ଭୁବନେଶ୍ୱର : ରାଜ୍ୟରେ ପୋକସୋ ଆଇନ୍ ବଳରେ ବର୍ଷକୁ ବର୍ଷ ମାମଲା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଦଣ୍ଡହାର ଅତ୍ୟନ୍ତ ନଗଣ୍ୟ ରହୁଛି । ବର୍ଷକୁ ଦୁଇ ହଜାରରୁ ଅଧିକ ମାମଲାର ରୁଜୁ ହେଉଥିବାବେଳେ ଦଣ୍ଡବିଧାନ ସଂଖ୍ୟା ଶହେ ଅତିକ୍ରମ କରିପାରୁ ନାହିଁ ।
ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅପରାଧିମାନଙ୍କୁ ତୁରନ୍ତ କଠୋର ଦଣ୍ଡ ଦେବାପାଇଁ ପୋକସୋ ଆଇନ୍ କାର୍ଯ୍ୟକାରୀ କରାଯାଉଛି । ଏହି ଆଇନ୍ ବଳରେ ରୁଜୁ ହେଉଥିବା ମାମଲାର ସ୍ୱତନ୍ତ୍ର ଭାବେ ବିଚାର କରାଯାଇ ଅପରାଧିକମାନଙ୍କୁ ତତ୍କାଳ କଠୋର ଦଣ୍ଡ ଦେବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ତେବେ ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ମସିହାରେ ରାଜ୍ୟରେ ଏହି ଆଇନ୍ ବଳରେ ୨୦୩୬ଟି ମାମଲା ରୁଜୁ ହୋଇଥିବାବେଳେ ୧୭୭୯ଟି ମାମଲା ଚାର୍ଜସିଟ୍ ଦାଖଲ ହୋଇଥିଲା । ତେବେ ଏହି ମାମଲାରେ ଦଣ୍ଡିତ ହୋଇଥିଲେ ମାତ୍ର ୩୩ ଜଣ । ସେହିଭଳି ସେହିବର୍ଷ ଏଭଳି ଜଘନ୍ୟ ଅପରାଧରେ ୨୦୩୩ ଜଣ ଗିରଫ ହୋଇଥିଲେ ।
ଅନୁରୂପ ଭାବେ ପୋକସୋ ଆଇନ୍ ବଳରେ ୨୦୨୦ ଟି ମାମଲା ରୁଜୁ ହୋଇଥିବାବେଳେ ୨୦୮୬ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ତେବେ ସେହିବର୍ଷ ମାତ୍ର ୩୭ଜଣ ଏହି ଅପରାଧରେ ଦଣ୍ଡିତ ହୋଇଥିଲେ । ୨୦୨୧ରେ ପୋକସୋ ଆଇନ୍ରେ ରୁଜୁ ମାମଲା ସଂଖ୍ୟା ୨୪୯୮କୁ ବୃଦ୍ଧି ପାଇଥିଲା ଏବଂ ୨୩୬୦ ଜଣଙ୍କ ବିରୁଦ୍ଧରେ ପୁଲିସ୍ ଚାର୍ଜସିଟ୍ ଦାଖଲ କରିଥିଲା । ସେହିଭଳି ୨୬୪୭ଜଣଙ୍କୁ ପୁଲିସ୍ ବି ଗିରଫ କରିଥିଲା । ହେଲେ ସେହିବର୍ଷ ଦଣ୍ଡିତ ହୋଇଥିଲେ ମାତ୍ର ୫୭ ଜଣ ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ୨୦୧୯ ମସିହାରେ ସମଗ୍ର ଦେଶରେ ପୋକସୋ ଆଇନ୍ରେ ୪୭,୩୨୪ ଟି ମାମଲା ରୁଜୁ ହୋଇଥିଲାବେଳେ ୬୯୮୯ ଜଣ ଦଣ୍ଡିତ ହୋଇଥିଲେ । ୨୦୨୦ ରେ ଏହି ସଂଖ୍ୟା ଯଥାକ୍ରମେ ୪୭,୨୨୧ ଓ ୪୫୪୨ ରହିଥିଲା । ୨୨୦୧ ରେ ଏହି ଏହି ଜଘନ୍ୟ ଅପରାଧ ମାମଲା ସଂଖ୍ୟା ୫୩,୮୭୪ ଥିବାବେଳେ ମାତ୍ର ୬୧୫୦ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ତେବେ ଆମ ରାଜ୍ୟରେ ପୋକସୋ ଆଇନରେ ଦଣ୍ଡବିଧାନ ଅତ୍ୟନ୍ତ ନଗଣ୍ୟ ରହୁଥିବାରୁ ଏ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀଙ୍କ ସମେତ ଆଇନ୍ଜୀବୀମାନେ ଉଦ୍ବେଗ ପ୍ରକାଶ କରୁଛନ୍ତି । ଦୁର୍ବଳ ମାମଲା ପରିଚାଳନା ଯୋଗୁଁ ଅପରାଧିମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରୁନାହିଁ ବୋଲି ଆଇନ୍ଜୀବୀମାନେ ମତ ଦେଉଥିବାବେଳେ ତଥ୍ୟ ସଂଗ୍ରହରେ ବିଳମ୍ବ ଓ ପୀଡିତାମାନେ ଅନେକ କାରଣରୁ ନିରବ ରହୁଥିବାରୁ ଦୋଷୀମାନେ ସହଜରେ ଖସିଯାଉଥିବା କହିଛନ୍ତି ସ୍ୱେଚ୍ଛାସେବୀ । (ତଥ୍ୟ)