଇଁ ସରକାରୀ ଦପ୍ତରଗୁଡିକରେ ପୁରୁଣା ବିଦ୍ୟୁତ ସାଜ ସରଞ୍ଜାମ ବିଶେଷକରି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ପଙ୍ଖା ଆଦି ବଦଳାଇବାପାଇଁ ଯୋଜନା ହେଉଥିବାବେଳେ ସରକାରୀ କ୍ୱାର୍ଟର୍ସଗୁଡିକରେ କିନ୍ତୁ ୧୫/୨୦ ବର୍ଷ ତଳର ପୁରୁଣା ପଙ୍ଖା ବୁଲୁଛି । କର୍ତ୍ତୃପକ୍ଷ ଏଗୁଡିକୁ ବଦଳାଇବା ପରିବର୍ତ୍ତେ ବର୍ଷ ବର୍ଷ ଧରି କେବଳ ମରାମତି କରିବାରେ ଲାଗିଛନ୍ତି ।

ସରକାରୀ ଦପ୍ତର ସମେତ ସରକାରୀ କ୍ୱାଟର୍ସର ବିଦ୍ୟୁତ୍‍ ସାମଗ୍ରୀ ଯୋଗାଣ ଓ ମରାମତି ଦାୟିତ୍ୱ ରହିଛି ପୂର୍ତ୍ତ ବିଭାଗ ହତାରେ । ପୂର୍ବରୁ ଏହା ବିଦ୍ୟୁତ୍‍ ବିଭାଗ ନିକଟରେ ଥିବାବେଳେ ତାହାକୁ ପୂର୍ତ୍ତ ବିଭାଗକୁ ସ୍ଥାନାନ୍ତର କରାଯାଇଛି । ବିଭିନ୍ନ ଡିଭିଜନରେ ପୂର୍ତ୍ତ ବିଭାଗର ନିର୍ବାହୀ ଅଧିକାରୀ ଏହା ଦାୟିତ୍ୱରେ ରହିଛନ୍ତି । ତେବେ ବିଦ୍ୟୁତ୍‍ କାର୍ଯ୍ୟ ପାଇଁ ଜଣେ ଯନ୍ତ୍ରୀଙ୍କ ସହିତ ବିଦ୍ୟୁତ୍‍ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ।

ପୂର୍ତ୍ତ ବିଭାଗ ଅଧିନରେ ଜିଇଡି ସରକାରୀ ଦପ୍ତର ସମେତ ସରକାରୀ କ୍ୱାଟର୍ସଗୁଡିକରେ ବିଦ୍ୟୁତ୍‍ ରକ୍ଷଣା ବେକ୍ଷଣ ସହିତ ପଙ୍ଖା ଯୋଗାଯାଇଥାଏ । ଗୋଟିଏ ଗୋଟିଏ ସରକାରୀ କ୍ୱାଟର୍ସରେ ଦୁଇ ଆରମ୍ଭ କରି ୫/୭ଟି ପଙ୍ଖା ଜିଇଡି ଲଗାଇଥାଏ । ବଡ ବଡ ଅଧିକାରୀଙ୍କ ଘରେ ପଙ୍ଖା ସହିତ ଅନ୍ୟାନ୍ୟ ବିଦ୍ୟୁତ୍‍ ସାଜ ସରଞ୍ଜାମ ବି ଲାଗିଥାଏ ।

ତେବେ ସରକାରୀ କ୍ୱାଟର୍ସରେ ଲାଗୁଥିବା ଏହି ପଙ୍ଖାଗୁଡିକ ଅତି ପୁରୁଣା । କାହାର ବୟସ ୧୫ବର୍ଷ ତ ଆଉ କାହାର ୨୦ ବର୍ଷ । ଏଗୁଡିକୁ କର୍ତ୍ତୃପକ୍ଷ ବଦଳାଇ ନୂଆ ପଙ୍ଖା କିଣିବା ବଦଳରେ ବର୍ଷ ବର୍ଷ ଧରି ତାହାକୁ କେବଳ ମରାମତି କରିବାରେ ଲାଗିଛନ୍ତି । ଜିଇଡିର କିଛି କର୍ମଚାରୀଙ୍କ ମତରେ ଗୋଟିଏ ଗୋଟିଏ ପଙ୍ଖା ମରାତିରେ ଯେତିକି ଅର୍ଥ ବ୍ୟୟ ହେଲାଣି ସେତିକିରେ ଅତି କମ୍‍ରେ ଦୁଇ ତିନିଟ ପଙ୍ଖା କିଣାଯାଇ ସାରନ୍ତାଣି ।

ଉଭୟ ସରକାରୀ ଦପ୍ତର ଓ ସରକାରୀ କ୍ୱାଟର୍ସରେ ଲାଗିଥିବା ଏହି ପୁରୁଣାକାଳିଆ ଦଦରା ପଙ୍ଖାଗୁଡିକ ଅଧିକ ବିଜୁଳି ଖର୍ଚ୍ଚ କରିଥାନ୍ତି । ଯଦିଓ ସରକାର ଓ ସରକାରୀ କର୍ମଚାରୀ ବିଲ୍‍ ପଇଠ କରୁଛନ୍ତି, କିନ୍ତୁ ଅଧିକ ବିଜୁଳି ଖର୍ଚ୍ଚ ହେବାରେ ଲାଗିଛି । କେବଳ ପଙ୍ଖା ନୁହେଁ ଅଧିକାଂଶ ସରକାରୀ କ୍ୱାଟର୍ସଗୁଡିକରେ ଲାଗୁଥିବା ଅନ୍ୟାନ୍ୟ ବିଦ୍ୟୁତ ଉପକରଣ ମଧ୍ୟ ‘ଷ୍ଟାର ରେଟିଂ’ ପର୍ଯ୍ୟାୟର ନୁହେଁ । ଫଳରେ କର୍ମଚାରୀମାନେ ଅଧିକ ପରିମାଣରେ ବିଦ୍ୟୁତ୍‍ ବିଲ୍‍ ଗଣିବାକୁ ବାଧ୍ୟ ହେଉଛନ୍ତି ।

ବର୍ତ୍ତମାନ ସରକାର ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ସହିତ ସରକାରୀ ଦପ୍ତରଗୁଡିକରେ କମ୍‍ ବିଜୁଳି ଖର୍ଚ୍ଚ ହେଉଥିବା ସାମଗ୍ରୀ ଲଗାଇବାପାଇଁ ସ୍ଥିର କରିଛନ୍ତି । ତେଣୁ ଏଥି ସହିତ ଜିଇଡି ଯୋଗାଉଥିବା ବିଦ୍ୟୁତ୍‍ ଉପକରଣଗୁଡିକର ସମୀକ୍ଷା କରାଯାଇ ପୁରୁଣା କାଳିଆ ଦଦରା ପଙ୍ଖା ଓ ଅନ୍ୟାନ୍ୟ ଉପକରଣଗୁଡିକୁ ମଧ୍ୟ ବଦଳାଇବାକୁ ମତପ୍ରକାଶ ପାଉଛି । (ତଥ୍ୟ)